ଚନ୍ଦ୍ରଶେଖରପୁର: ଖାଇବା ଥାଳିରେ ଭାତ ଦିଆସରିଥିଲା। ଡାଲମା ପାଇବାକୁ ଧାଡ଼ିରେ ଅପେକ୍ଷା କରି ଛିଡ଼ା ହୋଇଥିଲେ ଗ୍ରାହକ। ମାତ୍ର ଡାଲମା ମିଳିଲା ନାହିଁ। ହଠାତ୍‌ ବିଏମ୍‌ସି ସ୍କ୍ବାଡ୍‌ ଗାଡ଼ି ଝାମ୍ପ ମାରିଲା। ଆଉ କେହି କିଛି ବୁଝିବା ପୂର୍ବରୁ ଦୋକାନରୁ ଡାଲମା ବାଲଟି ନେଇଗଲା। ତରକାରୀ, ଖଟା, ପାମ୍ପଡ଼ ଥିବା ଜାଗାକୁ ବି ଛାଡ଼ିଲେ ନାହିଁ। ଏମିତିକି ଦୋକାନରେ ଥିବା ଟେବୁଲ୍‌, ବାଲ୍‌ଟି, ଚାମଚ୍‌, ଡାବ ନେଇଯାଇଥିଲେ। ଏହାଦ୍ବାରା ଦୋକାନୀଙ୍କର ‌ଯାହା ତ କ୍ଷତି ହେଲା, ଭୋକିଲା ଥିବା ୩୦ରୁ ୪୦ ଗ୍ରାହକ ଅଧା ପେଟରେ ରହିଲେ। ଅଧାଖାଇବା ଥାଳି ଧରି ଗ୍ରାହକମାନେ ଏପାଖରୁ ସେପାଖକୁ ଧାଇଁଲେ। ଖାଇବା ସାମଗ୍ରୀଗୁଡ଼ିକ ଫେରାଇବାକୁ ଅନୁରୋଧ ମଧ୍ୟ କଲେ। ମାତ୍ର ସ୍କ୍ବାଡ୍‌ର ସଦସ୍ୟମାନେ ଧରାଛୁଆଁ ଦେଇ ନଥିଲେ। ଏହାକୁ ନେଇ ବିଏମ୍‌ସି ସ୍କ୍ବାଡ୍‌ ଓ ଗ୍ରାହକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆପଣ କିଏ କହିବାକୁ ବୋଲି ବିଏମ୍‌ସି ସ୍କ୍ବାଡ୍‌ ସଦସ୍ୟମାନେ ଗ୍ରାହକଙ୍କୁ କହିବା‌ ସହ ସାମଗ୍ରୀଗୁଡ଼ିକ ନିଜ ଗାଡ଼ିରେ ଲଦି ନେଇଯାଇଥିଲେ। ଆଜି ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ଦୂରଦର୍ଶନ ଛକରେ ଥିବା ବସ୍‌ଷ୍ଟପ୍‌ ନିକଟରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା।

Advertisment

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଯେଉଁମାନେ ଖାଇବା ଥାଳିରେ ଭାତ ଧରି ଛିଡ଼ା ହୋଇଥିଲେ ସେମାନେ ସମସ୍ତେ ରୋଗୀଙ୍କ ସମ୍ପର୍କୀୟ ଥିଲେ। କମ୍‌ ଦାମରେ ଭଲ ଖାଦ୍ୟ ମିଳୁଥିବାରୁ ରାସ୍ତାପାର୍ଶ୍ବର ଉଠାଦୋକାନୀଙ୍କୁ ଆଶ୍ରା କରିଥିଲେ। ହସ୍ପିଟାଲ ବେଡ୍‌ରେ ରୋଗୀଙ୍କୁ ଛାଡ଼ି ସେମାନେ ତଳେ ଖାଇବାକୁ ଆସିଥିବା ବେଳେ ଆଜି ଏଭଳି ଦୟନୀୟ ସ୍ଥିତିର ସମ୍ମୁଖୀନ ହେଇଛନ୍ତି। ରୋଗୀ ସମ୍ପର୍କୀୟଙ୍କ ଏଭଳି ଦୟନୀୟ ସ୍ଥିତି ଦେଖି ରାସ୍ତାରେ ଯାଉଥିବା ଲୋକେ ଅଟକିବା ସହ ସ୍କ୍ବାଡ୍‌ର ଏଭଳି କାର୍ଯ୍ୟକୁ ନିନ୍ଦା କରିଥିଲେ। କେହି କେହି ବିଏମ୍‌ସି ସ୍କ୍ବାଡ୍‌ ସଦସ୍ୟଙ୍କ ସହ ଆଲୋଚନା କରିବାକୁ ଧାଇଁ ଯାଇଥିଲେ। ମାତ୍ର ସେମାନେ ନିଜ ଜିଦ୍‌ରୁ ଓହରି ନଥିଲେ। ବରଂ ଜଣଙ୍କ ପରେ ଜଣେ ଉଠାଦୋକାନୀଙ୍କ ସାମଗ୍ରୀ ନେଇ ଚାଲିଥିଲେ। ଯିଏ ପାଟି ଖୋଲୁଥିଲେ ତାକୁ ଧମକ ଦେଉଥିଲେ। କୁମୁଦିନୀ ମଣ୍ଡଳ କହିଛନ୍ତି ଯେ ମୋର ଜଣେ ସମ୍ପର୍କୀୟ ନିକଟରେ ଥିବା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ‌ତାଙ୍କ ପାଖରେ ରହୁଥିବାରୁ ପ୍ରତିଦିନ ମଧ୍ୟାହ୍ନରେ ତଳକୁ ଖାଇବାକୁ ଆସୁଛି। ୮୦ ଟଙ୍କାରେ ସାଧା ଥାଳି ଖାଇବା ମିଳୁଥିବାରୁ ଦୁଇଦିନ ହେଲା ଏଠାରେ ଖାଉଥିଲି। ଆଜି ମଧ୍ୟାହ୍ନରେ ଖାଇବା ପାଇଁ ଏଠାକୁ ଆସି ପହଞ୍ଚିଥିଲି। ପତ୍ରରେ ଭାତ ଓ ଡାଲି ଧରିଥିବା ବେଳେ ତରକାରୀ ମିଳି ନ ଥିଲା।

