ରିଙ୍ଗ୍‌ରୋଡ୍‌ ବାଟ ଫିଟିଲା : ଖୋର୍ଦ୍ଧା ଟାଙ୍ଗୀରୁ ବାହାରି କଟକ ଟାଙ୍ଗୀରେ ଶେଷ ହେବ

୧୦୦ କିମିର ରାସ୍ତା ପାଇଁ ଡିପିଆର୍ ପ୍ରସ୍ତୁତ, ଦୁଇ ବର୍ଷରେ ସରିବ
ଆଜି ଏନ୍‌ଏଚ୍‌ଏଆଇ ଓ ପୂର୍ତ୍ତ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର : ବହୁ ପ୍ରତୀକ୍ଷିତ କ୍ୟାପିଟାଲ ରିଜିଅନ୍ ରିଙ୍ଗ୍‌ରୋଡ୍‌ କେଉଁଠୁ ବାହାରି କେଉଁଠି ଶେଷ ହେବ ତାହା ଚୂଡ଼ାନ୍ତ ହୋଇଛି। ଏନ୍‌ଏଚ୍‌ଏଆଇର ସୂଚନା ଅନୁଯାୟୀ, ଏହି ରିଙ୍ଗରୋଡ୍‌ ଟାଙ୍ଗୀ(ଖୋର୍ଦ୍ଧା)ରୁ ବାହାରି ଟାଙ୍ଗୀ (କଟକ)ରେ ଶେଷ ହେବ। ପ୍ରାୟ ୧୦୦କମିର ଏହି ରିଙ୍ଗ୍‌ରୋଡ୍‌ ପାଇଁ ଡିପିଆର୍‌ ପ୍ରସ୍ତୁତ ହୋଇ ସାରିଛି। ଖୁବ୍‌ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ। ଦୁଇ ବର୍ଷ ଭିତରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ସହ ଗୁରୁବାର ସବିଶେଷ ଆଲୋଚନା ହେବ। ପୂର୍ବରୁ ବାରମ୍ବାର ଏହି ରିଙ୍ଗରୋଡ୍‌ର ନକ୍ସା ବଦଳିବାରୁ ଏ ନେଇ ଟେଣ୍ଡର ହୋଇପାରିନଥିଲା। ଏପରିକି କେତେ ଜମି ଅଧିଗ୍ରହଣ ହେବ ତାହା ଚୂଡ଼ାନ୍ତ ହୋଇପାରି ନ ଥିଲା। କିନ୍ତୁ ଏବେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅନୁମତି ମିଳି ସାରିଥିବାରୁ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଗୁରୁବାର ବୈଠକ ବସିବ। ଏଥିରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଓଡ଼ିଶା ମୁଖ୍ୟ, ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ (ରାସ୍ତା), ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ଜାତୀୟ ରାଜପଥ ) ଯୋଗଦେବେ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର-କଟକ ସହର ଦେଇ ଯାଇଥିବା ଜାତୀୟ ରାଜପଥ-୧୬ର ଭିଡ଼ କମାଇବା ପାଇଁ ୨୦୧୫ରେ ଏହି ରିଙ୍ଗ୍‌ରୋଡ୍‌ର ଯୋଜନା ହୋଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ମିଶି ଏହି ରିଙ୍ଗ୍‌ରୋଡ୍‌ର ନକ୍ସା ପ୍ରସ୍ତୁତ କରିଥିଲେ। ଏଥିରେ ପିତାପଲ୍ଲୀ ଛକରୁ ମଙ୍ଗୁଳି ଛକ ପର୍ଯ୍ୟନ୍ତ ବାଇପାସ୍‌ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିରେ ୪ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ ହୋଇଥାନ୍ତା ଏବଂ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ସହର ପାଖ ପାଳତୋଟାପଡ଼ାରୁ ଚୌଦ୍ୱାର ନିକଟସ୍ଥ ବଉଳା ପର୍ଯ୍ୟନ୍ତ ୬୮ କିଲୋମିଟର ରାସ୍ତା ନିର୍ମାଣ ହୋଇଥାନ୍ତା। ଏହି ରାସ୍ତା କୁଣ୍ଡିଲୋ, ମୁକ୍ତାପୁର, ଅଂଶୁପା, ରାଧାମୋହନପୁର ଦେଇ ବଉଳା ନିକଟରେ ଏନ୍‌ଏଚ୍‌ ୫୫ରେ ମିଶିଥାନ୍ତା । ଦ୍ୱିତୀୟ ପର୍ଯ୍ୟାୟରେ ବଉଳା ପାଖରୁ ରାସ୍ତା ବାହାରି ଏନଏଚ୍‌ ୧୬ରେ ଟାଙ୍ଗୀ ନିକଟସ୍ଥ ବନ୍ଦାଲୋରେ ମିଶିଥାନ୍ତା। ଦ୍ୱିତୀୟ ପର୍ଯ୍ୟାୟ ରାସ୍ତାର ଲମ୍ବ ୨୧ କିମି ରହିଥାନ୍ତା। କିନ୍ତୁ ଏହା ଚୂଡ଼ାନ୍ତ ହୋଇପାରିଲାନି। ଏନ୍‌ଏଚ୍‌ଏଆଇ ଏହି ରାସ୍ତାର ନକ୍ସାକୁ ଅନୁମୋଦନ କଲାନି। ୪ଥାକିଆ ବଦଳରେ ୬ଥାକିଆ ରାସ୍ତା କରିବାକୁ ପ୍ରସ୍ତାବ ଦେଲା ଏବଂ ରାସ୍ତାର ଲମ୍ବ ବଢ଼ାଇଲା। ଏବେ ଏହାକୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟରୁ ବାହାର କରାଯିବ ଏବଂ କଟକ ଜିଲ୍ଲାର ଟାଙ୍ଗୀ ନିକଟରେ ଶେଷ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ପ୍ରଥମରୁ ଏହି ରାସ୍ତା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ନକ୍ସା ପ୍ରସ୍ତୁତ କରିଥିବାରୁ ଏବଂ ଜମି ଅଧିଗ୍ରହଣ ପ୍ରକ୍ରିୟା କରିବାକୁ ନିଷ୍ପତ୍ତି ନେଇଥିବାରୁ ଏବେ ଏନ୍‌ଏଚ୍‌ଏଆଇ ଚୂଡ଼ାନ୍ତ ନକ୍ସା ନେଇ ପୂର୍ତ୍ତ ବିଭାଗ ସହ ଆଲୋଚନା କରିବାକୁ ଯାଉଛି।

ସମ୍ବନ୍ଧିତ ଖବର