କ୍ୟାପିଟାଲ ହସ୍ପିଟାଲରେ ନୂତନ ଆରକେଏସ୍‌ କମିଟି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ନୂତନ ରୋଗୀ କଲ୍ୟାଣ ସମିତି (ଆରକେଏସ୍‌) କମିଟି ଗଠନ କରାଯାଇଛି। ପ୍ରତି ୨ବର୍ଷ ଥରେ ଏହି କମିଟି ପୁନର୍ଗଠନ ନେଇ ନିୟମ ରହିଛି। ଏହି ଆଧାରରେ ପୁଣିଥରେ କମିଟି ଗଠିତ ହୋଇଛି। ଏଥିରେ ୫ଜଣ ମନୋନୀତ ସଦସ୍ୟ ରହିଛନ୍ତି। ଏହି ନୂତନ କମିଟିର ବୈଠକ ଆସନ୍ତା ୩୧ତାରିଖରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।ସୂଚନା ଅନୁସାରେ, ଆରକେଏସ୍‌ରେ ସ୍ଥାନୀୟ ସାଂସଦ ଅଧ୍ୟକ୍ଷ ରହିଥିବା ବେଳେ ଜିଲ୍ଲାପାଳ ଉପାଧ୍ୟକ୍ଷ ରହିବାର ନିୟମ ରହିଛି। ନିକଟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଭୁବନେଶ୍ବର ସାଂସଦ ଭାବେ ଅପରାଜିତା ଷଡ଼ଙ୍ଗୀ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କ୍ୟାପିଟାଲ ହସ୍ପିଟାଲ ଆରକେଏସ୍‌ କମିଟିର ଅଧ୍ୟକ୍ଷ ରହିଥିଲେ। ନୂତନ ଆରକେଏସ୍‌ କମିଟିରେ ଅନେକ ପୁରୁଣା ସଦସ୍ୟ ସ୍ଥାନ ପାଇ ନ ଥିବା ଜଣାପଡ଼ିଛି। ଶ୍ରୀ ପାଟ୍ଟଶାଣୀଙ୍କ କାର୍ଯ୍ୟକାଳ ସମୟରେ ହସ୍ପିଟାଲକୁ ୩ଟି ବ୍ୟାଟେରି ଗାଡ଼ି ସମେତ ଅନ୍ୟାନ୍ୟ ସୁବିଧା ସାଂସଦ ପାଣ୍ଠିରୁ ଉପଲବ୍ଧ ହୋଇଥିଲା। ତେଣୁ ନୂତନ ଭାବେ ସାଂସଦ ହୋଇଥିବା ଶ୍ରୀମତୀ ଷଡ଼ଙ୍ଗୀ କିଭଳି ଢଙ୍ଗରେ ହସ୍ପିଟାଲର ଆରକେଏସ୍‌କୁ ପରିଚାଳନା କରୁଛନ୍ତି ତାହାକୁ ନେଇ ଚର୍ଚା ଆରମ୍ଭ ହୋଇଛି। ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ହସ୍ପିଟାଲରେ ରୋଗୀଙ୍କ ଟିକେଟ୍ ଓ ପରୀକ୍ଷା ବାବଦରେ ଆଦାୟ ହେଉଥିବା ଅର୍ଥକୁ ବନ୍ଦ କରାଯାଇଛି। ଏସବୁ କ୍ଷେତ୍ରରେ ଆଦାୟ ହେଉଥିବା ଅର୍ଥ ଆରକେଏସ୍‌ ପାଣ୍ଠିକୁ ଆସୁଥିଲା। ଏହି ପାଣ୍ଠିରୁ ଆଦାୟ ଅର୍ଥ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ବିନିଯୋଗ ହେଉଥିଲା। ତେବେ ସରକାରଙ୍କ ପକ୍ଷରୁ ଏହି ଅର୍ଥ ଆଦାୟ ବନ୍ଦ କରିବା ପରେ ଆରକେଏସ୍‌ର କ୍ଷମତା ଏକପ୍ରକାର ହ୍ରାସ ପାଇଛି। ଅନ୍ୟପକ୍ଷରେ ଏକାଧିକ ଯୋଜନା ଜରିଆରେ ସରକାର ଆରକେଏସ୍‌ ପାଣ୍ଠିର କ୍ଷତିଭରଣା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର