ଭୁବନେଶ୍ବର/ବାରଙ୍ଗ : ୨୬ ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୪ ହାତୀ ମଡ଼କ। ହର୍ପିସ୍ ଭୂତାଣୁରେ ହାତୀ ମଡ଼କ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏଠାରେ ଥିବା ବାକି ୪ଟି ହାତୀଙ୍କର ସ୍ବାସ୍ଥ୍ୟ ଅବସ୍ଥା କିଭଳି ରହିଛି? ସୁସ୍ଥ ଅଛନ୍ତି କି ନାହିଁ? ହର୍ପିସ୍ ଭୂତାଣୁ ନା ଅନ୍ୟ କୌଣସି କାରଣ ପାଇଁ ହାତୀ ମଲେ? ଆଦି ବିଷୟର ସମୀକ୍ଷା କରିବାକୁ ଆଜି ଦୁଇ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ନନ୍ଦନକାନନରେ ପହଞ୍ଚିଛନ୍ତି। ପ୍ରତିନିଧି ଦଳ ହାତୀ ମୃତ୍ୟୁର ସମୀକ୍ଷା କରିବା ସହ ବାକି ହାତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଲି ଦେଖିଛନ୍ତି। ପ୍ରାୟ ତିନି ଘଣ୍ଟା ଧରି ସମୀକ୍ଷା କରିବା ପରେ ସେମାନେ ନନ୍ଦନକାନନ କର୍ତୃପକ୍ଷଙ୍କୁ କ୍ଲିନ୍ଚିଟ୍ ଦେଇ କହିଛନ୍ତି ଯେ ନନ୍ଦନକାନନର ଅନ୍ୟ ହାତୀଙ୍କୁ ହର୍ପିସ୍ ଭୂତାଣୁ ଆକ୍ରାନ୍ତ କରିନି। ଛୋଟ ହାତୀ ‘ମାମା’ ସମେତ ବଡ଼ ହାତୀ ପ୍ରେମା, ବାସନ୍ତୀ, ହୀରା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଆଗରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିଲା ତେବେ ୪ ହାତୀ ମଲେ କାହିଁକି? ପ୍ରଥମ ହାତୀ ମରିବା ପରେ କର୍ତୃପକ୍ଷ ବାକି ୩ଟି ହାତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷାରେ ଠିକ୍ ଭାବେ କରିଥିଲେ ତ? ଯଦି ସବୁ କିଛି ଠିକ୍ ଠାକ୍ ରହିଥିଲା ତେବେ ହାତୀ ମୃତ୍ୟୁ ସଂଖ୍ୟା ୪ ଛୁଇଁଲା କାହିଁକି?
ସମୀକ୍ଷା ପରେ ପ୍ରତିନିଧି ଦଳ ସଦସ୍ୟ ଜାତୀୟ ହର୍ପିସ୍ ପ୍ରକଳ୍ପ ମୁଖ୍ୟ ଗୌରାଙ୍ଗ ମହାତୋ କହିଛନ୍ତି ଯେ ନନ୍ଦନକାନନର ସମସ୍ତ ୪ଟି ଯାକ ହାତୀ ହର୍ପିସ୍ ଭୂତାଣୁ ସଂକ୍ରମଣରେ ମରିଛନ୍ତି। ଏହି ଭୂତାଣୁ ଦ୍ରୁତ ଗତିରେ ବ୍ୟାପିଥାଏ। ୧୨ ବର୍ଷ ବୟସ ମଧ୍ୟରେ ହାତୀମାନଙ୍କୁ ଏହା ସଂକ୍ରମିତ ହୋଇଥାଏ। କେବଳ ହାତୀମାନଙ୍କଠାରେ ଜଣଙ୍କ ଦେହରୁ ଅନ୍ୟ ଦେହକୁ ଏହା ଆକ୍ରାନ୍ତ କରିଥାଏ। ଏଥିରେ ଆକ୍ରାନ୍ତ ହେବା ପରେ ପ୍ରାୟ ୮୫ ପ୍ରତିଶତ ହାତୀଙ୍କର ମୃତ୍ୟୁ ହେଉଛି। ମୁଖ୍ୟତଃ ଜଙ୍ଗଲି ହାତୀ ଏହାଦ୍ବାରା ସଂକ୍ରମିତ ହୋଇଥାନ୍ତି। ଚିଡ଼ିଆଖାନା ଇତିହାସରେ ପ୍ରଥମ ଥର ପାଇଁ ନନ୍ଦନକାନନରେ ହର୍ପିସ୍ ଭୂତାଣୁ ଦେଖିବାକୁ ମିଳିଛି। ଏ ରୋଗର ନିରାକରଣ ଏପର୍ଯ୍ୟନ୍ତ ବାହାରି ନ ଥିବା ସେ କହିଛନ୍ତି। ଅନ୍ୟତମ ସଦସ୍ୟ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣର ସଦସ୍ୟ ସଚିବ ଏସ୍ ପି ଯାଦବ କହିଛନ୍ତି ଏଠାକାର ପ୍ରାଣୀ ଚିକିତ୍ସକମାନେ ପ୍ରତିଦିନ ଭୂତାଣୁ ଆକ୍ରାନ୍ତ ହାତୀ ସମ୍ପର୍କରେ ରିପୋର୍ଟ କରୁଥିଲେ। ହାତୀଙ୍କ ସ୍ଥିତି ଉପରେ ଅବଗତ କରାଉଥିଲେ। ଭୂତାଣୁ ଆକ୍ରାନ୍ତ ହେବା ପରେ ନନ୍ଦନକାନନ କର୍ତୃପକ୍ଷ ସମସ୍ତ ଚେଷ୍ଟା କରିଛନ୍ତି। ତଥାପି ୪ଟି ହାତୀଙ୍କୁ ବଞ୍ଚାଇପାରିଲେ ନାହିଁ। କେତେକ କ୍ଷେତ୍ରରେ ହର୍ପିସ୍ ଭୂତାଣୁରେ ଆକ୍ରାନ୍ତ ହେବା ପରେ ମଧ୍ୟ ହାତୀ ବଞ୍ଚିବାକୁ ସକ୍ଷମ ହୋଇଥାନ୍ତି।
ଅପରାହ୍ନ ପ୍ରାୟ ୪ଟାରେ ନନ୍ଦନକାନନ ଡାକବଙ୍ଗଳାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ, ନନ୍ଦନକାନନ ନିର୍ଦ୍ଦେଶକ ଶଶି ପାଲ୍, ଉପ ନିର୍ଦ୍ଦେଶକ ଜୟନ୍ତ ଦାସ, କ୍ୟୁରେଟର ଅଞ୍ଜନ କୁମାର ମହାନ୍ତି, ବରିଷ୍ଠ ଚିକିତ୍ସକ ଆଲୋକ ଦାସ, ଚିକିତ୍ସା ବିଶେଷଜ୍ଞ ଦେବଦତ୍ତ ମହାପାତ୍ର, ଡ. ଶରତ ସାହୁ, ଓୟୁଏଟି ନିଦାନ ବିଭାଗର ମୁଖ୍ୟ ପ୍ରଫେସର ଡ. ସୁଶେନ କୁମାର ପଣ୍ଡା, ଓୟୁଏଟି ଔଷଧ ବିଭାଗର ମୁଖ୍ୟ ପ୍ରଫେସର ଡ. ନିରଞ୍ଜନ ସାହୁ, ଜନ୍ତୁ ବିଭାଗ ରେଞ୍ଜ ଅଫିସର ଅଶୋକ ଦାସ ସାମିଲ ହୋଇଥିଲେ।
ନନ୍ଦନକାନନ ଉପ ନିର୍ଦେଶକ ଜୟନ୍ତ ଦାସ କହିଛନ୍ତି ଯେ ସମୀକ୍ଷା ବୈଠକରେ ପ୍ରତିନିଧି ଦଳ ବିଭିନ୍ନ ପରାମର୍ଶ ଦେଇଛନ୍ତି। ୪ଟି ଯାକ ହାତୀକୁ କିଭଳି ଭୂତାଣୁ କବଳିତ ନ କରେ ସେନେଇ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଏବେ ପ୍ରତି ଦିନେ ଛଡ଼ା ଦିନେ ୪ଟି ଯାକ ହାତୀଙ୍କର ରକ୍ତ ପରୀକ୍ଷା କରାଯାଉଛି। ଡର୍ମ୍ପିଂୟାର୍ଡ ଦ୍ବାରା ହାତୀ ମୃତ୍ୟୁ ଘଟଣା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର। ଓୟୁଏଟି ନିଦାନ ବିଭାଗର ମୁଖ୍ୟ ପ୍ରଫେସର ପଣ୍ଡା କହିଛନ୍ତି ଯେ ମୃତ୍ୟୁବରଣ କରିଥିବା ୪ଟି ଯାକ ହାତୀ ଯେହେତୁ ଗୋଟିଏ ସ୍ଥାନରେ ରହିଥିଲେ ତେଣୁ ଭୂତାଣୁ ଆକ୍ରାନ୍ତ କଲା। ଅନ୍ୟ ୪ଟି ହାତୀ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବାରୁ ସମସ୍ତେ ସୁସ୍ଥ ଅଛନ୍ତି। ହାତୀ ରହୁଥିବା ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ‘ମାମା’ ଅଲଗା ରହିଥିବାରୁ ସେ ସୁସ୍ଥ ରହିଛି।
