ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ୨୦୧୬ ମସିହାରେ ଯେବେ ସ୍ମାର୍ଟ ସିଟିର ମାନ୍ୟତା ପାଇଲା, ସେବେ ଜନପଥ ସହ ଅନ୍ୟ ପ୍ରମୁଖ ରାସ୍ତାକୁ ନୂଆରୂପ ଦିଆଗଲା। ରାସ୍ତାର ଦୁଇପାର୍ଶ୍ବରେ ସାଇକେଲ୍ ଟ୍ରାକ୍ ସହ ସର୍ଭିସ୍ ଲେନ୍, ଭେଣ୍ଡିଂ ଜୋନ୍, ପାଦଚଲା ଲେନ୍, ୟୁଟିଲିଟି କରିଡର୍, ପାର୍କିଂ ଆଦି ବ୍ୟବସ୍ଥା ହେଲା। ଏ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ବି କରାଗଲା। ଯେହେତୁ ‘ମୋ ସାଇକେଲ୍’ ଯୋଜନାକୁ ତତ୍କାଳୀନ ସରକାର ବିଶେଷ ଗୁରୁତ୍ବ ଦେଇଥିଲେ, ବିଦେଶ ଭଳି ସାଇକେଲ୍ ଟ୍ରାକ୍‌ ନିର୍ମାଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା। କିନ୍ତୁ ଏହି ସାଇକେଲ୍ ଟ୍ରାକ୍ ଏବେ ଗୁରୁତ୍ବହୀନ ହୋଇପଡ଼ିଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟ୍ରାକ୍ ସର୍ବସାଧାରଣଙ୍କ ସେବାରେ ଲାଗି ପାରୁନି। ଯେଉଁମାନେ ବି ଟ୍ରାକ୍‌ରେ ସାଇକେଲ୍ ଚଲାଇବାକୁ ଚ‌ାହୁଛନ୍ତି, ପ୍ରତି ଛକରେ ଟ୍ରାକ୍‌ର ପ୍ରବେଶ ପଥରେ ବୋଲାର୍ଡ୍‌ସର ପ୍ରତିବନ୍ଧକରେ ଝୁଣ୍ଟୁଛନ୍ତି।

Advertisment

କାମରେ ଲାଗୁନି ରାଜଧାନୀର ଦାମୀ ସାଇକେଲ୍‌ ଟ୍ରାକ୍‌
ବୋଲାର୍ଡସ୍‌ରେ ଝୁଣ୍ଟୁଛନ୍ତି ଚାଳକ

ସ୍ମାର୍ଟ ସିଟି ଘୋଷଣା ପରେ ରାଜଧାନୀକୁ ସ୍ମାର୍ଟ ରୂପ ଦେବା ପାଇଁ ରାଜ୍ୟ ସରକାର ୨୦୧୬ ଫେବ୍ରୁ୍ଆରିରେ ନୂଆ କରି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ଗଠନ କଲେ। କେବଳ ରାସ୍ତାଘାଟ ନୁହେଁ, ସହରର ଆଲୋକୀକରଣ ବ୍ୟବସ୍ଥା, ସିସିଟିଭି, ଟ୍ରାଫିକ୍ ଭିତ୍ତିଭୂମି ଆଦିକୁ ନୂଆ ରୂପ ଦେବା ଦାୟିତ୍ବ ବି ସ୍ମାର୍ଟ ସିଟି ଉପରେ ନ୍ୟସ୍ତ କରାଗଲା। ସର୍ବସାଧାରଣ ସେବା କୈନ୍ଦ୍ରିକ ବିକାଶକୁ ଗୁରୁତ୍ବ ଦିଆଯାଇଥିଲା। ସ୍ମାର୍ଟ ରୂପ ଦେବାକୁ ଜନପଥକୁ ମଡେଲ୍ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଥିଲା। ପ୍ରାୟ ୧୦୬ କୋଟି ଟଙ୍କା ବିନିମୟରେ ୫.୮ କିଲୋମିଟର ଜନପଥକୁ ନୂଆରୂପ ଦିଆଗଲା। ରାସ୍ତା ଚଉଡ଼ା ହେବା ସହ ରାସ୍ତା ଦୁଇପାର୍ଶ୍ବରେ ଅବ୍ୟବହୃ୍ତ ଓ ଜବରଦଖଲ ଜାଗାକୁ ସର୍ବସାଧାରଣ ବ୍ୟବହାର ଉଦ୍ଦେଶ୍ୟରେ ବିକଶିତ କରାଗଲା। ଯେଉଁଥିରେ ୪.୫ ମିଟର ଚଉଡ଼ାର ସର୍ଭିସ୍ ଲେନ୍ ବା ପାର୍କିଂ, ୦.୭ ମିଟର ୟୁଟିଲିଟି କରିଡର୍, ୨.୫ ମିଟର ସାଇକେଲ୍ ଟ୍ରାକ୍, ୨ ମିଟର ଫର୍ଣ୍ଣିଂସିଂ ଜୋନ୍, ୨.୫ ମିଟର ପାଦଚଲା ରାସ୍ତା, ୩ ମିଟର ଭେଣ୍ଡିଂ ଜୋନ୍ ରୂପରେ ବିକଶିତ କରାଯାଇଥିଲା। ଲେନ୍ ଚିହ୍ନଟ ପାଇଁ ଭିନ୍ନ ଭିନ୍ନ ରଙ୍ଗ ଦିଆଗଲା। ସାଇକେଲ୍ ଟ୍ରାକ୍ ନାଲି ରଙ୍ଗ ହେଲା। ସାଇକେଲ୍ ଚିତ୍ର ଚିହ୍ନିତ ବଡ଼ ବଡ଼ ସୂଚନା ଫଳକ ଟ୍ରାକ୍‌ କଡ଼ରେ ଲଗାଗଲା। ଆରମ୍ଭରୁ ଏହି ଟ୍ରାକ୍‌କୁ ନେଇ କ୍ରେଜ୍ ବି ଦେଖିବାକୁ ମିଳିଥିଲା।

ସରକାର ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସେ ସମୟରେ ‘ମୋ ସାଇକେଲ୍’ ଯୋଜନା ବି ଆରମ୍ଭ କରିଥିଲେ। ଏହି ଯୋଜନାରେ ପ୍ରାୟ ୨ହଜାର ଦାମୀ ସାଇକେଲ୍ କିଣାଯାଇଥିଲା। ହେକ୍ସି କମ୍ପାନିକୁ ୧ହଜାର, ୟେନୋ ଓ ୟୁଲୁ ସଂସ୍ଥାକୁ ୫୦୦ ଲେଖାଏଁ ସାଇକେଲ୍‌ ପରିଚାଳନା ଦାୟିତ୍ବ ଦିଆଯାଇଥିଲା। କିନ୍ତୁ କାମରେ ନ ଲାଗିବାରୁ ‘ମୋ ସାଇକେଲ୍’ ଯୋଜନାରେ କ୍ରୟ ସାଇକେଲ୍‌କୁ କବାଡ଼ିଆ ଦରରେ ବିକି ଦିଆଗଲା। ଏଥିସହ ସାଇକେଲ୍ ଟ୍ରାକ୍‌ର ଭବିଷ୍ୟତ ବି ଅନିଶ୍ଚିତତା ଭିତରକୁ ଠେଲି ହୋଇଗଲା। ପରବର୍ତ୍ତୀ ସମୟରେ ଟ୍ରାକ୍‌କୁ କେହି ଜଗିଲେନି। ଅବ୍ୟବହୃତ ଓ ରକ୍ଷଣାବେକ୍ଷଣ ଅଭାବରୁ କ୍ରମେ ଏହି ଟ୍ରାକ୍‌ରୁ କଂକ୍ରିଟ୍ ଓ ରଙ୍ଗ ଛାଡ଼ିଲାଣି। ଏଣେ ଟ୍ରାକ୍‌ର ପ୍ରତି ପ୍ରବେଶ ପଥରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ବୋଲାର୍ଡ‌୍‌ସ(ଅଳ୍ପ ଉଚ୍ଚର ସିମେଣ୍ଟ ଖୁଣ୍ଟ) ଲଗାଇ ଦେଇଛି। ଫଳସ୍ବରୂପ ସାଇକେଲ୍ ଚଳାଇବା ସମ୍ଭବ ହେଉନାହିଁ। ସାଇକେଲ୍ ନ ଟେକିଲେ ଟ୍ରାକ୍‌ରେ ଗଡ଼ୁନି। ଲୋକେ ଅଭିଯୋଗ କରିଛନ୍ତି, ଅଳ୍ପ କିଛି ଜାଗାରେ ବୋଲାର୍ଡ‌୍‌ସ ଥିଲେ ଅସୁବିଧା ନ ଥିଲା। କିନ୍ତୁ ସବୁ ପ୍ରବେଶ ପଥରେ ଏଭଳି ବୋଲାର୍ଡ‌୍‌ସ ଲଗାଯାଇଛି। ଏଣୁ ପୂର୍ବରୁ ସକାଳ ହେଲେ, ଟ୍ରାକ୍‌ରେ ଯେଉଁଭଳି ମାଳମାଳ ସାଇକେଲ୍ ଗଡ଼ୁଥିଲା, ଆଉ ସେଭଳି ଦେଖିବାକୁ ମିଳୁନି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃ୍ପକ୍ଷ କହିଛନ୍ତି, ଆମେ ଆରମ୍ଭରୁ କୌଣସି ବୋଲାର୍ଡ‌୍‌ସ ଲଗାଇନଥିଲୁ। କିନ୍ତୁ ଚାଳକମାନେ ସାଇକେଲ୍ ଟ୍ରାକ୍‌ରେ ଗାଡ଼ି ପାର୍କିଂ କରିବାରୁ ଆମେ ବୋଲାର୍ଡ‌୍‌ସ ଲଗାଇବାକୁ ବାଧ୍ୟ ହୋଇଥିଲୁ। ବୋଲାର୍ଡ‌୍‌ସର ଉଚ୍ଚତା ଅଳ୍ପ। ସାଇକେଲ୍ ଚାଳକ ଏହା ଉପରେ ସହଜରେ ସାଇକେଲ୍ ଟେକି ନେଇପାରିବେ।