ବିଏମ୍‌ସି ସ୍କ୍ବାଡ୍‌ ପହଞ୍ଚି ସବୁ ଖାଇବା ନେଇ ଯାଇଥିଲେ। ତେଣୁ ଅଧାପେଟରେ ରହିବାକୁ ପଡ଼ିଲା। ଏହା ଆଦୌ ଠିକ୍‌ ନୁହେଁ। ଯେଉଁମାନେ ଅଧା ଖାଇଥିଲେ ସେମାନଙ୍କ ବିଷୟରେ ଚିନ୍ତା କରିବା କଥା। ବାମନ ମୁଦୁଲିଙ୍କ କହିବାନୁଯାୟୀ ବିଏମ୍‌ସି ଜୁଲୁମ୍‌ କରୁଛି। ଡାକ୍ତରଖାନା ଭିତରେ ଶସ୍ତାରେ ଖାଇବାକୁ ମିଳୁନି। ବାହାରେ ଯେଉଁଠି ମିଳୁଛି ସେଠାରେ ବିଏମ୍‌ସି ଯେଉଁଭଳି ଜୁଲୁମ୍‌ କରୁଛି ତାହା ଆଦୌ ଗ୍ରହଣୀୟ ନୁହେଁ। ଡାକ୍ତରଖାନା ପାଖରେ ଆଉ କୌଣସି ହୋଟେଲ ନ ଥିବାରୁ ରୋଗୀଙ୍କୁ ଏକୁଟିଆ ଛାଡ଼ି ଅଧିକ ଦୂର ଯିବା ସମ୍ଭବପର ନୁହେଁ। ତେଣୁ ମଧ୍ୟାହ୍ନ ସମୟରେ ଉଠାଦୋକାନୀ ଏଠାରେ ଖାଇବାକୁ ଆଣି ଦେଉଥିବାରୁ ଭଲ ହେଉଥିଲା। ଆଜି ଯେଉଁ ପରିସ୍ଥିତି ଉପୁଜିଲା ତାହା ଚିନ୍ତାଜନକ। ବଡ଼ବଡ଼ିଆ ରାସ୍ତା, ଫୁଟ୍‌ପାଥ, ଡ୍ରେନ୍‌ ମାଡ଼ି ବସିଲେ କିଛି ପଦକ୍ଷେପ ନିଆଯାଉ ନାହିଁ। ହେଲେ ଗରିବଙ୍କ ଉପରେ ବିଏମ୍‌ସି ନାଲିଆଖି ଦେଖାଉଛି। ସ୍କ୍ବାଡ୍‌ର ଜଣେ ସଦସ୍ୟ କହିଛନ୍ତି ଯେ ବେଆଇନ ଭାବେ ଏଠାରେ ଉଠାଦୋକାନ ପଡ଼ିଥିବାରୁ ଆମେ ହଟେଇବୁ। ବାରମ୍ବାର କହିବା ସତ୍ତ୍ବେ ସେମାନେ ଶୁଣୁ ନ ଥିବାରୁ ଆଜି ସାମଗ୍ରୀଗୁଡ଼ିକ ନେଇଯାଉଛୁ।