ଭୁବନେଶ୍ୱର: ମେଳଣ ପଡ଼ିଆରେ ଗାଡ଼ି ପାର୍କିଂ ଭଳି ସାମାନ୍ୟ କଥାକୁ ନେଇ ଗତକାଲି ବିଳମ୍ବିତ ରାତିରେ ତମାଣ୍ଡୋ ଥାନା ଅନ୍ତର୍ଗତ ବଡମହୁରା ଗାଁରେ ଘଟିଛି ସଂଘର୍ଷ। ଖଣ୍ଡା ଚୋଟରେ ଦୁଇ ଭାଇ ମନୋଜ ମହାରଥୀ ଓ ପରମେଶ୍ବର ମହାରଥୀ ଗୁରୁତର ହୋଇଛନ୍ତି। ଆକ୍ରମଣକାରୀ ସେହି ଗାଁର ଜ୍ୟୋତି ପଶ୍ଚିମକବାଟ ଓ ସରୋଜ ପଶ୍ଚିମକବାଟ ଫେରାର୍ ହୋଇଯାଇଛନ୍ତି। ତମାଣ୍ଡୋ ଥାନା ପୁଲିସ ମାମଲା ରୁଜୁ କରି ଦୁଇ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ଖବର ଅନୁଯାୟୀ ଗତକାଲି ବଡ଼ମହୁରା ଗାଁରେ ଭଗବତ ମେଳଣ ଅବସରରେ ଯାତ୍ରା ଚାଲିଥିଲା। ସେହି ଗାଁର ପରମେଶ୍ବର ମହାରଥୀ ବାଇକ୍ ଯୋଗେ ଗାଁ ମୁଣ୍ଡ ମେଳଣ ପଡ଼ିଆକୁ ଯାଇଥିଲେ। ସେଠାରେ ଗାଡ଼ି ପାର୍କିଂକୁ କେନ୍ଦ୍ର କରି ସେହି ଗାଁର ଜ୍ୟୋତି ପଶ୍ଚିମକବାଟ ଓ ସରୋଜ ପଶ୍ଚିମକବାଟଙ୍କ ସହିତ ପରମେଶ୍ବରଙ୍କର ବଚସା ହୋଇଥିଲା ଓ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଜ୍ୟୋତି, ସରୋଜ ଓ ସେମାନଙ୍କର ଅନ୍ୟ ସହଯୋଗୀମାନେ ମିଶି ପରମେଶ୍ବରଙ୍କୁ ମାଡ଼ ମାରିଥିଲେ। ବଡ଼ଭାଇକୁ ମାଡ଼ ହେଉଥିବା ଦେଖି ପରମେଶ୍ବରଙ୍କ ସାନ ଭାଇ ମନୋଜ ଆକ୍ରମଣକାରୀମାନଙ୍କୁ ପ୍ରତିରୋଧ କରିଥିଲେ।
ପରେ ପରେ ଗାଁର ମୁରବିମାନେ ଉଭୟ ପକ୍ଷକୁ ବୁଝାସୁଝା କରି ବିବାଦର ସମାଧାନ କରିଦେଇଥିଲେ। ମାତ୍ର ଜ୍ୟୋତି ଓ ସରୋଜଙ୍କ ରାଗ ଶାନ୍ତ ହୋଇନଥିଲା। ସେମାନେ ମେଳଣ ପଡ଼ିଆରୁ ଫେରି ବାଟରେ ଛକି ରହିଥିଲେ। ପରମେଶ୍ବର ଓ ମନୋଜ ଘରକୁ ଫେରୁଥିବା ବେଳେ ଏକ ଅନ୍ଧାରିଆ ସ୍ଥାନରେ ଛକି ରହିଥିବା ଜ୍ୟୋତି ଓ ସରୋଜ ଅତର୍କିତ ଭାବେ ସେମାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଖଣ୍ଡା ଚୋଟରେ ସେମାନଙ୍କ ହାତ ଓ ଶରୀରରେ ଗଭୀର କ୍ଷତ ହୋଇଥିଲା। ପାଟି ଶୁଣି ମେଳଣ ପଡ଼ିଆରୁ ଲୋକେ ଧାଇଁ ଆସିବାରୁ ଜ୍ୟୋତି ଓ ସରୋଜ ସେଠାରୁ ପଳାଇଥିଲେ। ଗାଁ ଲୋକେ ଆହତ ଦୁଇ ଭାଇଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରିଥିଲେ। ଖବର ପାଇ ତମାଣ୍ଡୋ ଥାନା ପୁଲିସ ମହୁରାରେ ପହଞ୍ଚିବା ବେଳକୁ ଆକ୍ରମଣକାରୀ ଦୁଇ ଭାଇ ଫେରାର୍ ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/36-18.jpg)