ଆର୍‌ଆଇଙ୍କ ଏକତରଫା କାର୍ଯ୍ୟାନୁଷ୍ଠାନ : ଗୁଣ୍ଡା ଲଗାଇ ପାଚେରି ଭାଙ୍ଗିଦେଲେ

ଚନ୍ଦ୍ରଶେଖରପୁର : ଚନ୍ଦକା ଅଞ୍ଚଳ ଅନ୍ଧାରୁଆ ମୌଜାର ଜଣେ ବ୍ୟକ୍ତିଙ୍କ ଜମି ଉପରେ ହୋଇଥିବା ପାଚେରିକୁ କିଛି ଅସାଧୁ ବ୍ୟକ୍ତି ସ୍ଥାନୀୟ ଆର୍‌ଆଇଙ୍କ ପ୍ରରୋଚନାରେ ଆସି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଜମି ମାଲିକ ଅଖିଳ ଚନ୍ଦ୍ର ରଣା ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ଅନ୍ଧାରୁଆ ମୌଜା ଖାତା ସଂଖ୍ୟା ୨୭୩୭ ପ୍ଲଟ୍‌ ଜମିରେ ହୋଇଥିବା ତାଙ୍କ ପାଚେରିକୁ ନିକଟ ପ୍ଲଟ୍‌ ଜମି ମାଲିକ ବି. ନନ୍ଦ ଗୁଣ୍ଡା ଲଗାଇ ଭାଙ୍ଗି ଦେଇଛନ୍ତି। ବିନା କୌଣସି କୋର୍ଟ ନୋଟିସରେ ଏକତରଫା ଭାବେ ସ୍ଥାନୀୟ ଆର୍‌ଆଇ ଦୁଃଖୀଶ୍ୟାମ ସ୍ୱାଇଁ ଲାଞ୍ଚ ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ଦୁଇ ଜମି ମାଲିକଙ୍କ ଉପସ୍ଥିତିରେ ଜମି ମାପଚୁପ ପରେ ପାଚେରି ତିଆରି କରାଯାଇଥିଲା। ଏବେ ଅଭିଯୋଗକାରୀ ଜମି ମାଲିକଙ୍କ ଅନୁପସ୍ଥିତିରେ ନିକଟ ଜମି ମାଲିକ ବି. ନନ୍ଦ ପାଚେରିକୁ ଭାଙ୍ଗି ତାଙ୍କ ଜମିର କିଛି ଅଂଶ ବେଆଇନ ଭାବେ ମାଡ଼ି ବସିଛନ୍ତି। ଅଖିଳ ଏନେଇ ବିରୋଧ କରିବାରୁ ତାଙ୍କୁ ଜୀବନରୁ ମାରିଦେବା ନେଇ ଧମକ ମିଳିଥିବା ଅଭିଯୋଗ ହୋଇଛି। ଏହି ଘଟଣା ନେଇ ଆର୍‌ଆଇଙ୍କ ମତ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର