କ୍ୟାପିଟାଲ ରିଜିଅନ୍ ରିଙ୍ଗରୋଡ୍‌ ନେଇ ଅସହମତି! ଏନ୍‌ଏଚ୍‌ଏଆଇ ନକ୍ସାରେ ପୂର୍ତ୍ତ ବିଭାଗ ଅରାଜି

ଭୁବନେଶ୍ବର: ଭୁବନେଶ୍ବର ଓ କଟକ ସହର ଦେଇ ଯାଇଥିବା ଏନ୍‌ଏଚ୍‌-୧୬ର ଭିଡ଼ କମାଇବା ପାଇଁ କ୍ୟାପିଟାଲ ରିଜିଅନ୍ ରିଙ୍ଗରୋଡ୍‌ ନିର୍ମାଣ ହେବ। ଦୀର୍ଘ ୬ବର୍ଷ ଧରି ବିଚାରବିମର୍ଶ ହୋଇ ନକ୍ସା ବଦଳିବା ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନୂଆ ନକ୍ସା ପ୍ରସ୍ତୁତ କରିଛନ୍ତି। କିନ୍ତୁ ଏଥିରେ ପୂର୍ତ୍ତ ବିଭାଗ କେଁ ପୂରାଇଛି।

ଆଜି ପୂର୍ତ୍ତ ସଚିବ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ‌ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିର୍ମାଣ ହେବାକୁ ଥିବା ରିଙ୍ଗ୍‌ରୋଡ୍‌ର ନକ୍ସା ଦେଖାଇଥିଲେ। କିପରି ଏହା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରୁ (ରାମେଶ୍ବର ଛକ ପୂର୍ବରୁ) ବାହାରିବ, ଆଠଗଡ଼, ଅଂଶୁପା, ବାଙ୍କି ହୋଇ ଢେଙ୍କାନାଳ ପୂର୍ବରୁ ଗୋବିନ୍ଦପୁରରେ ବାହାରିବ ଏବଂ ସେଠାରୁ ପୁଣି ରାସ୍ତା ଯାଇ ଟାଙ୍ଗୀ (କଟକ) ନିକଟରେ ହୋଇଥିବା ନୂଆ ଟୋଲ୍‌ ଗେଟ୍‌ ପୂର୍ବରୁ ବାହାରିବ ତାହା କହିଥିଲେ। ଏହି ରାସ୍ତା କୌଣସି ସହର ଭିତରକୁ ଯିବନି, ବରଂ ସହର ବାହାରେ ବାହାରେ ଯିବ ତାହା କହିଥିଲେ। ୧୧୦ କିମିର ଏହି ୬ଥାକିଆ ରାସ୍ତା ହେଲେ ଭାରୀଯାନ ଚଳାଚଳ କିପରି ବ୍ୟବସ୍ଥିତ ହେବ ଏବଂ କଟକ ଓ ପୁରୀକୁ ବାଇପାସ୍‌ କରି ଯାତାୟତ କରିହେବ ତାହା ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ବୁଝାଇଥିଲେ।

ମାତ୍ର ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନକ୍ସାରେ ପୂର୍ତ୍ତ ବିଭାଗ ରାଜି ନାହିଁ। ପୂର୍ତ୍ତ ବିଭାଗ ଏଥିରେ କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଛି। ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପୂର୍ତ୍ତ ବିଭାଗ ପ୍ରସ୍ତାବରେ ରାଜି ନାହାନ୍ତି। ଯେଉଁଥିପାଇଁ ଏହି ବୈଠକରେ କିଛି ନିଷ୍କର୍ସ ବାହାରି ପାରିନାହିଁ। ଏ ନେଇ ରାଜ୍ୟ ସରକାରଙ୍କ ଜଣେ ଅଧିକାରୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ, ଏନ୍‌ଏଚ୍‌ଏଆଇ ରାସ୍ତା ନିର୍ମାଣ କରିବ, ସେମାନେ ନକ୍ସା ପ୍ରସ୍ତୁତ କରୁଛନ୍ତି ‌ସେମାନଙ୍କୁ ପଚାରନ୍ତୁ। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ବୈଠକ ଡାକିଥିଲା। ଆମେ ନକ୍ସା ଦେଖାଇଲୁ। ୬୦ମିଟର ଓସାରିଆ ରାସ୍ତାର ଡିଜାଇନ୍ କହିଲୁ, କେବେ ପ୍ରକ୍ରିୟା ଆରମ୍ଭ ହେବ, କେବେ ସରିବ ତାହା ଜଣାଇଲୁ। ସେମାନେ କ’ଣ ଚାହୁଁଛନ୍ତି ତାଙ୍କୁ ପଚାରନ୍ତୁ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ଏହି ପ୍ରକାରର ଉତ୍ତରରୁ ରିଙ୍ଗରୋଡ୍‌ ନେଇ ପୂର୍ତ୍ତ ବିଭାଗ ସହମତ ନ ଥିବା ବାରି ହୋଇପଡ଼ିଥିଲା। ହେଲେ ଏନ୍‌ଏଚ୍‌ଏଆଇର ନକ୍ସାରେ କ’ଣ ତ୍ରୁଟି ଅଛି, ରାଜ୍ୟ ସରକାର କ’ଣ କରିବାକୁ ଚାହୁଁଛନ୍ତି; ତାହା କହିବାକୁ ପୂର୍ତ୍ତ ବିଭାଗର ଅଧିକାରୀମାନେ ପଛଘୁଞ୍ଚା ଦେବା ପଛରେ କାରଣ କ’ଣ ତାହା ଜଣାପଡ଼ିନି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଥରେ ପୂର୍ତ୍ତ ବିଭାଗ ପ୍ରସ୍ତାବ ଅନୁଯାୟୀ ନକ୍ସା ପ୍ରସ୍ତୁତ ହୋଇଥିବାବେଳେ ଏହାକୁ ଏନ୍‌ଏଚ୍‌ଏଆଇ ପ୍ରତ୍ୟାଖାନ କରିଥିଲା।

ସମ୍ବନ୍ଧିତ ଖବର