ଆଗକୁ ଶିଶୁଙ୍କ ପ୍ରତି ବିପଦ ବଢ଼ିପାରେ

ଭୁବନେଶ୍ବର : କରୋନାର ସମ୍ଭାବ୍ୟ ତୃତୀୟ ଲହରର ଭୟ ସମସ୍ତଙ୍କୁ ଚିନ୍ତା‌ରେ ପକାଇଛି। ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଅତିକମ୍‌ରେ ଗୋଟିଏ ଟିକା ଦିଆ ସରିଲାଣି। ମାତ୍ର ୧୮ବର୍ଷରୁ କମ୍ ବର୍ଗ ପାଇଁ ଏବେ ଟିକା ବାହାରିନାହିଁ। ତେଣୁ ଆଗକୁ ୧୮ବର୍ଷରୁ କମ୍ ପିଲାମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଥିବା ରାଜ୍ୟ ସରକାର ଚେତାଇଛନ୍ତି।

ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି, ଗତମାସ ୨୧ତାରିଖରେ ପିଆଇବିରୁ ଆସିଥିବା ବୁଲେଟିନ୍ ଅନୁସାରେ ସାରା ଦେଶରେ ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି। ହେଲେ କମ୍ ସଂଖ୍ୟାରେ ଶିଶୁ ଗୁରୁତର ହେଉଛନ୍ତି। ୧୮ବର୍ଷରୁ ଅଧିକ ଲୋକ ପ୍ରାୟ ସମସ୍ତେ ଟିକା ନେଇ ସାରିଲେଣି। ତେଣୁ ଶିଶୁଙ୍କୁ କରୋନା ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି। ଏଥିପାଇଁ ଶିଶୁଙ୍କୁ ସୁରକ୍ଷିତ ପରିସରରେ ରଖିବାକୁ ହେବ। ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ସହିତ ନିୟମିତ ସାନିଟାଇଜ କରାଯିବା ଜରୁରୀ। ‌ତେବେ ସଂକ୍ରମଣ ଉପରମୁହାଁ ହେଲେ କୌଣସି ଲହର ଆସିଲା ‌ବୋଲି କୁହାଯାଇ ପାରିବ। ମାତ୍ର ରାଜ୍ୟରେ ଏବେ ସେମିତି ଅବସ୍ଥା ନାହିଁ ବୋଲି ପ୍ରଫେସର ମହାନ୍ତି କହିଛନ୍ତି।

ରାଜ୍ୟରେ ଦୈନିକ ସଂକ୍ରମଣ ହଜାରରେ ଏକପ୍ରକାର ସ୍ଥିର ରହିଛି। ମାତ୍ର ଗତ ୨୪ଘଣ୍ଟାରେ ରାଜ୍ୟରେ ହଜାରେରୁ କମ୍ ୮୬୮ ଆକାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ରହିଛି ୧.୪ ପ୍ରତିଶତ। ହେଲେ ଖୋର୍ଧା ଓ କଟକ ସଂକ୍ରମଣ ତାଲିକାରେ ଶୀର୍ଷରେ ରହିଛନ୍ତି। ଖୋର୍ଧାରୁ ୨୫୬ ଓ କଟକରୁ ୧୫୪ ଆକ୍ରାନ୍ତ ବାହାରିଛନ୍ତି। ବାଲେଶ୍ବର ୫୨, ଯାଜପୁର ୪୮, ସମ୍ବଲପୁର ୩୯, ମୟୂରଭଞ୍ଜ ୨୮, ଅନୁଗୁଳ-କେନ୍ଦ୍ରାପଡ଼ାରେ ୨୬ ଲେଖାଏଁ, ଜଗତସିଂହପୁର ୨୩ ଓ ଷ୍ଟେଟ୍‌ ପୁଲରୁ ୫୪ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୯୫ ହଜାର ୪୩୩କୁ ବୃଦ୍ଧି ପାଇଛି।

ଗତ ଜୁଲାଇ ମାସଠାରୁ ରାଜ୍ୟରେ ବଳକା କୋଭିଡ ମୃତ୍ୟୁ ଘୋଷଣା ଜାରି ରହିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଉ ୬୬ଜଣ କ‌ରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା କରାଯାଇଛି। ଏଥିରେ ସମ୍ବଲପୁର ୧୨, କଟକ ୮, ଅନୁଗୁଳ ୭, ବାଲେଶ୍ବର-ଢେଙ୍କାନାଳ ୫ଲେଖାଏଁ , ବରଗଡ଼, ଭଦ୍ରକ, ଜଗତସିଂହପୁର, ଖୋର୍ଧାରୁ ୪ ଲେଖାଏଁ, ଗଞ୍ଜାମ, କଳାହାଣ୍ଡି, କେନ୍ଦ୍ରାପଡ଼ା, ସୋନପୁରରେ ୨ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୯୫୩କୁ ବୃଦ୍ଧି ପାଇଛି।

ସୋମବାର ରାଜ୍ୟରେ ୧୧୬୭ କରୋନା ରୋଗୀ ସୁସ୍ଥ ହୋଇଥିବା ସରକାରୀ ସୂଚନା ଦିଆଯାଇଛି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୦୨୦କୁ ଖସି ଆସିଛି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ସମୁଦାୟ ୯ଲକ୍ଷ ୭୯ ହଜାର ୪୦୭କୁ ବୃଦ୍ଧି ପାଇଛି। ଖୋର୍ଧାରେ ସର୍ବାଧିକ ୩ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର