ଭୁବନେଶ୍ବର: ଲୁଟେରାଙ୍କ ସହ ସଂଘର୍ଷ କରି ଲହୁଲୁହାଣ ହେବା ସହ ଜଣଙ୍କୁ କାବୁ କରିଥିବା ରାଜଧାନୀର ବୁଲେଟ୍ ରାଣୀ ରିନୁ ଡାକୁଆଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ତାଙ୍କର ଏଭଳି ସାହସିକତା ପାଇଁ ଆଜି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା ରିନୁଙ୍କ ଖଣ୍ଡଗିରି ସରକନ୍ତରାସ୍ଥିତ ଘରକୁ ଯାଇ ରିନୁଙ୍କୁ ଉତ୍ତରୀୟ, ସିଲଡ୍ ଦେଇ ସମ୍ମାନିତ କରିଛନ୍ତି।
ଆଜି ଅପରାହ୍ନ ପ୍ରାୟ ୨ଟାରେ ମହିଳା କମିସନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ଓ ଅନ୍ୟ ସଦସ୍ୟମାନେ ରିନୁଙ୍କ ଘରେ ପହଞ୍ଚିଥିଲେ। ଲୁଟେରାଙ୍କ ସହ ସଂଘର୍ଷରେ ଆହତ ହୋଇଥିବା ରିନୁଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଘଟଣା ଦିନ ସେ କେମିତି ଲୁଟେରାଙ୍କ ମୁକାବିଲା କରିଥିଲେ ସେ ସମ୍ପର୍କରେ ମଧ୍ୟ ପଚାରିଥିଲେ। ଶ୍ରୀମତୀ ବେହେରା କହିଛନ୍ତି ରିନୁଙ୍କ ଏହି ଦୁଃସାହସିକ କାର୍ଯ୍ୟ ପାଇଁ ସେ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ଯେଉଁଭଳି ଭାବେ ଲଢେଇ କରିଛନ୍ତି ତାହା ପ୍ରଶସଂନୀୟ। ଲୁଟେରାଙ୍କ ସହ ଲଢ଼େଇ କରିବା ସମୟରେ ଆହତ ହୋଇଥିବା ରିନୁ ଏଯାଏ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି। ପ୍ରତିଦିନ ଚିକିତ୍ସା ଲାଗି ତାଙ୍କୁ ଏମ୍ସକୁ ନିଆଯାଉଛି। ମୁହଁରେ ଆଘାତ ଲାଗିଥିବାରୁ ଠିକ୍ ଭାବେ କଥାବାର୍ତ୍ତା ମଧ୍ୟ କରିପାରୁ ନାହାନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା ଜାରି ରହିଛି ବୋଲି କହିଛନ୍ତି ପରିବାର ଲୋକ।
ସୂଚନାଯୋଗ୍ୟ, ଗତ ୨୭ ତାରିଖ ରାତିରେ ରିନୁ ବୁଲେଟ ଚଳାଇ ନିଜ ଘରକୁ ଫେରୁଥିବା ବେଳେ ଡୁମୁଡୁମା ନଗର ଅଟୋଷ୍ଟାଣ୍ଡ ନିକଟରେ ଦୁଇ ଜଣ ଲୁଟେରା ପିଛା କରି ତାଙ୍କର ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ। ତେବେ ରିନୁ ବୁଲେଟରେ ଉଭୟଙ୍କ ପିଛା କରିଥିଲେ ଏବଂ ଚଳନ୍ତା ଗାଡିରେ ଲୁଟେରାଙ୍କ ସହ ସଂଘର୍ଷ କରି ବାଇକ୍ରୁ ତଳେ ପଡ଼ିଗଲେ ମଧ୍ୟ ଜଣେ ଲୁଟେରାକୁ ମାଡ଼ି ବସିଥିଲେ। ଗାଡ଼ିରୁ ପଡ଼ିଯିବା ଏବଂ ଲୁଟେରାଙ୍କୁ ରିନୁ କାବୁ କରିବା ସମୟରେ ରିନୁ ଲହୁଲୁହାଣ ହୋଇ ଯାଇଥିଲେ। ରିନୁଙ୍କ ଏଭଳି ସାହସିକତାପୂର୍ଣ୍ଣ କାର୍ଯ୍ୟକୁ ପୁଲିସ କମିସନର ମଧ୍ୟ ପ୍ରଶଂସା କରିଛନ୍ତି ଏବଂ କମିସନରେଟ ପୁଲିସ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦେଇଛନ୍ତି।