ଆର୍‌କେଏସ୍‌ର ଗଭର୍ଣ୍ଣିଂବଡ଼ି ବୈଠକ : ଖୋଲିବ ୩ ନୂଆ ବିଭାଗ, ବଢ଼ିଲା କ୍ୟାବିନ୍ ଦର

ଟ୍ରମା କେୟାର ସେଣ୍ଟର ନେଇ ତନାଘନା, କ୍ୟାଥଲାବ୍ ପାଇଁ ସାଂସଦ ପାଣ୍ଠିରୁ ଆସିବ ଡିଜି
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବା ଆରକେଏସ୍‌ର ଗଭର୍ଣ୍ଣିଂବଡ଼ି ବୈଠକ ଆଜି ଅନୁଷ୍ଠିତ ହୋଇଛି। ନବନିର୍ବାଚିତ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହସ୍ପିଟାଲରେ ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ନେଇ ଆଲୋଚନା ହୋଇଛି। ହସ୍ପିଟାଲରେ ୩ଟି ନୂତନ ବିଭାଗ ଖୋଲିବା ସହ କ୍ୟାବିନ୍ ଦର ବୃଦ୍ଧି କରାଯାଇଛି। ଏପରିକି କ୍ୟାଥଲାବ୍‌‌ରେ ଅସ୍ତ୍ରୋପଚାର ସମୟରେ ବିଦ୍ୟୁତ୍ କାଟ ହେଲେ ସମସ୍ୟା ଉପୁଜିଥିବାରୁ ଏଥିପାଇଁ ଡିଜି ସାଂସଦ ପାଣ୍ଠିରୁ ଯୋଗାଇ ଦେବାକୁ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ଏବେ ୫୫୭ଟି ଶଯ୍ୟା ରହିଛି। ଏହାସହ ରୋଗୀଙ୍କ ସୁବିଧା ପାଇଁ କ୍ୟାବିନ୍ ଓ ନର୍ସିଂହୋମ୍ ରହିଛି। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଗତବର୍ଷଠାରୁ ହସ୍ପିଟାଲରେ ଆଦାୟ ହେଉଥିବା ୟୁଜର୍ସ ଫି’କୁ ବନ୍ଦ କରି ଦିଆଯାଇଥିବାରୁ ହସ୍ପିଟାଲରେ କାର୍ଯ୍ୟରତ ଅନେକ କର୍ମଚାରୀଙ୍କ ରକ୍ଷଣାବେକ୍ଷଣ ନେଇ ସମସ୍ୟା ଦେଖାଦେଇଛି। ତେଣୁ ଆଜିର ବୈଠକରେ କ୍ୟାବିନ୍ ଓ ନର୍ସିଂହୋମ୍ ଦରବୃଦ୍ଧି କରିବା ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଏହା ୩୫୦, ୪୫୦ ଓ ୭ଶହ ଟଙ୍କା ରହିଥିବା ବେଳେ ନୂଆ ଦର ଯଥାକ୍ରମେ ୫ଶହ, ୭ଶହ ଓ ୧ହଜାର କରାଯାଇଛି। ଖୁବଶୀଘ୍ର ଏହି ନୂତନ ଦର ଲାଗୁ ହେବ। ଏହାସହ କ୍ୟାବିନ୍ ଫର୍ମ ପାଇଁ ରୋଗୀଙ୍କଠାରୁ ଟଙ୍କା ଆଦାୟ କରିବା ପାଇଁ ପ୍ରସ୍ତାବ ହୋଇଥିଲେ ହେଁ ତାହା ଗୃହୀତ ହୋଇପାରିନାହିଁ। ସେହିପରି ପରିମଳ ବ୍ୟବସ୍ଥାକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ହସ୍ପିଟାଲ ପକ୍ଷରୁ ୪ଟି ବଡ଼ ଓ ୮ଟି ଛୋଟ ଡଷ୍ଟିବନ୍ ହସ୍ପିଟାଲ ପରିସରରେ ଲଗାଯିବ। ବିଏମ୍‌ସି ପକ୍ଷରୁ ନିୟମିତ ଅଳିଆ ଉଠାଯିବା ଉପରେ ଗୁରୁତ୍ବ ଦିଆଯାଇଛି।

କ୍ୟାପିଟାଲ ହସ୍ପିଟାଲ ଏକ ରେଫରାଲ ହସ୍ପିଟାଲ ହୋଇଥିବାରୁ ରାଜଧାନୀ ସମେତ ଆଖପାଖ ଅଞ୍ଚଳରୁ ଦୁର୍ଘଟଣାର ଶିକାର ବ୍ୟକ୍ତିମାନଙ୍କୁ ଏଠାକୁ ଅଣାଯାଉଛି। ମାତ୍ର ଟ୍ରମା କେୟାର ସେଣ୍ଟରର ସୁବିଧା ନଥିବାରୁ ରୋଗୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯଦିଓ ରାଜ୍ୟ ସରକାରଙ୍କ ପକ୍ଷରୁ ହସ୍ପିଟାଲରେ ଏକ ଟ୍ରମା କେୟାର ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି, ବର୍ଷେ ବିତି ଯାଇଥିଲେ ହେଁ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିନାହିଁ। ଏଥିପାଇଁ ୪୫କୋଟି ଟଙ୍କା ମଞ୍ଜୁର କରାଯାଇଛି। ତେଣୁ ଟ୍ରମ‌ା କେୟାର ସେଣ୍ଟର୍‌ କାର୍ଯ୍ୟକୁ ତ୍ବରାନ୍ବିତ ‌କରିବା ପ‌ାଇଁ ବୈଠକରେ ତନାଘନା ହୋଇଛି। ତୁରନ୍ତ ଜାଗା ଚିହ୍ନଟ କରିବା ସହିତ ପ୍ଲାନ୍‌ର ଅନୁମୋଦନ ଓ ଟେଣ୍ଡର୍‌ କରିବା ପାଇଁ ଆଲୋଚନା ହୋଇଛି। ଫଳରେ ଟ୍ରମା ସେଣ୍ଟର କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହୋଇପାରିବ। କ୍ୟାପିଟାଲ ହସ୍ପିଟାଲରେ ଆଗାମୀ ଦିନରେ ୩ଟି ନୂତନ ବିଭାଗ ଖୋଲାଯିବ। ୟୁରୋଲୋଜି, ହେମାଟୋଲୋଜି ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ଖୋଲିବା ସହ ନିୟମିତ ଡାକ୍ତର ନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେବ। ହସ୍ପିଟାଲକୁ ଏହି ୩ ବିଭାଗରେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଆଉ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ସେହିପରି ୟୁଜର୍ସ ଫି’ ବନ୍ଦ ହେବା ପରେ ହସ୍ପିଟାଲ ପକ୍ଷରୁ ନିଯୁକ୍ତି ଦିଆଯାଇଥିବା ଆଟେଣ୍ଡାଣ୍ଟ ଓ ସିକ୍ୟୁରିଟି ଗାର୍ଡଙ୍କ ଦରମା ନେଇ ସମସ୍ୟା ସୃଷ୍ଟି ହୋଇଛି। ଆରକେଏସ୍‌ ଅଧୀନରେ ଥିବା ୭ଜଣ କର୍ମଚାରୀଙ୍କୁ ଆଉଟସୋର୍ସିଂକୁ ଅଣାଯିବ। ଏହାସହ ‘ନିର୍ମଳ’ ଯୋଜନାରେ ରାଜ୍ୟ ସରକାର ହସ୍ପିଟାଲରେ କାର୍ଯ୍ୟ କରୁଥିବା ୯୦ଜଣ ସିକ୍ୟୁରିଟି ଗାର୍ଡଙ୍କ ମଧ୍ୟରୁ ୫୨ଜଣଙ୍କର ଅନୁମୋଦନ କରିଛନ୍ତି। ମାତ୍ର ହସ୍ପିଟାଲରେ ଦିନକୁ ଦିନ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ନଜରରେ ରଖି ଅନ୍ୟମାନଙ୍କୁ ପୂର୍ବଭଳି କାର୍ଯ୍ୟରେ ରଖାଯିବ। ଆସନ୍ତା ୩ମାସ ପର୍ଯ୍ୟନ୍ତ ଆରକେଏସ୍‌ରେ ଯେଉଁ ପାଣ୍ଠି ରହିଛି ତହିଁରୁ ସେମାନଙ୍କୁ ଦରମା ଦିଆଯିବ ଓ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ସହ ଏ ବିଷୟରେ ଆଲୋଚନା କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହ ହସ୍ପିଟାଲରେ ପିଜି ଇନଷ୍ଟିଚ୍ୟୁଟ୍ ନିର୍ମାଣ ଉପରେ ମଧ୍ୟ ଆଲୋଚନା କରାଯାଇଛି।

ବୈଠକରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଖୋର୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ପୁରୀ ସାଂସଦଙ୍କ ପ୍ରତିନିଧି, ହସ୍ପିଟାଲର ବରିଷ୍ଠ ଅଧିକାରୀ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର