ମୋବାଇଲ୍‌ରେ ବ୍ୟାଙ୍କ୍‌ ତଥ୍ୟ ରଖିବା ବିପଦ

ଭୁବନେଶ୍ବର: କରୋନା ପରଠୁ ଶିକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି ସରକାରୀ କ୍ଷେତ୍ର, ବିଭିନ୍ନ ଜିନିଷ କିଣିବା ତଥା ସାମାଜିକ ଗଣମାଧ୍ୟମର ବ୍ୟବହାର ବଢ଼ିଛି। ସବୁ ଜିନିଷ ଅନଲାଇନ୍ ମାଧ୍ୟମରେ ହେଉଥିବାରୁ ଟଙ୍କା କାରବାର ମଧ୍ୟ ବିଭିନ୍ନ ଆପ୍ଲିକେସନ୍ ମାଧ୍ୟମରେ ୟୁପିଆଇ ଦ୍ବାରା କରାଯାଉଛି। ତେଣୁ ଲୋକେ ଅନଲାଇନ୍‌ରେ ବ୍ୟାଙ୍କ୍ ତଥ୍ୟ ରଖିବାକୁ ବାଧ୍ୟ ହେଉଛନ୍ତି। ଏହି ସୁଯୋଗରେ ସାଇବର ଠକ ଲୋକଙ୍କ ମୋବାଇଲ୍‌ରୁ ବ୍ୟକ୍ତିଗତ ତଥ୍ୟଠୁ ଆରମ୍ଭ କରି ବ୍ୟାଙ୍କ୍ ତଥ୍ୟ ଚୋରି କରିବା ପରେ ଆକାଉଣ୍ଟ୍‌ରୁ ଟଙ୍କା ଚୋରି କରୁଛନ୍ତି।

ବଡ଼କଥା ହେଉଛି, ପିଲାମାନେ ପାଠ ପଢ଼ିବା ସମୟରେ ମୋବାଇଲ୍‌ରେ ଗେମ୍ ଖେଳିବାଠୁ ଆରମ୍ଭ କରି ମନୋରଂଜନ ପାଇଁ ବିଭିନ୍ନ ଆପ୍ ବ୍ୟବହାର କରୁଛନ୍ତି। ଆଉ ଗେମ୍ ସମେତ ଅନ୍ୟ ଆପ୍‌ ଗୁଡ଼ିକର ସିକ୍ୟୁରିଟି ଫିଚର୍ ନଥିବାରୁ ମୋବାଇଲ୍‌ରେ ଥିବା ତଥ୍ୟ ସହଜରେ ଚୋରି ହେଉଛି। ଯାହା ଦ୍ବାରା ସାଇବର ଠକ ଆକାଉଣ୍ଟ ହ୍ୟାକ୍ କରି ଲୋକଙ୍କ ଟଙ୍କା ଚଳୁ କରୁଛନ୍ତି। ଏନେଇ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ ପାଠ ପଢ଼ିବା ପାଇଁ ପିଲାମାନେ ସ୍ମାର୍ଟଫୋନ୍ ଓ ଅନ୍ୟାନ୍ୟ ଇଲୋକ୍ଟ୍ରୋନିକ୍ ଯନ୍ତ୍ରାଂଶ ସହ ସର୍ବାଧିକ ସମୟ ଅତିବାହିତ କରୁଛନ୍ତି।

ଇଣ୍ଟରନେଟ୍‌ରେ ଗେମ୍ ଖେଳିବା ଠୁ ଆରମ୍ଭ କରି ପର୍ଣ୍ଣୋଗ୍ରାଫି ପର୍ଯ୍ୟନ୍ତ ସବୁ ପ୍ରକାରର ସାଇଟ୍ ପର୍ଯ୍ୟନ୍ତ ପହଞ୍ଚିବାକୁ ବ୍ୟବସ୍ଥା ରହିଛି। ତେଣୁ ପିଲାମାନେ ଏସବୁ ବ୍ୟବହାର କରିବା ସମୟରେ ସାଇବର ଠକକୁ ସବୁ ତଥ୍ୟ ଦେଉଛନ୍ତି। ତେଣୁ ମୋବାଇଲ୍ ବ୍ୟବହାର ସମୟରେ ସେମାନେ ଯେମିତି ସୁରକ୍ଷିତ ଆପ୍ଲିକେସନ୍ ବ୍ୟବହାର କରିବେ, ସେ ନେଇ ଅଭିଭାବକମାନେ ଦୃଷ୍ଟି ଦେବା ଆବଶ୍ୟକ। ଏହା ସହିତ ପିଲାମାନେ ବ୍ୟବହାର କରୁଥିବା ମୋବାଇଲ୍‌ରେ ବ୍ୟାଙ୍କ୍ ତଥ୍ୟ ବା ଟଙ୍କା ଟ୍ରାଞ୍ଜାକ୍‌ସନ୍ ପାଇଁ କୌଣସି ଆପ୍ଲିକେସନ୍ ନ ରଖିବାକୁ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି।

ଗେମ୍ ଓ ଅଣସମ୍ବେଦନଶୀଳ ଆପ୍ ମାଧ୍ୟମରେ ଚୋରି ହେଉଛି ତଥ୍ୟ
ପବ୍ଲିକ୍ ଵାଇଫାଇ ବି ଅସୁରକ୍ଷିତ
ପିଲାଙ୍କ ମୋବାଇଲ୍ ବ୍ୟବହାର ସମୟରେ ଅଭିଭାବକ ନଜର ରଖନ୍ତୁ: ମନ୍ତ୍ରୀ
ଗୃହ ବିଭାଗର କେବେ ନିଦ ଭାଙ୍ଗିବ?

ଅପରପଟେ ରାଜ୍ୟରେ ସାଇବର ଅପରାଧୀ ନିୟମିତ ଲୋକଙ୍କୁ ଟାର୍ଗେଟ କରିଛନ୍ତି। ଗତ ଅଗଷ୍ଟ ମାସରେ କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବ ଆର୍ ଭିନିଲ୍ କ୍ରିଷ୍ଣାଙ୍କ ନାଁରେ ନକଲି ହ୍ବାଟ୍ସଆପ୍ ଆଇଡି ତିଆରି କରାଯାଇଥିଲା। ଉକ୍ତ ଆଇଡିକୁ ବ୍ୟବହାର କରି ସାଇବର ଠକ ଲୋକଙ୍କୁ ହ୍ବାଟ୍ସଆପ୍‌ରେ ଆମାଜନ୍ ପେ ଗିଫ୍ଟ ନଚେତ ଟଙ୍କା ପଠାଇବାକୁ କହିଥିଲା। ଏନେଇ ଆଇଏଏସ୍ ଭିନିଲ୍ କ୍ରିଷ୍ଣା ଭୁବନେଶ୍ବର ସାଇବର୍ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଇତି ମଧ୍ୟରେ ମାସେ ବିତିଥିଲେ ବି ସାଇବର ଥାନା ପୁଲିସ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନାହିଁ। କେବଳ ଭିନିଲ୍ କ୍ରିଷ୍ଣାଙ୍କ କ୍ଷେତ୍ରରେ ନୁହେଁ, ଅଗ୍ନିଶମ ବିଭାଗର ଡିଜି ସନ୍ତୋଷ ଉପାଧ୍ୟାୟ ଓ ସମ୍ବଲପୁର ଭିଜିଲାନ୍ସର ଏସ୍‌ପି ସାରା ଶର୍ମାଙ୍କୁ ବି ଛାଡ଼ିନାହାନ୍ତି ସାଇବର ଠକ। ସାମାଜିକ ଗଣମାଧ୍ୟମରେ ଆକାଉଣ୍ଟ୍ କ୍ଲୋନିଂ କରି ଲୋକଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଶ୍ରୀ ଉପାଧ୍ୟାୟଙ୍କ କ୍ଷେତ୍ରରେ ମଧ୍ୟ ସାଇବର ଠକ ନକଲି ହ୍ବାଟ୍ସଆପ୍ ଜରିଆରେ ଟଙ୍କା ମାଗୁଥିବା ଜଣାପଡ଼ିଛି।

କେବଳ ବରିଷ୍ଠ ପ୍ରଶାସନିକ ଅଧିକାରୀ କି ସାଧାରଣ ଲୋକ ନୁହେଁ, ପୂର୍ବରୁ ତତ୍‌କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ସାଇବର୍ ଠକ। ହେଲେ ଏ କ୍ଷେତ୍ରରେ ବି ଓଡ଼ିଶା ପୁଲିସ ଅଭିଯୁକ୍ତ ପାଖରେ ପହଞ୍ଚିବାରେ ଅସମର୍ଥ ହୋଇଥିଲା। ଠକ ଧରିବା ଦୂରର କଥା କେଉଁଠୁ ବସି ସାଇବର୍ ଠକ ଏହି ଠକେଇ ଅପରେସନ୍ କରୁଛି, ତାହା ବି ପର୍ଦ୍ଦାଫାସ୍ କରିପାରିନଥିଲା ପୁଲିସ। ସେହିଭଳି ଗତବର୍ଷରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୯୦ ସାଇବର ବିଶେଷଜ୍ଞକୁ ବି ପୁଲିସରେ ନିଯୁକ୍ତି ଦିଆଯାଇନାହିଁ। ରାଜ୍ୟରେ କାମ କରୁଥିବା ୧୪ ସାଇବର ଥାନାରେ ଏଯାବତ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ମାଳମାଳ ଅବ୍ୟବସ୍ଥା ଓ ଦୁର୍ବଳ ଭିତ୍ତିଭୂମି ଯୋଗୁଁ ସାଇବର ଠକଙ୍କୁ ଧରାଯାଇପାରୁନଥିବା ପୁଲିସ କହୁଛି।

ସମ୍ବନ୍ଧିତ ଖବର