ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରରେ ନିଯୁକ୍ତ ବିଭିନ୍ନ ନିଯୋଗମାନଙ୍କ ଦ୍ୱାରା କରାଯାଉଥିବା ସେବାପୂଜା ସମ୍ପର୍କିତ ରେକର୍ଡ ଅଫ୍‌ ରାଇଟ୍ସର ସମୀକ୍ଷା କରିବା ସହ ଅନ୍ତିମ ରୂପ ଦେବା ପାଇଁ ରାଜ୍ୟ ସରକାର ଏକ ସମିତି ଗଠନ କରିଛନ୍ତି।  ଓଡ଼ିଶା ଉଚ୍ଚନ୍ୟାୟଳୟର ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ଜଷ୍ଟିସ୍‌ ଦୁର୍ଗାପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ଦୁଇସଦସ୍ୟ ବିଶିଷ୍ଟ ସମିତି ଗଠିତ ହୋଇଛି। ଆଜି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସର୍କିଟ୍‌ହାଉସଠାରେ ସମିତିର କାର୍ଯ୍ୟାଳୟକୁ ଅଧ୍ୟକ୍ଷ ଜଷ୍ଟିସ୍‌ ଦୁର୍ଗାପ୍ରସନ୍ନ ଚୌଧୁରୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସମିତିର ସଦସ୍ୟ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ବିଧି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ  ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଅରୁଣ କୁମାର ସାହୁ ଏବଂ ଅତିରିକ୍ତ ଶାସନ ସଚିବ (ନ୍ୟାୟିକ) ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତି ରହି କମିଟିର କାର୍ଯ୍ୟପଦ୍ଧତି ବିଷୟରେ ଆଲୋଚନା କରିଥିଲେ। ଏହି ସମିତି ଲିଙ୍ଗରାଜ ମନ୍ଦିରର ବିଭିନ୍ନ ସେବାପୂଜା, ନିଯୋଗମାନଙ୍କ ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦୈନନ୍ଦିନ ନିୟମିତ ନୀତି ବିଧି ସମ୍ପର୍କିତ ଦଲିଲପତ୍ର ପ୍ରଦାନ କରିବାକୁ ସମିତି ପକ୍ଷରୁ ଅନୁରୋଧ କରାଯାଇଅଛି।