ଭୁବନେଶ୍ୱର : ରାଜଧାନୀରେ ଦେଖାଯାଉଥିବା ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଯାତାୟାତକୁ ସହଜ କରିବା ପାଇଁ ବିଡିଏ ପକ୍ଷରୁ କଟକ ଭଳି ରିଂ ରୋଡ୍‌ ନିର୍ମାଣର ଯୋଜନା କରାଯାଇଛି। ହେଲେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଅବହେଳାରୁ ଏହି ଯୋଜନା ଅଧାରେ ଲଟକିଛି।

Advertisment

ବିଡିଏର ମାଷ୍ଟର ପ୍ଲାନ୍‌ ଅନୁଯାୟୀ ଏହି ରିଂ ରୋଡ୍‌ ୬୦ମିଟର ଓସାରରେ ୬୫ କିମି ଲମ୍ବର ହେବାକୁ ଥିବାବେଳେ ଏହା ଉତ୍ତରରେ ନନ୍ଦନକାନନ, ପୂର୍ବରେ ପାହଳ, ଦକ୍ଷିଣରେ ଧଉଳି ଏବଂ ପଶ୍ଚିମରେ ତମାଣ୍ଡୋ ଅଞ୍ଚଳ ଦେଇ ଯିବ। ଏହି ପ୍ରକଳ୍ପ ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏଥିପାଇଁ ୭୬୦ ଏକର ଜମି ଦରକାର। ମାତ୍ର ଆଜି ପର୍ଯ୍ୟନ୍ତ ଏଥିପାଇଁ ଜମି ଅଧିଗ୍ରହଣ ଶେଷ ହୋଇନଥିବାରୁ କିମ୍ବା ଆଖିଦୃଶିଆ ଅଗ୍ରଗତି ହୋଇନଥିବାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମଧ୍ୟ ଏହି ପ୍ରକଳ୍ପକୁ ଅନୁମୋଦନ କରୁନାହାନ୍ତି।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟ ସରକାର ଜମି ଅଧିଗ୍ରହଣ କଲେ ରାସ୍ତା ନିର୍ମାଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। କିନ୍ତୁ ପ୍ରସ୍ତାବିତ ରିଂ ରୋଡ୍‌ ପାଇଁ ଘରୋଇ ଜମି ଅଧିଗ୍ରହଣ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ୬୫କିମିର ରିଂ ରୋଡ୍‌ ପାଇଁ ମୋଟ୍‌ ୭୬୦ ଏକର ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ଏଥିରୁ ୬୯୦ ଏକର ଜମି ଘରୋଇ ଜମି। ଏଥିପାଇଁ ୬୭ଟି ମୌଜାର ପ୍ରାୟ ୫୦ହଜାର ଲୋକଙ୍କ ଜମି ଅଧିଗ୍ରହଣ ହେବାକୁ ଥିବାରୁ ତରବରିଆ ଭାବେ କିଛି ନିଷ୍ପତ୍ତି ନିଆଯାଇ ପାରିବନି। ତେଣୁ ଏହି ଘରୋଇ ଜମି ଅଧିଗ୍ରହଣ ପାଇଁ ବିଡିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଯେଉଁ ଲୋକମାନେ ଜମି ଦେବେ ସେମାନଙ୍କୁ କ୍ଷତିପୂରଣ ବାବଦକୁ ଅର୍ଥ ନଦେଇ ଟିଡିଆର୍‌ (ଟ୍ରାନ୍ସଫରେବଲ୍‌ ଡେଭଲପମେଣ୍ଟ ରାଇଟ୍‌) ସାର୍ଟିଫିକେଟ ଦିଆଯିବ। ଏହି ଟିଡିଆର୍‌ ନିୟମ ଲାଗୁ ହେଲେ ଲୋକଙ୍କୁ ବେସ୍‌ ଏଫ୍‌ଏଆର୍‌ ୨ ପର୍ଯ୍ୟନ୍ତ ନିର୍ମାଣ ପାଇଁ ଟିଡିଆର୍‌ ଆବଶ୍ୟକ ପଡ଼ିବନି। କିନ୍ତୁ ଏଫ୍‌ଏଆର୍‌ ୨.୧ରୁ ୨.୭୫ ପର୍ଯ୍ୟନ୍ତ ଯେଉଁମାନେ ଘର କରିବେ ସେମାନଙ୍କୁ ଟିଡିଆର୍‌ କିଣିବାକୁ ପଡ଼ିବ। ଯାହା ଏହି ଲୋକମାନଙ୍କଠାରୁ ଏବେ କିଣିବାକୁ ହେବ। ବିଭିନ୍ନ ମୌଜା ଅନୁଯାୟୀ ଟିଡିଆର୍‌ ମୂଲ୍ୟ ବଦଳିବ।

ଏହି ଟିଡିଆର୍‌ ସାର୍ଟିଫିକେଟରେ ଯେତିକି ଜମି ଅଧିଗ୍ରହଣ କରାଯାଇଥିବ ତା’ର ଦୁଇଗୁଣା ବିଲ୍ଟ ଅପ୍‌ ଏରିଆ ପାଇଁ ଉକ୍ତ ଲୋକଙ୍କୁ ଅନୁମତି ଦେବାକୁ ଉଲ୍ଲେଖ ରହିବ। ହେଲେ ଏହା ଉକ୍ତ ମୌଜା ପାଇଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଜମିର ବେଞ୍ଚ୍‌ ମାର୍କ ମୂଲ୍ୟ ଅନୁଯାୟୀ ହେବ। ଯଦି ଅନ୍ୟ ମୌଜାରେ ଜମିର ବେଞ୍ଚ୍‌ ମାର୍କ ମୂଲ୍ୟ କମ୍‌ ଥିବ ତେବେ କମ୍‌ ଟିଡିଆର୍‌ ବ୍ୟବହାର ହେବ, ଯଦି ବେଞ୍ଚ୍‌ ମାର୍କ ମୂଲ୍ୟ ଅଧିକ ଥିବ ତେବେ ଅଧିକ ଟିଡିଆର୍‌ ଆବଶ୍ୟକ ହେବ। କିଏ ଟିଡିଆର୍‌ କେତେ ବିକିଲେ, କିଏ ଟିଡିଆର୍‌ କେତେ କିଣିଲେ ତା’ର ରେକର୍ଡ ବିଡିଏ ନିକଟରେ ରହିବ। ବିଡିଏ ବ୍ୟାଙ୍କ ଭଳି ଏହାର ନେଣଦେଣ ତଦାରଖ କରିବ। ଟିଡିଆର୍‌ ସାର୍ଟିଫିକେଟ୍‌ ସଙ୍ଗେସଙ୍ଗେ ଦିଆଯିବ। ହେଲେ ଯେଉଁମାନେ ଟିଡିଆର୍‌ ନ ନେବେ ସେମାନଙ୍କୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଦିଆଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି। ଯଦି ଅର୍ଥ ଦିଆଯିବ ଯେତେବେଳେ ଜମି ଅଧିଗ୍ରହଣ ହେବ ସେତେବେଳେ ଦିଆଯିବ। ସର୍ତ୍ତ ଅନୁଯାୟୀ, ବର୍ତ୍ତମାନ ଦାମ୍‌ ଅନୁସାରେ ଅର୍ଥ ଦିଆଯିବ। ତେଣୁ ଆମେ ଲୋକଙ୍କୁ ଟିଡିଆର୍‌ ସମ୍ପର୍କରେ ସଚେତନ କରିବା ସହ ଜମି ଅଧିଗ୍ରହଣ ଖୁବ୍‌ ଶୀଘ୍ର ଶେଷ କରିବାକୁ ଯୋଜନା କରିଛୁ। ଏନେଇ ତିନି ମାସ ତଳେ ବିଜ୍ଞପ୍ତି ଜାରି ହୋଇଛି। ଯେଉଁମାନଙ୍କର ଜମି ଅଧିଗ୍ରହଣ ହେବ ତାହାର ସବିଶେଷ ବିବରଣୀ ଦିଆଯାଇଛି। ସେମାନଙ୍କର ପ୍ରସ୍ତାବ ଓ ଅଭିଯୋଗ ମିଳିବା ପରେ ଆମେ ଆଗାମୀ ପଦକ୍ଷେପ ନେବୁ।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ଷକ ମଧ୍ୟରେ ୧୩ଟି ରାଜସ୍ୱ ଗ୍ରାମରେ ଥିବା ୫୦.୪୧୬ ଏକର ଜମି ଅଧିଗ୍ରହଣ ହୋଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲାର ୧୨ଟି ରାଜସ୍ୱ ଗ୍ରାମ ଥିବାବେଳେ ପୁରୀ ଜିଲ୍ଲାର ଗୋଟିଏ ରାଜସ୍ୱ ଗ୍ରାମ ଅଛି। ଏଥିରେ ପାହାଳରେ ୬.୩୦୪ ଏକର ଜମି, ଦାଢ଼ାରେ ୫.୫୪୨ ଏକର, ହରିଦାସପୁରରେ ୧୧.୬୬୫ ଏକର, ବାଙ୍ଗୁଆରିରେ ୦.୦୪୬ ଏକର, ମଞ୍ଚେଶ୍ୱରରେ ୦.୯୩୦ ଏକର, ସରଦେଇପୁରରେ ୨.୩୦୨ ଏକର, ଗେଲାପୁରରେ ୫.୫୩୦ ଏକର, ନଖାଉରପାଟଣାରେ ୦.୦୫୪ ଏକର, ବିଜିପୁରରେ ୨.୯୯୯ ଏକର, ଗୋବର୍ଦ୍ଧନପୁରରେ ୨.୩୫୧ ଏକର, ଗୋପୀନାଥପୁରରେ ୪.୧୮୯ ଏକର, ଧଉଳିରେ ୨.୮୨୭ ଏକର, ଉତ୍ତରାଶାସନରେ ୫.୬୭୭ ଏକର ଜମି ଅଧିଗ୍ରହଣ ହୋଇଛି। ଏହି ସବୁ ଅଞ୍ଚଳରେ ଟାଉନ୍‌ ପ୍ଲାନିଂ ସ୍କିମ୍‌କୁ ମଧ୍ୟ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି।