ମୁଖ୍ୟ ଫାଟକରେ ଘଣ୍ଟାଏ ତାଲା
ଦାରୁଠେଙ୍ଗ ଡର୍ମ୍ପିଂୟାର୍ଡ ସ୍ଥାନାନ୍ତର ଓ ନନ୍ଦନକାନନ ଜୀବଜନ୍ତୁଙ୍କ ସୁରକ୍ଷା ଦାବିରେ ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ସ୍ଥାନୀୟ ଅଞ୍ଚଳର ଲୋକେ ନନ୍ଦନକାନନ ମୁଖ୍ୟ ଫାଟକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦାରୁଠେଙ୍ଗ, ପଟିଆ, ରଘୁନାଥପୁର, ଚନ୍ଦକା, ଅନ୍ଧାରୁଆ, ପାଇକରାପୁର, କଣ୍ଟାବାଡ଼, ମେଣ୍ଢାଶାଳ ଅଞ୍ଚଳର ଲୋକେ ଏଥିରେ ସାମିଲ ହୋଇଥିଲେ। ପ୍ରାୟ ଏକ ଘଣ୍ଟା ଧରି ସେମାନେ ଫାଟକରେ ତାଲା ପକାଇଥିଲେ। ଶ୍ରୀ ରାଉତରାୟ କହିଥିଲେ ଯେ ଦାରୁଠେଙ୍ଗ ଡର୍ମ୍ପିଂୟାର୍ଡରେ ପଡ଼ୁଥିବା ଅଳିଆ, ଆବର୍ଜନା ନନ୍ଦନକାନନ ଜୀବଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଅଞ୍ଚଳର ସମସ୍ତ କୂଅ, ପୋଖରୀ, ଜଳାଶ୍ରୟ ଜଳ ବିଷାକ୍ତ ହୋଇପଡ଼ିଛି। ଭୂତଳ ଜଳସ୍ତର ମଧ୍ୟ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଏହାଦ୍ବାରା ସେଠାକାର ଲୋକେ ରୋଗଗ୍ରସ୍ତ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ନନ୍ଦନକାନନର ହାତୀ, ଗଣ୍ଡା, ନୀଳଗାଈ, ହରିଣ, ଧଳାବାଘ, ମୂଷା ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କର ମୃତ୍ୟୁ ହେଉଥିଲେ ମଧ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ବିକ୍ଷୋଭ ପ୍ରଦର୍ଶନ ପରେ ନନ୍ଦନକାନନ କର୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତପନ ଚକ୍ରବର୍ତୀ, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ଜୟକୃଷ୍ଣ ମଲିଆ, ରବି ହରିଚନ୍ଦନ, ବିରଜା ସାମନ୍ତରାୟ, ସରୋଜ କୁମାର ନାୟକ, ସୁନୀଲ ରାଉତରାୟ, ଅମୀୟ ସ୍ବାଇଁ, ସୁଶୀଲ ସ୍ବାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।