ଖଣ୍ଡଗିରି: ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଏମ୍ସରେ ସମୀକ୍ଷା ବୈଠକ କରିଛନ୍ତି। ଏହି ଅବସରରେ ସେ ହସ୍ପିଟାଲରେ ଚିକିତ୍ସାଧୀନ ବିଭିନ୍ନ ବର୍ଗର ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ବିଭିନ୍ନ ବିଭାଗରେ ଆଇସିୟୁ ପରିଦର୍ଶନ କରିଥିଲେ। ୨୦୨୫- ୨୬ ବର୍ଷ ପାଇଁ ଏମ୍ସର ପରିଚାଳନା ସମିତି ସଦସ୍ୟ ଭାବେ ମନୋନୀତ ହେବା ପରେ ଏହା ତାଙ୍କର ପ୍ରଥମ ସମୀକ୍ଷା। ସାଂସଦଙ୍କ ସହ ଅଧୀକ୍ଷକ ଦିଲ୍ଲୀପ ପରିଡ଼ା ଓ ଅନ୍ୟ ବିଭାଗଗୁଡ଼ିକର ମୁଖ୍ୟମାନେ ଉପସ୍ଥିତ ଥିଲେ। ସେମାନଙ୍କ ସହ ହସ୍ପିଟାଲର ବିଭିନ୍ନ ସେବା ଓ ଭିତ୍ତିଭୂମି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏକାଡେମିକ ବ୍ଲକ୍ର ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ରୋଗୀ ସେବା, ଭିତ୍ତିଭୂମି ବିକାଶ, କର୍ମଚାରୀ ଓ ପାରାମେଡିକାଲ କର୍ମଚାରୀ, ଟେକ୍ନିସିଆନ୍ଙ୍କ ସଂଖ୍ୟା କିଭଳି ବଢ଼ାଯିବ ସେ ନେଇ ଆଲୋଚନା କରିଥିଲେ। ବୈଠକରେ ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ, ଭୁବନେଶ୍ୱର ଏମ୍ସ ପ୍ରତିଷ୍ଠା ଦିନଠାରୁ ଏହା ବିଏମ୍ସି ସେବାରୁ ବଞ୍ଚିତ ହେଉଥିବା ଦର୍ଶାଇଥିଲେ।
ଅତିରିକ୍ତ ୧୦୦ ଏକର ଜମି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ
କ୍ରିୟାଶୀଳ ହେବ ଏମ୍ସ ସାଟେଲାଇଟ ସେଣ୍ଟର
ଫଳରେ ଷ୍ଟ୍ରିଟ୍ଲାଇଟ୍, ପାଣି, ସଫେଇ ଓ ପରିମଳ, ଜଳଯୋଗାଣ ସୁବିଧାରୁ ଏମ୍ସ ବଞ୍ଚିତ ହେଇ ରହିଥିବା ସାଂସଦଙ୍କୁ ଅବଗତ କରାଇଥିଲେ। ଖୁବ୍ଶୀଘ୍ର ବିଏମ୍ସି ମେୟର ଓ କମିସନରଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରି ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବେ ବୋଲି ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି। ଏମ୍ସକୁ ରାଜ୍ୟ ସରକାରଙ୍କ ତରଫରୁ ଅତିରିକ୍ତ ୧୦୦ ଏକର ଜମି ଯୋଗାଇଦେବାକୁ ମଧ୍ୟ ନିର୍ଦ୍ଦେଶକ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ବିଭାଗ ମନ୍ତ୍ରୀଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସାଂସଦ ଜଣାଇଛନ୍ତି। ବାଲେଶ୍ୱରଠାରେ ଏମ୍ସର ସାଟେଲାଇଟ ସେଣ୍ଟରରେ ପର୍ଯ୍ୟାପ୍ତ ଚିକିତ୍ସା ସେବା ମିଳିପାରୁନି। ଏହି ସେଣ୍ଟର କିଭଳି ଅଧିକ କ୍ରିୟାଶୀଳ ହେବ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ସାଂସଦ କହିଛନ୍ତି।
ସମୀକ୍ଷା ବୈଠକରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆହୁରି କହିଥିଲେ, ଭୁବନେଶ୍ୱର ଏମ୍ସକୁ ଦେଶର ୧ନମ୍ବର କରିବା ଆମର ଲକ୍ଷ୍ୟ। ଏଥିପାଇଁ ସମସ୍ତେ ଉତ୍ସର୍ଗୀକୃତ ଭାବେ କାମ କରିବା ଆବଶ୍ୟକ। ଏମ୍ସର ବିକାଶ ପାଇଁ ଯାହା ଦରକାର ସେ ସବୁ ଯେମିତି ମିଳିପାରିବ, ସେଥିପାଇଁ ସେ ଆଗାମୀ ସଂସଦ ଅଧିବେଶନରେ ଉପସ୍ଥାପନ କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟି ଏହି ସବୁ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/05/LFNw7hUdTJ5d4ljvNAFK.jpg)