ଚିନ୍ତା ବଢ଼ାଇଲାଣି କରୋନାର ଦ୍ବିତୀୟ ଲହର, ସମସ୍ତଙ୍କ ସହଯୋଗରେ ଏ ଯୁଦ୍ଧ ଜିତିପାରିବା: ଡା. ମନୋଜ ସାହୁ

ଭୁବନେଶ୍ବର: ଦିନକୁ ଦିନ କରୋନାର ଦ୍ବିତୀୟ ଲହରି ସାରା ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖୁବ୍ ତତ୍ପରତା ଅବଲମ୍ବନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୩ହଜାର ଟପିଥିବା ବେଳେ ଭୂତାଣୁ ରୂପ ବଦଳାଉଥିବାରୁ ପ୍ରଥମେ ଚିହ୍ନଟ କରି ହେବନାହିଁ ବୋଲି ଲାଗୁଥିଲେ ମଧ୍ୟ ବର୍ତ୍ତମାନ ଏହା ସମ୍ଭବ ହୋଇପାରିଛି। ଭାରତରେ ଗତ ୧୦ ଦିନ ମଧ୍ୟରେ ସଂକ୍ରମଣ ସଂଖ୍ୟା ଦ୍ବିଗୁଣିତ ହେବା ସମସ୍ତଙ୍କର ଚିନ୍ତା ବଢ଼ାଇଥିବା ବେଳେ, ସରକାର ଏକୁଟିଆ ଚାହିଲେ ଆମେ ଏ ଯୁଦ୍ଧ ଜିତିପାରିବୁ ନାହିଁ। ସମସ୍ତଙ୍କ ସହଯୋଗରେ ଆମେ ଏ ଯୁଦ୍ଧ ଜିତିପାରିବା ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ମନୋଜ କୁମାର ସାହୁ।

ଦ୍ବିତୀୟ ଲହରରେ ଶୀଘ୍ର ଲକ୍ଷଣ ଆସୁଥିବା ଏବଂ ଶୀଘ୍ର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ନଷ୍ଟ ହେଉଥିବା ଜଣାଇ ମୁକାବିଲା ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ସୁରକ୍ଷିତ ରହିବାକୁ ଦୁଇଟି ‘ଭି’ ଭାକସିନ୍, ଭେଣ୍ଟିଲେସନ ଏବଂ ୩ଟି ‘ଟି’ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟ‌ମେଣ୍ଟର ଆବଶ୍ୟକତା ରହିଛି ବୋଲି ଡା. ସାହୁ କହିଛନ୍ତି ।

ଦ୍ବିତୀୟ ଲହରରେ ୧ରୁ ୫ ବର୍ଷ ଶିଶୁଙ୍କୁ ଅଧିକ ସଂକ୍ରମଣ ହେଉଥିବା ବେଳେ ଭାରତରେ ୨୦ରୁ ୪୦ ବର୍ଷର ବ୍ୟକ୍ତି ମଧ୍ୟ ବହୁମାତ୍ରାରେ ସଂକ୍ରମିତ ହେଉଛନ୍ତି। କିନ୍ତୁ ସରକାରଙ୍କ ଦ୍ୱାରା କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଟିକାକରଣ କରାଯାଉଛି, ଯାହା ଯଥେଷ୍ଟ ନୁହେଁ ଓ ଅଧିକ ଟିକା ଉତ୍ପାଦନକୁ ଗୁରୁତ୍ୱ ଦେବା ନେଇ ଡା. ସ‌ାହୁ କହିଛନ୍ତି। ବର୍ତମାନ ଭାରତରେ ମାତ୍ର ୧.୧ପ୍ରତିଶତ ଲୋକଙ୍କୁ ଟିକାକରଣ କରାଯାଇ ପାରିଥିବା ବେଳେ ସିରମ ଇନଷ୍ଟିଚ୍ୟୁଟ୍‌ ଏବଂ ଭାରତ ବାୟୋଟେକ୍ ଇନଷ୍ଟିଚ୍ୟୁଟ ଟିକା ପ୍ରସ୍ତୁତ କରୁଛନ୍ତି। ସିରମ୍‌ ଇନଷ୍ଟିଚ୍ୟୁଟ ଗୋଟିଏ ମାସରେ ୭୦ମିଲିୟନ ଟିକା ପ୍ରସ୍ତୁତ କରିପାରୁଥିବା ବେଳେ, ଭାରତ ବାୟୋଟେକ ୧୦ମିଲିୟନ ଟିକା ପ୍ରସ୍ତୁତ କରିପାରୁଛି। ମାତ୍ର ଆମକୁ ଦୈନିକ ୩୫ ଲକ୍ଷ ହାରରେ ମାସକୁ ୧୦ କୋଟି ଟିକାର ଆବଶ୍ୟକତା ରହିଛି। ତେଣୁ ସରକାର ଟିକା ପ୍ରସ୍ତୁତି ଏବଂ ଆମଦାନି ଉପରେ ଗୁରୁତ୍ୱ ଦେଇ ସବୁ ବର୍ଗର ଲୋକଙ୍କୁ ଟିକାକରଣ କରାଇବା ଆବଶ୍ୟକ ବୋଲି ଡା. ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର