ରିଙ୍କି ହତ୍ୟା ମାମଲା: ସାମ୍ନାକୁ ଆସିଲା ଜଗନ୍ନାଥର ହ୍ବାଟ୍ସଆପ୍ ମେସେଜ୍, ରିଙ୍କି ମୋତେ ବରବାଦ୍‌ କରିଦେଲା

କ‌ଲେଜରେ ପଢ଼ିଲାବେଳେ ହୋଇଥିଲା ପ୍ରେମ, ସଂପର୍କ ଥିଲା; ଦୂରେଇ ଯିବାରୁ ମାରିଦେଲା!

ଭୁବନେଶ୍ବର: ‘ସମସ୍ତେ ମତେ କ୍ଷମା କରିଦେବ। ମୁଁ ଆଉ ବଞ୍ଚିବାକୁ ଚାହୁଁନି। ଏ ରିଙ୍କି… ଯାହାକୁ ମୁଁ ଭଲ ପାଉଥିଲି, ସେ ମତେ ବରବାଦ୍‌ କରିଦେଲା। ମୁଁ ଆଉ ବଞ୍ଚିବା ପରିସ୍ଥିତିରେ ନ ଥିଲି, ସରି…।’ ଏ ହେଉଛି ରାଜଧାନୀର ଭୀମଟାଙ୍ଗିରେ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ୍ ରିଙ୍କିଙ୍କୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ଜଗନ୍ନାଥ ସାହୁ ନିଜ ଫ୍ୟାମିଲି ହ୍ବାଟସଆପ୍ ଗ୍ରୁପ୍‌ରେ ଛାଡ଼ିଥିବା ଶେଷ ମେସେଜ୍। ସାଙ୍ଗସାଥୀ, ଭାଇଭାଉଜ, ବାପାବୋଉ, ପରିବାର, ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଥିବା ଏହି ଲମ୍ବା ମେସେଜ୍ ଆଜି ସାମ୍ନାକୁ ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଜଗନ୍ନାଥ ମାନସିକ ଭାରସାମ୍ୟ ହରାଇଛି ବୋଲି ଏହି ହ୍ବାଟ୍ସଆପ୍ ମେସେଜ୍‌ରେ ନିଜେ ଉଳ୍ଲେଖ କରିବା ସହିତ ସେ ଯେ ରିଙ୍କିଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହୋଇ ଯାଜପୁରରୁ ଭୁବନେଶ୍ବର ଆସିଥିଲା ତାହା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।

ଅନ୍ୟପକ୍ଷରେ ଏହି ଲୋମଟାଙ୍କୁରା ହତ୍ୟା ମାମଲାରେ ଅଧିକ ତଥ୍ୟ ହାସଲ କରିବା ଲାଗି କମିସନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଯାଜପୁର ଯାଇ ତନାଘନା ଆରମ୍ଭ କରିଛି। ଏହି ଟିମ୍ ଆଜି ଜଗନ୍ନାଥଙ୍କ ଯାଜପୁର ବଡ଼ମଙ୍ଗଳପୁର ଘରେ ପହଞ୍ଚି ମା’ ସାବିତ୍ରୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି। ବୟାନ ରେକର୍ଡ ବେଳେ ସାବିତ୍ରୀ ଗଣମାଧ୍ୟମ ଆଗରେ ପୁଲିସକୁ ସବୁ ତଥ୍ୟ ଦେଇଛନ୍ତି।

ଆଜି ଏ ସଂପର୍କରେ ଡିସିପି ଉମାଶଙ୍କର ଦାସ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ୁଛି ଜଗନ୍ନାଥ ଓ ରିଙ୍କି ପରସ୍ପରକୁ ଜାଣିଥିଲେ। ତେବେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଅଭିଯୁକ୍ତ ‌ଯେଉଁ ଘଟଣା ଘଟାଇଛି ତାହା ଯୋଜନାବଦ୍ଧ ଥିଲା। ମିଳିଥିବା ଚିଠି ଅନୁସାରେ ସେ ପ୍ରଥମେ ରିଙ୍କିଙ୍କ ପୁଅକୁ ହତ୍ୟା କରିଥାନ୍ତା। ହତ୍ୟାର ରହସ୍ୟ ଉନ୍ମୋଚନ ଲାଗି ଖୁବଶୀଘ୍ର ଏହି ଟିମ୍ ଯାଜପୁର ଯାଇ ଜଗନ୍ନାଥ ଓ ରିଙ୍କିଙ୍କ ସଂପର୍କୀୟମାନଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଗନ୍ନାଥକୁ ଏବେ ହସ୍ପିଟାଲର ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ସେ ସୁସ୍ଥ ହେଲେ ତା’ର ସମ୍ପୂର୍ଣ୍ଣ ବୟାନ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି।

କ‌ଲେଜରେ ପଢ଼ିଲାବେଳେ ହୋଇଥିଲା ପ୍ରେମ

ବିବାହ ପୂର୍ବରୁ ଧର୍ମଶାଳା ଥାନା ବଡ଼ମଙ୍ଗଳପୁର ଗ୍ରାମରେ ରହୁଥିବା ନମକରା ଗ୍ରାମର ଧ୍ରୁବଚରଣ ପ୍ରଧାନଙ୍କ ପୁଅ ଜଗନ୍ନାଥ ପ୍ରଧାନ ଓ ରିଙ୍କିଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ପ୍ରେମ ସଂପର୍କ। ରିଙ୍କି ବ୍ରହ୍ମବରଦା କଲେଜରେ ପଢୁଥିବା ବେଳେ ଜଗନ୍ନାଥ ଜାରକା କଲେଜରେ ପଢୁଥିଲେ। ରିଙ୍କି ଘର ବନ୍ଧଡିହ ନିକଟରେ ଜଗନ୍ନାଥଙ୍କ ସାଙ୍ଗ ଘର ଥିବାରୁ ଜଗନ୍ନାଥ ଯିବାଆସିବା କରିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ଗଢି ଉଠିଥିଲା। ଏପରିକି ପାଠ ପଢିବା ସମୟରେ ଉଭୟ ପରସ୍ପରକୁ ବିବାହ କରିବାକୁ ଅଡ଼ି ବସିଥିଲେ। ମାତ୍ର ଉଭୟ ପରିବାର ବୁଝାସୁଝା କରି ଦୁହିଁଙ୍କୁ ବାରଣ କରିଥିଲେ। ଏହା ମଧ୍ୟରେ ରିଙ୍କିଙ୍କର ରାଜେଶଙ୍କ ସହିତ ବିବାହ ହୋଇଯାଇଥିଲା। ତେବେ ବିବାହ ପରେ ମଧ୍ୟ ଉଭୟ ‌ପରସ୍ପରକୁ ଫୋନ ଓ ଚାଟିଂ କରୁଥିଲେ ବୋଲି ଜଣାପଡ଼ିଛି।

ଶୋକାକୁଳ ପରିବେଶରେ ହେଲା ରିଙ୍କିଙ୍କ ଶବ ସତ୍କାର
ରିଙ୍କିଙ୍କର ଶବ ଆଜି ତାଙ୍କ ଶାଶୂଘର ଗାଁ କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ମହମ୍ମଦନଗରରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ‌େର ଅନ୍ତିମ ସତ୍କାର କରାଯାଇଥିଲା। କାନ୍ଦବେ‌‌ାବାଳିରେ ଫାଟି ପଡ଼ିଥିଲା ଗାଁ। ଏହି ସମୟରେ ବାପଘର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଜଗନ୍ନାଥ ଓ ରିଙ୍କିଙ୍କ ଗାଁକୁ ଆଜି ଭୁବନେଶ୍ବର କମିସନରେଟ୍‌ ପୁଲିସ୍ ପହଞ୍ଚି ଛାନଭିନ୍ କରିଥିଲା। ପରିବାର ସଦସ୍ୟମାନଙ୍କୁ ଜଗନ୍ନାଥ ଓ ପିଙ୍କିଙ୍କ ସମ୍ପର୍କ ବିଷୟରେ ଅନେକ ତଥ୍ୟ ହାସଲ କରିବା ସହିତ ଜଗନ୍ନାଥଙ୍କ ସାନଭାଇ ସୁଦର୍ଶନ ପ୍ରଧାନଙ୍କର ମୋବାଇଲକୁ ପୁଲିସ ଜବତ କରିଛି। ଏଥିରୁ ଅଧିକ କିଛି ତଥ୍ୟ ପୁଲିସ ହାସଲ କରିବାର ସମ୍ଭାବନା ରହିଛି।

ସଂପର୍କ ଥିଲା; ଦୂରେଇ ଯିବାରୁ ମାରିଦେଲା!

ମା’ଙ୍କୁ ମୁଣ୍ଡ ଛୁଆଇଁ କହିବାକୁ ମନା କରିଥିଲା ଜଗନ୍ନାଥ
ପୁଅକୁ ଅପରାଧ ଘଟାଇବାରୁ ଅଟକାଇ ପାରିଲିନି

ଭୁବନେଶ୍ବର: ସେମାନଙ୍କ ସମ୍ପର୍କ ବହୁ ବର୍ଷର। ବିବାହ ପୂର୍ବରୁ ରିଙ୍କି ଓରଫ୍ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କ ସହ ମୋ ପୁଅ ଜଗନ୍ନାଥର ଥିଲା ସମ୍ପର୍କ। ରିଙ୍କି ବିବାହ କରିବା ପରେ ପୁଅ ସବୁ ସମ୍ପର୍କ ତୁଟାଇ ଦେଇଥିଲା। କହିଥିଲା, ଯାଉ ସେ ତା’ର ଯୋଉଠି ଭଲରେ ରହିବ। ଏମିତିକି ଚାକିରି କରିବା ପାଇଁ ବେଙ୍ଗାଲୁରୁ ପଳାଇଥିଲା। ସେଠାରେ କିଛିଦିନ କାମ କରି ଗଲାବର୍ଷ ଲକ୍‌ଡାଉନ୍ ବେଳେ ପୁଣି ଘରକୁ ଫେରିଥିଲା। କିଛି ପ୍ରୋବ୍ଲେମ କରି ନ ଥିଲା। କିନ୍ତୁ ରିଙ୍କିଙ୍କର ପୁଅ ହେଲା ପରେ ସେ ତା ଆଡ଼ୁ ଫୋନ୍ କରିଥିଲା। ଭାଙ୍ଗି ଯାଇଥିବା ସମ୍ପର୍କ ଯୋଡ଼ି ହୋଇ ଯାଇଥିଲା। ଏହି ସମ୍ପର୍କ ଆହୁରି ନିବିଡ଼ ହୋଇ ଯାଇଥିଲା। ମୋତେ ମୁଣ୍ଡ ଛୁଆଁଇ କାହାକୁ କିଛି କହିବାକୁ ମନା କରି ଦେଇଥିଲା। କାଲି ଖବର ମିଳିଲା ବେଳକୁ ସବୁ ଶେଷ ହୋଇ ଯାଇଥିଲା। ପୁଅକୁ ଏହି ଅପରାଧ ଘଟାଇବାରୁ ବଞ୍ଚାଇ ପାରିଲିନି। ଏମିତି କୋହଭରା କଣ୍ଠରେ ଆଜି ଗଣମାଧ୍ୟମ ଆଗରେ ସବୁକଥା‌ କହିଛନ୍ତି ଅଭିଯୁକ୍ତ ଜଗନ୍ନାଥର ମା ସାବିତ୍ରୀ ପ୍ରଧାନ। ସାବିତ୍ରୀଙ୍କ ଆହୁରି କହିଛନ୍ତି ଯେ ଉଭୟଙ୍କ ସମ୍ପର୍କ ଥିବା କଥା ସେ ଜାଣିଥିଲେ। କିନ୍ତୁ ଜଗନ୍ନାଥଙ୍କ ରାଣ ଖାଇବା ସହ ପୁଅ ତା’ର ମୁଣ୍ଡ ଛୁଆଁଇ ଏକଥା କାହା ଆଗରେ ନ କହିବା ପାଇଁ କହିଥିଲା। ତାର କଣ ଅସୁବିଧା ହେଲା ଯେ ସେ ଏପରି ନିଷ୍ପତ୍ତି ନେଲା? ଯଦି ଆଗରୁ କିଛି କହିଥାନ୍ତା, କି ଆମେ ଜାଣିଥାନ୍ତୁ, ତାହେଲେ କିଛି ଗୋଟେ କରିପାରିଥାନ୍ତୁ।

