ନନ୍ଦନକାନନ ବିକାଶ କାର୍ଯ୍ୟର ସମୀକ୍ଷା : ଚୂଡ଼ଙ୍ଗଗଡ଼ରେ ହେବ ଜଙ୍ଗଲ ସଫାରି

ଜୁନ୍‌ ସୁଦ୍ଧା ପାଚେରି ନିର୍ମାଣ କରିବାକୁ ନିର୍ଦେଶ
ମାର୍ଚ୍ଚରେ ଟଏ-ଟ୍ରେନ୍‌, ଏପ୍ରିଲରେ ବହୁତଳ ପାର୍କିଂ
ବଟାନିକାଲ ଗାର୍ଡେନ୍‌କୁ ହେବ ସିଧାସଳଖ ରାସ୍ତା

ଭୁବନେଶ୍ବର : ନନ୍ଦନକାନନକୁ ବାର୍ଷିକ ୩୫ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି। ତାହାକୁ ନଜରରେ ରଖି ବସ୍‌ଷ୍ଟାଣ୍ଡ, ଆନୁଷଙ୍ଗିକ ସୁବିଧା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବାକୁ ହେବ। ବିଶେଷକରି ଚିଡ଼ିଆଖାନା ସମ୍ମୁଖ ଓ ବସ୍‌ଷ୍ଟାଣ୍ଡର ପୁନଃବିକାଶ ପାଇଁ ଏକ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୂର୍ତ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି।

ଦେଶର ବୃହତ୍ତ ପ୍ରାକୃତିକ ଚିଡ଼ିଆଖାନା ଭାବେ ପ୍ରସିଦ୍ଧି ଲାଭ କରିଥିବା ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ଉପଲବ୍ଧ କରାଇବା ଉପରେ ଶ୍ରୀ ମହାପାତ୍ର ଗୁରୁତ୍ବାରୋପ କରିଛନ୍ତି। ପ୍ରାଣୀ ଉଦ୍ୟାନ ସମେତ ଏହାର ଚାରିପାର୍ଶ୍ବ କ୍ଷେତ୍ର ପରିଦର୍ଶନ ପୂର୍ବକ ସ୍ଥିତିର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ଶ୍ରୀ ମହାପାତ୍ର ନନ୍ଦନକାନନ ସହ ନୂଆ ଭାବେ ଯୋଡ଼ି ହୋଇଥିବା ପ୍ରାୟ ୮ ବର୍ଗ କିମି ଚୂଡ଼ଙ୍ଗଗଡ଼ ଜଙ୍ଗଲ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଉକ୍ତ ଜଙ୍ଗଲକୁ ନନ୍ଦନକାନନର ଏକ ଅଂଶ ଭାବେ ବନ୍ୟଜନ୍ତୁ ସଫାରି ଭାବେ ବିକଶିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଜଙ୍ଗଲ ଜମି ଓ ବନ୍ୟଜନ୍ତୁମାନଙ୍କ ସୁରକ୍ଷା ନିମନ୍ତେ ଏହା ଚତୁଃପାର୍ଶ୍ବରେ ଜୁନ୍‌ ଶେଷ ସୁଦ୍ଧା ପାଚେରି ନିର୍ମାଣ କରାଯିବ। ଏକ ଜଙ୍ଗଲ ସଫାରି ଭଳି ଏହି ଅଞ୍ଚଳକୁ ବିକଶିତ କରାଯିବ। ବଟାନିକାଲ ଗାର୍ଡେନ୍‌କୁ ସିଧାସଳଖ ଜୟଦେବ ବିହାର-ନନ୍ଦନକାନନ ମୁଖ୍ୟ ରାସ୍ତା ସହ ସଂଯୋଗ ହେବ। ଏଥିପାଇଁ ପ୍ରାୟ ୫୦୦ ମିଟର ରାସ୍ତା ଓ ଝରଣା ନିମନ୍ତେ କଲଭର୍ଟ ଆଦି ନିର୍ମାଣ ହେବ। ପୂର୍ତ୍ତ ବିଭାଗ ଏଥିପାଇଁ ତୁରନ୍ତ ଡିପିଆର ଓ ଖର୍ଚ୍ଚ ଆକଳନ କରିବାକୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ।

ନନ୍ଦନକାନନରେ ନିର୍ମାଣାଧୀନ ବହୁତଳ ଗାଡ଼ି ପାର୍କିଂର ନିର୍ମାଣ କାର୍ଯ୍ୟ ତଦାରଖ କରି ଆସନ୍ତା ଦୁଇ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପାର୍କିଂ ପରିଚାଳନା ଓ ରକ୍ଷଣା‌ବେକ୍ଷଣ ନିମନ୍ତେ ଟେଣ୍ଡର୍‌ ପ୍ରକ୍ରିୟା ସାରିବାକୁ ନନ୍ଦନକାନନ କର୍ତୃପକ୍ଷଙ୍କୁ କୁହାଯାଇଛି। ଏହା ରାଜ୍ୟର ସର୍ବବୃହତ୍ତ ବହୁତଳ ପାର୍କିଂ ହେବ। ଏଠାରେ ଏକ ସମୟରେ ୧୫୦୦ ଚାରିଚକିଆ ଓ ୬୦୦ ଦୁଇ ଚକିଆ ଯାନ ରହିପାରିବ। ନିର୍ମାଣ କାର୍ଯ୍ୟ ସହ ବିଦ୍ୟୁତ୍‌, ପାଣି ଓ ଲିଫ୍ଟ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି। ପିଲାଙ୍କ ପାଇଁ ଟଏ-ଟ୍ରେନ୍‌କୁ ଅଧିକ ଆକର୍ଷଣୀୟ କରାଯିବାକୁ ସ୍ଥିର ହୋଇଛି। ମାର୍ଚ୍ଚ ଶେଷ ସୁଦ୍ଧା ଏହାକୁ ପୂର୍ଣ୍ଣାଙ୍ଗ କରିବାକୁ ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ସମେତ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ପ୍ରଧାନ ବନ୍ୟପ୍ରାଣୀ ସଂରକ୍ଷକ ତଥା ନନ୍ଦନକାନନ ନିର୍ଦେଶକ ଶଶି ପଲ୍‌ଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର