ବାଲିପାଟଣା: ଆଜି ବାଲିପାଟଣା ଆଳିସି ପଞ୍ଚାୟତ ଦନାପଡ଼ା ଗହୀରରେ ନିଆଁ ଲାଗି ୧୦ ଏକରରୁ ଅଧିକ ପାଚିଲା ଧାନ ଜମି ପୋଡ଼ି ପାଉଁଶ ହୋଇଯାଇଛି। ବାଲିପାଟଣା ଅଗ୍ନିଶମ ବାହିନୀର ୨ଟି ଗାଡ଼ି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ ହେଁ ୧୦ ଏକର ଜମିର ପାଚିଲା ଧାନ ପୂରା ପୋଡ଼ିଜଳି ପାଉଁଶ ହୋଇଯାଇଛି। ଜଣେ ଚାଷୀ ବିଲରୁ ଧାନ ଅମଳ କରି ସାରି ପାଳ ପୋଡ଼ୁଥିବା ବେଳେ ପାଖ ଜମିକୁ ନିଆଁ ଝୁଲ ଉଡ଼ିବାରୁ ଏହି ଅଘଟଣ ଘଟିଛି। କ୍ଷତିଗ୍ରସ୍ତ ଚାଷୀମାନଙ୍କ ଅଭିଯୋଗ ପାଇ ବାଲିପାଟଣା ଥାନା ପୁଲିସ ପାଳ ପୋଡ଼ୁଥିବା ଚାଷୀଙ୍କୁ ଅଟକ ରଖିଛି। କ୍ଷତିଗ୍ରସ୍ତ ଚାଷୀମାନେ ହେଲେ ଗୁଣ୍ଡିଚା ଭୋଇ, ବାସୁଦେବ ଭୋଇ, ଜଗବନ୍ଧୁ ଭୋଇ, ମଇନ ଭୋଇ, ସୁରେନ୍ଦ୍ର ମିଶ୍ର, ଗଉ ଭୋଇ, କାଶୀନାଥ ଭୋଇ, ବାବୁଲା ଭୋଇ, କାବୁଲା ଭୋଇ, ମହେନ୍ଦ୍ର ବେହେରା ଓ କାହ୍ନୁ ଚରଣ ସେଠୀ। ଧାରକରଜ କରି ବର୍ଷସାରା ଅକ୍ଳାନ୍ତ ପରିଶ୍ରମ ବଳରେ ଧାନ ଫଳାଇଥିବା ଏହି ଚାଷୀମାନେ ଖଳାକୁ ଆଣିବା ବେ‌ଳକୁ ଏଭଳି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି।

Advertisment

ସୂଚନାନୁସାରେ ଦନାପଡ଼ା ଦଳିତସାହିର ବାଇଧର ଭୋଇ ତାଙ୍କ ଜମିରୁ ଧାନ ଅମଳ କରି ସାରିଥିଲେ। ମେସିନ୍‌ରେ ଧାନ ଅମଳ କରିବା ପରେ ବିଲ ସାରା କୁଟା ପଡ଼ିଥିଲା। ଆଜି ମଧ୍ୟାହ୍ଣରେ ବାଇଧର ପାଳରେ ନିଆଁ ଲଗାଇ ଜଗି ରହିଥିଲେ। କିନ୍ତୁ ଶୁଖିଲା ପାଳ ଜଳିବା ଦ୍ବାରା ନିଆଁ ଭୟଙ୍କର ରୂପ ନେଇଥିଲା ଏବଂ ପବନ ଯୋଗୁଁ ପାଖ ବିଲକୁ ମାଡ଼ିଯାଇଥିଲା। ନିଆଁକୁ ଆୟତ୍ତ କରିବା ବାଇଧରଙ୍କ ପକ୍ଷେ ସମ୍ଭବ ହୋଇନଥିଲା। ଲୋକେ ଘଟଣାସ୍ଥଳକୁ ଧାଇଁ ଆସିବା ବେଳକୁ ନିଆଁ ବହୁ ବିଲକୁ ବ୍ୟାପୀ ସାରିଥିଲା ଏବଂ ପବନ ସହ ମାଡ଼ିଯାଉଥିବା ନିଆଁ ପାଖକୁ ଯିବାକୁ କାହାର ଜୁ’ ନଥିଲା। ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ୧୦ ଏକରରୁ ଅଧିକ ବିଲରେ ପାଚିଲା ପାଉଁଶ ହୋଇସାରିଥିଲା। ଆଳିସି ସରପଞ୍ଚ ସୁଶାନ୍ତ ବଳିଆ ସ୍ଥାନୀୟ ଅଦଲାବାଦ ଆର୍‌ଆଇଙ୍କୁ ସୂଚନା ଦେବା ପରେ ସେ କ୍ଷୟକ୍ଷତି ଆକଳନ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ଗରିବ ଓ ଅଧିକାଂଶ ଭାଗଚାଷୀ ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।