ଭୁବନେଶ୍ବର: ରାଜଧାନୀରେ ପୁଣି ଦେଖିବାକୁ ମିଳିଛି ଦୁର୍ବୃତ୍ତଙ୍କ ଉତ୍ପାତ। ଗତ ସପ୍ତାହରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଆଜି ରାତିରେ ସେମିତି ଏକ ଘଟଣା ଘଟିଛି ସତ୍ୟବିହାରରେ। ଏକ କାର୍‌ରେ ଆସିଥିବା ୫ଜଣ ଦୁର୍ବୃତ୍ତ ଜଣେ ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ଯବାନଙ୍କ ଘରେ ପଶି ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ସେମାନେ ଯବାନ ଓ ତାଙ୍କ ଭଡ଼ାଟିଆଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ପାଟିଶୁଣି ସ୍ଥାନୀୟ ଲୋକେ ଘେରିଯିବାରୁ ଦୁର୍ବୃତ୍ତମାନଙ୍କ ଯୋଜନା ପଣ୍ଡ ହୋଇଛି। କାର୍‌ ଛାଡ଼ି ୪ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ଲୋକେ ଜଣକୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ଘଟଣା ପଛର କାରଣ ସ୍ପଷ୍ଟ ହୋଇନାହିଁ। ଅଟକ ଯୁବକକୁ ପୁଲିସ ପଚରାଉଚରା କରିବା ସହ ଫେରାର ହୋଇଯାଇଥିବା ୪ଜଣଙ୍କୁ ଧରିବାକୁ ଚଢ଼ଉ ଆରମ୍ଭ କରିଛି। ସଂଜ ବୁଡ଼ୁବୁଡ଼ୁ ଅପରାଧୀମାନେ ଘରକୁ ପଶି ଯାଉଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ଏବଂ ଘଟଣାକୁ ନେଇ ରାଜଧାନୀରେ ଆଲୋଡନ ସୃଷ୍ଟି ହୋଇଛି। 
ରାତି ପ୍ରାୟ ୮ଟା। ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ଯବାନ ଦୟାନିଧି ବାରିକଙ୍କ ଘର ସମ୍ମୁଖରେ ଲାଗିଲା ଏକ ନାଲିରଙ୍ଗର କିଆ କାର୍‌(ଓଡି୦୨ସିଏକ୍ସ-୩୬୮୭)। ନମ୍ବର ପ୍ଲେଟ୍‌ରେ ଗୋବର କିମ୍ବା କାଦୁଅ ଲଗାଯାଇଥିଲା। କାର୍‌ରୁ ୫ଜଣ ଯୁବକ କଲିଂ ବେଲ୍ ଟିପିଲେ। ତଳ ମହଲାରେ ଭଡ଼ାରେ ରହୁଥିବା ଜଣେ ଯୁବକ ବାହାରି ଆସିଥିଲେ। ସେ ଗେଟ୍‌ ଖୋଲିବା ମାତ୍ରେ ମୁଖା ପିିନ୍ଧା ଦୁର୍ବୃତ୍ତମାନେ ତାଙ୍କୁ ଧକ୍କା ମାରି ଭିତରକୁ ଧସେଇ ପଶିଥିଲେ। ଯୁବକଜଣକ ପାଟି କରିବାରୁ ସେମାନେ ତାଙ୍କୁ ମାଡ଼ମାରି ଚୁପ୍‌ ରହିବାକୁ ଧମକ ଦେଇଥିଲେ। କିନ୍ତୁ କୌଶଳକ୍ରମେ ଯୁବକଜଣକ ବାହାରକୁ ଧାଇଁଆସି ପାଟି କରିଥିଲେ। ପାଟି ଶୁଣି ଉପରମହଲାରେ ରହୁଥିବା ଦୟାନିଧି ବାହାରକୁ ଆସି ଘଟଣା କ’ଣ ବୁଝିବାକୁ ଚେଷ୍ଟା କରିଥିଲେ। ଘରେ ଦୁର୍ବୃତ୍ତମାନେ ପଶିଯାଇଥିବା ଜାଣି ସେ ତୁରନ୍ତ ଏକ ରଡ୍‌ ଧରି ଦୁର୍ବୃତ୍ତମାନଙ୍କୁ ମୁକାବିଲା କରିବାକୁ ଆଗେଇ ଆସିଥିଲେ। ସେ ରଡ୍‌ରେ ପିଟିବାକୁ ଗୋଡ଼ାଇବାରୁ ଦୁର୍ବୃତ୍ତମାନେ ତାଙ୍କୁ ଧକ୍କା ମାରି ବାହାରକୁ ଚାଲିଆସିଥିଲେ। ସେତେବେଳକୁ ଭଡ଼ାରେ ଥିବା ଯୁବକଙ୍କ ଡାକ ଶୁଣି ସ୍ଥାନୀୟ ଲୋକେ ଘେରିଯାଇଥିଲେ। ତେଣୁ ଦୁର୍ବୃତ୍ତମାନେ ଆଖିବୁଜା ଦୌଡ଼ିଦୌଡ଼ି ଏକ ନିର୍ମାଣାଧୀନ ଘରେ ପଶିଯାଇଥିଲେ। ଲୋକେ ଅନ୍ଧା‌ର ଯୋଗୁ ଭ୍ରରେ ସେମାନଙ୍କ ପାଖକୁ ନ ଯାଇ ପୁଲିସକୁ ଜଣାଇଥିଲେ। କିିନ୍ତୁ ସେତେବେଳକୁ ମଞ୍ଚେଶ୍ବର ଥାନା ପିସିଆର୍‌ ସେଠାରେ ପହଞ୍ଚିଯାଇଥିଲା। ପୁଲିସ ଓ ସ୍ଥାନୀୟ ଲୋକେ ମିଳିତ ଭାବେ ଉକ୍ତ ଘରକୁ ଘେରିବା ଦେଖି ୪ ଦୁର୍ବୃତ୍ତ ଉକ୍ତ ଘରକୁ ଲାଗିଥିବା ଏକ ନାଳ ଡେଇଁ ପଙ୍କ କାଦୁଅରେ ଦୌଡ଼ିଥିଲେ। କିନ୍ତୁ ଜଣେ ଯାଇପାରି ନଥିଲା। ପଙ୍କ କାଦୁଅରେ ଦୌଡ଼ୁଥିବା ଦୁର୍ବୃତ୍ତମାନଙ୍କୁ ସ୍ଥାନୀୟ ଯୁବକମାନେ ପିଛା କରିଥିଲେ ହେଁ ଧରିପାରିନଥିଲେ।