ସାବିତ୍ରୀଙ୍କ ବୟାନରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଉଭୟ ରିଙ୍କି ଓ ଜଗନ୍ନାଥଙ୍କ ମଧ୍ୟରେ ପୁଣି ଥରେ ସମ୍ପର୍କ ଯୋଡ଼ି ହେବା ସେମାନେ ପରସ୍ପର ନିକଟତର ହେବାକୁ ଲାଗିଥିଲେ। ହୁଏତ ଏ କଥା ରିଙ୍କିଙ୍କର ନିକଟ ସମ୍ପର୍କୀୟ ଜାଣି ସାରିଥିଲେ। ଏହାକୁ ନେଇ ରିଙ୍କିଙ୍କ ପାରିବାରିକ ବିବାଦ ରହିଥିଲା ବୋଲି ଗତକାଲି ଜଣେ ସମ୍ପର୍କୀୟ ଗଣମାଧ୍ୟମକୁ କହିଥିଲେ। ତେଣୁ ରିଙ୍କି ପ୍ରାୟ ତିନି ମାସ ହେଲା ଜଗନ୍ନାଥଙ୍କୁ ନିଜ ଜୀବନରୁ ଦୂରେଇ ଦେଇଥିଲେ। ଆଉ ସମ୍ପର୍କ ରଖିବା ପାଇଁ ବାରଣ କରିଥିଲେ। ସେ ଜଗନ୍ନାଥଙ୍କର କୌଣସି ଫୋନ୍ କଲ୍ ଉଠାଉ ନ ଥିଲେ କିମ୍ବା ତାଙ୍କ ସହ ଯୋଗାଯୋଗରେ ରହୁ ନ ଥିଲେ। ଯାହାକୁ ନେଇ ଜଗନ୍ନାଥ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲା ଏବଂ ରିଙ୍କି ଓ ତାଙ୍କ ପୁଅଙ୍କୁ ଜୀବନରୁ ମାରି ଦେବାକୁ ନିଷ୍ପତ୍ତି ନେଇଥିଲା ବୋଲି ଅନୁମାନ କରାଯାଉଛି। ସୁଇସାଇଡ୍ ନୋଟ୍ ଓ ହ୍ବାଟସଆପ୍ ମେସେଜରୁ ମଧ୍ୟ ଏ କଥା ସ୍ପଷ୍ଟ ହେବାରେ ଲାଗିଛି। ତେବେ ଜଗନ୍ନାଥ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ବୟାନରୁ ପୂରା ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ରିଙ୍କିଙ୍କ ସ୍ବାମୀ, ଶ୍ବଶୁର ଓ ବାପା ଜଗନ୍ନାଥଙ୍କୁ ଚିହ୍ନି ନ ଥିବା ପୁଲିସକୁ ସୂଚନା ଦେଇଛନ୍ତି।

ପୁଲିସକୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ, ଆଗ ପୁଅକୁ ହତ୍ୟା‌ କରିବାକୁ ଯୋଜନା କରିଥିଲା ଜଗନ୍ନାଥ

ଭୁବନେଶ୍ବର: ଭୀମଟାଙ୍ଗି ହାଉସିଂବୋର୍ଡରେ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ୍ ରିଙ୍କିଙ୍କୁ ହତ୍ୟା କରି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଆତ୍ମହତ୍ୟା କରିବା ଘଟଣାରେ କମିସନରେଟ ପୁଲିସକୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ରିଙ୍କିଙ୍କର ତିନି ବର୍ଷର ପୁଅକୁ ପ୍ରଥମେ ହତ୍ୟା କରିବାକୁ ଯୋଜନା କରିଥିଲା ଜଗନ୍ନାଥ। ଏହା ପରେ ରିଙ୍କିଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିବାକୁ ପୂରା ପ୍ରସ୍ତୁତ ହୋଇ ଆସିଥିଲା। ଅଭିଯୁକ୍ତର ହାତଲେଖା ସୁଇସାଇଡ୍ ନୋଟ୍ ଓ ତାକୁ ଜେରା ବେଳେ ଏଭଳି ତଥ୍ୟ ପାଇଛି ପୁଲିସ। ତେବେ ରିଙ୍କିଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିବା ଜଗନ୍ନାଥ ତିନି ବର୍ଷର ନିଷ୍ପାପ ଶିଶୁପୁତ୍ରକୁ କାହିଁକି ରାସ୍ତାରୁ ହଟାଇବା ପାଇଁ ଚେଷ୍ଟା କରୁଥିଲା? ସମ୍ଭବତଃ ସେ ସ୍ତ୍ରୀ ଓ ପୁଅକୁ ମାରି ସ୍ବାମୀ ରାକେଶଙ୍କ ସଂସାରକୁ ଛାରଖାର କରିଦେବା ପାଇଁ ଯୋଜନା ରଖିଥିଲା। ଏସବୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ପ୍ରେମ, ପ୍ରତାରଣାରୁ ଜଗନ୍ନାଥ ପ୍ରତିଶୋଧ ନେବାକୁ ଯାଇ ଏଭଳି କାଣ୍ଡ ଭିଆଇଛି।

ଦ୍ବିତୀୟ ଥର ପାଇଁ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ତନାଘନା
ଫୋରେନସିକ୍ ଲାବୋରେଟାରିକୁ ପଠାଗଲା ରକ୍ତଲଗା ସୁଇସାଇଡ୍ ନୋଟ୍
କଲ୍ ଓ ମେସେଜ୍ ପ୍ରମାଣ ପାଇଁ ହ୍ବାଟସଆପକୁ ଚିଠି ଲେଖିବ ପୁଲିସ

ଅନ୍ୟପକ୍ଷରେ ପୁଲିସ ଆଜି ଦ୍ବିତୀୟ ଥର ପାଇଁ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ହତ୍ୟାକାଣ୍ଡସ୍ଥଳରୁ ପୁଲିସ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରିଛି। ରକ୍ତ ଲଗା କିଛି ସାମଗ୍ରୀ, ସିନ୍ଦୂର ଫରୁଆ, ଅଭିଯୁକ୍ତ ସାଙ୍ଗରେ ଆଣିଥିବା ସାମଗ୍ରୀ ଏବଂ ରକ୍ତଲଗା ସୁଇସାଇଡ ନୋଟ୍‌କୁ ଜବତ କରି ଫୋରେନସିକ୍ ଲାବୋରେଟାରିକୁ ପଠାଯାଇଛି। ସେଠାରେ ହ୍ୟାଣ୍ଡ ରାଇଟିଂ ବ୍ୟୁରୋ ଦ୍ବାରା ସୁଇସାଇଡ୍‌ ନୋଟକୁ ଯାଞ୍ଚ କରାଯିବ। ଯାହାକି ଅଭିଯୁକ୍ତ ବିରୋଧରେ ବଡ଼ ପ୍ରମାଣ ହେବ। ଏହାଛଡ଼ା ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ରିଙ୍କିଙ୍କ ସ୍ବାମୀ ରାକେଶଙ୍କୁ କରିଥିବା ହ୍ବାଟ୍‌ସଆପ୍ କଲ୍, ପଠାଇଥିବା ଫଟୋ ଓ ଫ୍ୟାମିଲି ଗ୍ରୁପରେ ଛାଡ଼ିଥିବା ହ୍ବାଟ୍‌ସଆପ୍ ମେସେଜ୍‌ର ପ୍ରମାଣ ସଂଗ୍ରହ ପାଇଁ ପୁଲିସ ହ୍ବାଟସଆପ୍‌କୁ ଚିଠି ଲେଖିବ ବୋଲି ଜଣାପଡ଼ିଛି।

 

 

ସମ୍ବନ୍ଧିତ ଖବର