ବାଲିପାଟଣା/ ବାଲିଅନ୍ତା : ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ବାଲିପାଟଣା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ବ୍ଲକରେ ପହଞ୍ଚିବା ବେଳକୁ ବ୍ଲକ ଉନ୍ନୟନ ଅଧିକାରୀ ମିତାଞ୍ଜଳି ଦାଶ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକାରୀ ସୁଶିଲ କୁମାର ପାଢ଼ୀ ଅନୁପସ୍ଥିତ ଥିଲେ। ଏନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ସମ୍ପୃକ୍ତ ଦୁଇ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ପ୍ରତ୍ୟେକ ସୋମବାର ଦିନ ବ୍ଲକରେ ଜନଶୁଣାଣି ହେବାର କାର୍ଯ୍ୟକ୍ରମ ଥିବାରୁ କେହି କର୍ତ୍ତବ୍ୟରେ ଅବହେଳା କଲେ କଡ଼ା ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ।
ସମ୍ପୃକ୍ତ ବ୍ଲକରେ ଆମ ଗାଁ ଆମ ବିକାଶ ଯୋଜନାରେ ୨ କୋଟି ୪୩ଲକ୍ଷ ଟଙ୍କା ମଧ୍ୟରୁ ମାତ୍ର ୨୨ ଲକ୍ଷ ଖର୍ଚ୍ଚ ହୋଇଥିବାରୁ ତୁରନ୍ତ କାମ କରିବାକୁ ଉପସ୍ଥିତ ଏବିଡିଓଙ୍କୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ୮ ଦିନରୁ ଅଧିକ ସମୟ ଫାଇଲ ରଖିଲେ ଉପଜିଲ୍ଲାପାଳ କିମ୍ବା ପ୍ରକଳ୍ପ ଅଧିକାରଙ୍କ ଦସ୍ତଖତରେ ବିଲ ପାସ୍ କରିବାକୁ ନିର୍ଦେଶ ଦେଇଥିଲେ। ବିଡିଓ, ଚେୟାରମ୍ୟାନ ଓ ସମସ୍ତ କର୍ମଚାରୀ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି କାମ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ଜେନା ଓ ବିଭାଗୀୟ ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ଦାଶ ବାଲିଅନ୍ତା ପଞ୍ଚାୟତ ସମିତିକୁ ଅତର୍କିତ ପରିଦର୍ଶନରେ ଆସି ପଞ୍ଚାୟତସ୍ତରରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟ ତଦାରଖ କରିଥିଲେ। ସେଠାରେ ଅପେକ୍ଷା କରିଥିବା ବିଭିନ୍ନ ପଞ୍ଚାୟତର ଲୋକମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ବିଡିଓ ରଶ୍ମିରେଖା ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ପାଖ ବ୍ଲକ ତୁଳନାରେ ବାଲିଅନ୍ତା ପଞ୍ଚାୟତ ସମିତିର କାର୍ଯ୍ୟକାରିତା ଅପେକ୍ଷାକୃତ ସନ୍ତୋଷଜନକ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ଓ ଅତିରିକ୍ତ ବିଡିଓ ରାମକୃଷ୍ଣ ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।