ରିଙ୍କୁ ସ୍ବାଇଁ ହତ୍ୟା ମାମଲା: ବର୍ଷେ ପରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଶିକନ

୫ ଗିରଫ, ଏୟାରଗନ୍‌, ବାଇକ୍‌ ଜବତ

ଭୁବନେଶ୍ବର: ସାଲିଆସାହି ରିଙ୍କୁ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଶୁଭରାଜ ମହାରାଣା ଓରଫ୍ ଶିକନକୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ। ଗତ ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମ କରୁଥିବା ବେଳେ ଖୋର୍ଦ୍ଧା ନିକଟସ୍ଥ ବରୁଣେଇ ନିକଟରୁ ତାକୁ ଗିରଫ କରାଯାଇଛି। ତା’ ସୂଚନାକୁ ଆଧାର କରି ଅନ୍ୟ ୪ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଆଜି ଅପରାହ୍‌ଣରେ ସମସ୍ତ ୫ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କଠାରୁ ଏକ ଏୟାରଗନ୍‌ ସହ ବାଇକ୍‌ ଜବତ କରାଯାଇଛି। ଅନ୍ୟ ଚାରିଜଣ ଅଭିଯୁକ୍ତ ହେଲେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବଳରାମ ବାରିକ, କଟକ କେନ୍ଦ୍ବପଲ୍ଲୀର ସୌମ୍ୟରଂଜନ ମହାପାତ୍ର, ଗଞ୍ଜାମ ବିଷ୍ଣୁଚକ୍ରର ଗଣେଶ ବେହେରା, ବାଲେଶ୍ବର ଖନ୍ତାପଡ଼ାର ଅଚ୍ୟୁତାନନ୍ଦ ଦାସ। ଏମାନେ ସମସ୍ତେ ସାଲିଆସାହିରେ ରୁହନ୍ତି।

ଶିକନ ନାମରେ ଆଠଗଡ଼, ଖଣ୍ଡଗିରି, ଗୁରୁଡ଼ିଝାଟିଆ ଆଦି ଥାନାରେ ଲୁଟ୍, ବୋମା ମାଡ଼, ହତ୍ୟା ଉଦ୍ୟମ ଭଳି ୧୧ରୁ ଊର୍ଦ୍ଧ୍ବ ମାମଲା ରହିଛି। ଗତବର୍ଷ ଚନ୍ଦକା ନିକଟରେ ୧୦ ଲକ୍ଷ ଟଙ୍କା ଲୁଟ୍‌ ମାମଲାରେ ଧରା ପଡ଼ି ଜେଲ୍‌ ଯାଇଥିଲା। ଜାମିନ୍‌ରେ ଫେରିବା ପରେ ରିଙ୍କୁକୁ ବୋମା ପକାଇ ହତ୍ୟା କରିଥିଲା। ତା’ର ଜଣେ ପ୍ରମୁଖ ସହଯୋଗୀ ଥିଲା ଚନ୍ଦନ ଦେହୁରୀ। ସେ ଏବେ ଚୌଦ୍ବାର ଜେଲ୍‌ରେ ଅଛି। ଉଭୟ ରାଜପଥ ଓ ସହରର ବିଭିନ୍ନ ସ୍ଥାନରେ ବନ୍ଧୁକ ଦେଖାଇ ଲୁଟ୍‌ କରୁଥିଲେ। ଆବଶ୍ୟକ ପଡ଼ିଲେ ଗୁଳି ଓ ବୋମାମାଡ଼ ମଧ୍ୟ କରୁଥିଲେ। ଗୋଟିଏ ସହରରେ ଅପରାଧ ଘଟାଇବା ପରେ ସେହି ସହରରୁ ଅନ୍ୟତ୍ର ପଳାଉଥି‌‌ଲେ। ବଡ଼ କଥା ହେଉଛି, ସେମାନେ ମୋବାଇଲ ବ୍ୟବହାର କରୁନଥିଲେ। ଏଣୁ ପୁଲିସ ପତ୍ତା ପାଉନଥିଲା। ଚନ୍ଦନ ଏକ ହତ୍ୟା ଉଦ୍ୟମ ମାମଲାରେ କଟକରୁ ଗିରଫ ହୋଇ ଜେଲ୍‌ ଯିବା ପରେ ଶିକନ ଏହି ଅଭିଯୁକ୍ତମାନଙ୍କୁ ସାଙ୍ଗରେ ରଖି ଅପରାଧ ଘଟାଉଥିଲା।

ସୂଚନା ମୁତାବକ, ସାଲିଆସାହିରେ ଥିବା ସୁନାମି କ୍ଲବକୁ ନେଇ ସଦସ୍ୟମାନେ ଦୁଇ ଗୋଷ୍ଠୀ ହୋଇ ଯାଇଥିଲେ। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଭିତରେ ପୂରାଇ ଦେଉନଥିଲା। ଏଥିପାଇଁ ଉଭୟ ଗୋଷ୍ଠୀ ଅନେକଥର ମୁହାଁମୁହିଁ ହୋଇଥିଲେ। ଏହି କ୍ଲବ୍‌ର ରିଙ୍କୁ ସ୍ବାଇଁକୁ ଶିକନ ଟାର୍ଗେଟ୍‌ କରିଥିଲା। ଗତବର୍ଷ ମେ’ ୨୯ରେ ଭୋଜି ଖାଇ ରିଙ୍କୁ ବାଣୀବିହାରରୁ ଫେରିବା ବେଳେ ଶିକନ ଓ ଅନ୍ୟ ୧୦ ଜଣ ତା’ ଉପରକୁ ବୋମାମାଡ଼ କରିଥିଲେ। ଗୁରୁତର ରିଙ୍କୁକୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜୁନ୍‌ ୨ ତାରିଖରେ ତାର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସେତେବେଳେ ପୁଲିସ ସନ୍ତୋଷ ରେଡ୍ଡୀ ଓ ବିକ୍ରମ ରେଡ୍ଡୀକୁ ଗିରଫ କରିଥିବା ବେଳେ ଏମାନେ ଫେରାର୍‌ ଥିଲେ। ବିଭିନ୍ନ ଜାଗା ବଦାଳାଇ ପୁଲିସଠାରୁ ଲୁଚି ଛପି ରହୁଥିଲେ। ନୂଆପଲ୍ଲୀ ଥାନାର ନବନିଯୁକ୍ତ ଇନ୍‌ସ୍‌ପେକ୍ଟର ଭରତ ସାହୁ କେତେକ ପୁରୁଣା ଅପରାଧୀଙ୍କ ପିଛା କଲା ବେଳେ ଶିକନ ଲୁଟ୍‌ ଉଦ୍ୟମ କରି ଭୁବନେଶ୍ବର ଆସୁଥିବା ଖବର ପାଇଥିଲେ। ଖୋର୍ଦ୍ଧାରୁ ଭୁବନେଶ୍ବର ଆସୁଥିବା ବେଳେ ବରୁଣେଇ ନିକଟରେ ତାକୁ ମାଡ଼ି ବସିଥିଲେ। ଏଥିରେ ଆଉ ୩ ଜଣ ଅଭିଯୁକ୍ତ ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର