ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କଳାରାହଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କୁ ଗିରଫ କରିଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। କଟକ ଭିଜିଲାନ୍ସ ପିଏସ୍‌ କେସ୍‌ ନଂ-୩୧ରେ ରୁଜୁ ହୋଇଥିବା ଏହି ମାମଲାକୁ ନେଇ ତଦନ୍ତ ଜାରି ରହିଛି।

Advertisment

୨୦୦୮ ମସିହାରେ ପ୍ରାଣୀଧନ ନିରୀକ୍ଷକ ଭାବେ ଚାକିରି ଆରମ୍ଭ କରିଥିବା ଜଗନ୍ନାଥ ମାସିକ ୪୦ ହଜାର ଟଙ୍କା ଦରମା ପାଉଥିଲେ। ତେବେ ମାତ୍ର ୧୪ ବର୍ଷର ଚାକିରି କାଳ ମଧ୍ୟରେ ସେ କୋଟିକୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ। ଗତକାଲି ଭିଜିଲାନ୍ସର ୯ଟି ଟିମ୍‌ କଟକ ଓ ଭୁବନେଶ୍ବରର ୯ଟି ସ୍ଥାନରେ ଚଢ଼ଉ କରିଥିଲା। ୯୧ଟି ପ୍ଲଟ୍‌ ଠାବ ହୋଇଥିବା ବେଳେ ତାହା ଏବେ ବଢ଼ି ୯୬ରେ ପହଞ୍ଚିଛି। ଉକ୍ତ ପ୍ଲଟ୍‌ଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ବରରେ ୮୬ ଓ କଟକରେ ୧୦ ପ୍ଲଟ୍‌। ସବୁ ପ୍ଲଟ୍‌ର ମୂଲ୍ୟ ପାଖାପାଖି ୪କୋଟି ହେବ ବୋଲି ଆକଳନ କରାଯାଇଛି।

ଏଥିସହିତ ପଟିଆ ରଘୁନାଥପୁର ଅଞ୍ଚଳରେ ତାଙ୍କର ୭ଟି ଫ୍ଲାଟ୍‌ ସମେତ ମୋଟ ୯ଟି ଫ୍ଲାଟ୍‌ ଓ କଟକରେ ଗୋଟିଏ କୋଠା ରହିଛି। ଭୁବନେଶ୍ୱର ରଘୁନାଥପୁରର ରୟାଲ୍‌ ଲାଗୁନ୍‌ରେ ୫୦ ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟ, ଏହାର ଠିକ୍‌ ପଛ ପଟକୁ ୬ ହଜାର ବର୍ଗଫୁଟ୍‌ର ଏକ ମାର୍କେଟ୍‌ କମ୍ପ୍ଲେକ୍ସ ମଧ୍ୟ ରହିଛି। ଏସବୁର ମୂଲ୍ୟ ଏକ କୋଟି ୪୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ରଘୁନାଥପୁରରେ ୨ ହଜାର ବର୍ଗଫୁଟ୍ ଜମିରେ ଦୁଇ ମହଲା କୋଠାଘର ଏବଂ ୧୫ଶହ ବର୍ଗଫୁଟ୍‌ ଜମିରେ ୧ ମହଲା କୋଠା ଘର ଠାବ ହୋଇଛି।

ରଘୁନାଥପୁରର ରୟାଲ୍‌ ଆର୍‌କେଡ୍‌ରେ ୩୭ ଲକ୍ଷ ଟଙ୍କାର ଥ୍ରି ବିଏଚ୍‌କେ ଫ୍ଲାଟ୍, ଗ୍ରିନ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ଆଉ ଏକ ୩୪ ଲକ୍ଷ ଟଙ୍କାର ଥ୍ରି ବିଏଚ୍‌କେ ଫ୍ଲାଟ୍ ରହିଛି। ଅଳଙ୍କାର ବାବଦରେ ୧୦ ଗ୍ରାମ ହୀରା, ବିଭିନ୍ନ ବ୍ୟାଙ୍କରେ ୫୦୦ ଗ୍ରାମ୍ ସୁନା, ୨୫୦ ଗ୍ରାମ ରୁପା ଅଳଙ୍କାର ସହ ସାଢ଼େ ୩୯ ଲକ୍ଷ ଟଙ୍କାର ବୀମା ଓ ବ୍ୟାଙ୍କ ଜମା, ନାମୀ ଦାମୀ ଘଡ଼ି, ଗୋଟିଏ କାର୍‌ ମିଳିଛି। ଏମିତିରେ ସ୍ଥାବର ଅସ୍ଥାବର ସବୁ ସମ୍ପତ୍ତିର ମୂଲ୍ୟ ୭କୋଟି ୨୧ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଏହା ତାଙ୍କ ରୋଜଗାର ୩୬୫% ଆୟ ବର୍ହିଭୂତ ବୋଲି ଗଣନା କରାଯାଇଛି।

ଜେରା ବେଳେ ଜଗନ୍ନାଥ ଦେଇଥିବା ତଥ୍ୟ ଅନୁସାରେ ସେ ଜମି ଦଲାଲି କରୁଥିଲେ। ସେ ରିଅଲ୍‌ ଇଷ୍ଟେଟ୍‌ରୁ ଟଙ୍କା ରୋଜଗାର କରୁଥିବା କହିଥିଲେ। ତେବେ ରିଅଲ୍‌ ଇଷ୍ଟେଟ୍‌ କାରବାରରେ ପଶିବା ପୂର୍ବରୁ ସେ ଔଷଧ କିଣାବିକାରେ ହେରଫେର୍‌ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି। ରିଅଲ ଇଷ୍ଟେଟ୍‌ କାରବାର କଥା ପଦାକୁ ଆସିବା ପରେ ଭିଜିଲାନ୍ସ ସେଦିଗରେ ଖୋଳତାଡ୍‌ ଆରମ୍ଭ କରିଛି। ତାଙ୍କ ପଛରେ କେଉଁ ବିଲ୍ଡର ସଂସ୍ଥା ଥିଲା? କେଉଁମାନଙ୍କ ସହ ତାଙ୍କର ଆର୍ଥିକ କାରବାର ରହିଛି? ଏନେଇ ତାଙ୍କର ଏବଂ ତାଙ୍କ ଲିଙ୍କ୍‌ରେ ଥିବା କେତେକ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟର ଟ୍ରାଞ୍ଜାକ୍ସନ ଗୁଡ଼ିକୁ ଯାଞ୍ଚ କରୁଛି ଭିଜିଲାନ୍‌ସ। ଆଗକୁ ତାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବା ପାଇଁ ଭିଜିଲାନ୍ସ ତାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି।