ଭିଜିଲାନ୍ସ ପଞ୍ଝାରେ କୁବେର ଜିଆର୍‌ଏସ୍‌

ପୁଳାପୁଳା ସୁନାଗହଣା, ୬ଟି ସ୍ଥାନରେ ଚଢ଼ଉ

ଭୁବନେଶ୍ବର: ଦରମା ମାତ୍ର ସାଢ଼େ ୮ ହଜାର ଟଙ୍କା। ହେଲେ ରାଜଧାନୀରେ ୫୯ଟି ପ୍ଲଟ। ଏକାଧିକ ସ୍ଥାନରେ ବିଳାସପୂର୍ଣ୍ଣ ଅଟ୍ଟାଳିକା। ଖାଲି ଏତିକି ନୁହେଁ ପୁଳାପୁଳା ସୁନାଗହଣା। ଜଣେ କୁବେର ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌)ଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହରାହାଙ୍ଗ ଗ୍ରାମ ପଞ୍ଚାୟତ ଅଫିସର ଜିଆର୍‌ଏସ୍‌ ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ବେ‌ଳେ ଏଭଳି ଘଟଣା ପଦାକୁ ଆସିଛି। ମାତ୍ର ସାଢ଼େ ୮ ହଜାର ଟଙ୍କା ଦରମାରେ ଏତେ ସମ୍ପତ୍ତିର ମାଲିକ କେମିତି ହେଲେ? କେଉଁଠୁ ଏତେ ଟଙ୍କା ଆଣୁଥିଲେ? ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦେଶ କ୍ରମେ ଆଜି ସକାଳୁ ବାବୁଲିଙ୍କ ରଘୁନାଥପୁର ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ କରିଥିଲା। ତିନି ମହଲା ଆଲିସାନ ଘରର ଇଣ୍ଟେରିଅର ଡିଜାଇନ୍‌ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ଘରର ମୂଲ୍ୟ କୋଟିଏ ୨୪ ଲକ୍ଷ ବୋଲି ଆକଳନ କରାଯାଇଛି। ସେହିପରି ତାଙ୍କ ନାଁରେ ୫୯ଟି ପ୍ଲଟ ରହିଛି ଯେଉଁଥିରୁ ୫୮ଟି ପ୍ଲଟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ରହିଛି। ୫୯ଟି ପ୍ଲଟ ଭିତରେ ଭୁବନେଶ୍ୱର ଦାଢ଼ାରେ ଗୋଟିଏ ଆପାର୍ଟମେଣ୍ଟ ରହିଛି। ଏହାର ମୂଲ୍ୟ ୩୨ଲକ୍ଷ ଟଙ୍କାର ବୋଲି ଆକଳନ କରାଯାଇଛି।

ସେହିପରି ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟରେ ଦୁଇ ମହଲା ଘର ଓ କଟକ ବେଲଗାଛିଆରେ ଗୋଟିଏ ପ୍ଲଟ ରହିଛି। ଯାହାର ମୂଲ୍ୟ ଆକଳନ କରିବା ଭିଜିଲାନ୍ସ ପାଇଁ କାଠିକର ପାଠ ହୋଇଛି। ଏହାଛଡ଼ା ପୁଳାପୁଳା ସୁନା ଗହଣା, କାର୍‌, ବାଇକ, ଟଙ୍କା, ବ୍ୟାଙ୍କ ବାଲାନ୍ସ, ଇନ୍‌ସ୍ୟୁରାନ୍ସ ପଲିସି ଆଦିର କାଗଜପତ୍ର ଜବତ ହୋଇଛି। ଆଜି ୩ଜଣ ଡିଏସ୍‌ପି ଓ ୧୦ ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ୬ଜଣିଆ ଟିମ୍‌ ଚଢ଼ଉ କରିଥିଲା। ଏନେଇ ତଦନ୍ତ ଜାରି ଜାରି ରହିଛି। ତେବେ ପୂର୍ବରୁ ବାବୁଲିଙ୍କ ବିରୋଧରେ ଅନେକ ଥର ଲାଞ୍ଚ ନେବାର ଅଭିଯୋଗ ଆସିଥିଲା।
ଅନ୍ୟପଟେ ଭିଜିଲାନ୍ସର ଅଭିଯୋଗକୁ ବାବୁଲି ଖଣ୍ଡନ କରିଛନ୍ତି। ସେ‌ କହିଛନ୍ତି ଯେ, ଏ ସବୁ ତାଙ୍କ ପୈତୃକ ସମ୍ପତ୍ତି। ବାପାଙ୍କ ଦେହାନ୍ତ ପରେ ସମ୍ପତ୍ତି ମା‌ଲିକାନା ତାଙ୍କ ନାମରେ ହୋଇଛି।

ସମ୍ବନ୍ଧିତ ଖବର