ଯୋଜନା ଅନୁଯାୟୀ, ରିଂ ରୋଡର ପ୍ରାରମ୍ଭିକ କାର୍ଯ୍ୟ ପଳାସୁଣୀ-ଦାଢା ରାସ୍ତା (ଦୟା ଓ୍ଵଷ୍ଟ କେନାଲର ଦକ୍ଷିଣ ପାର୍ଶ୍ୱ ରାସ୍ତା)ରୁ ଆରମ୍ଭ ହେବ। ଏହି ରାସ୍ତାକୁ ୩୦ଫୁଟ (୧୦୦ମିଟର) କରାଯିବ। ୧୩.୩୬କିମି ବିଶିଷ୍ଟ ଏହି ରାସ୍ତାରେ ଯେଉଁ ଆବାସିକ ଜମି ପଡ଼ିବ ତାହାକୁ ଅଧିଗ୍ରହଣ କରାଯିବ। ବଡ଼ ରଘୁନାଥପୁରରୁ ରିଙ୍ଗରୋଡ୍‌ ଭାୟା ଜାଗସରା ୨୦୦ଫୁଟ ରାସ୍ତା ହେବାକୁ ଥିବାବେଳେ ଏଥିରେ ୪.୯୨କିମି ରାସ୍ତା ପାଇଁ ଜମି ଅଧିଗ୍ରହଣ ହେବ। ଏହାପରେ ଅନ୍ୟାନ୍ୟ ଅଞ୍ଚଳ ପାଇଁ ଜମି ଅଧିଗ୍ରହଣ ହେବ।

ଜାତୀୟ ରାଜପଥ କର୍ତ୍ତୃପକ୍ଷ ରିଂ ରୋଡ୍‌ ପ୍ରକଳ୍ପକୁ ଅନୁମୋଦନ ନ କରିବା ନେଇ ଆଞ୍ଚଳିକ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁ ଯୋଜନା ପ୍ରସ୍ତୁତ ହୋଇଛି ତାହାକୁ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟରେ ଦାଖଲ ହୋଇଛି। ମନ୍ତ୍ରଣାଳୟ ଏହା ଉପରେ ଯାହା ନିଷ୍ପତ୍ତି ନେବ। ଆମର କିଛି କରିବାର ନାହିଁ। ଆମକୁ ଯାହା ନିର୍ଦ୍ଦେଶ ଆସିବ ତାହାକୁ କାର୍ଯ୍ୟକାରୀ କରିବୁ।