୩ରେ କ୍ୟାପିଟାଲ ହସ୍ପିଟାଲ ଆରକେଏସ୍‌ ବୈଠକ, ଫାଇଲରେ ଅଟକିଛି ପ୍ରସ୍ତାବ, ନିଷ୍ପତ୍ତି

ଭୁବନେଶ୍ବର: ଆସନ୍ତା ୩ ତାରିଖ ଦିନ କ୍ୟାପିଟାଲ ହସ୍ପିଟାଲର ରୋଗୀକଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ (ଆରକେଏସ) ବୈଠକ ଅନୁଷ୍ଠିତ ହେବ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସମେତ ରୋଗୀକଲ୍ୟାଣ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ। ବୈଠକରେ ହସ୍ପିଟାଲର ସେବାରେ ଉନ୍ନତି ଓ ପୂର୍ବ ସାଧାରଣ ବୈଠକରେ ହୋଇଥିବା ନିଷ୍ପତ୍ତିର ଅଗ୍ରଗତି ସଂପର୍କରେ ଆଲୋଚନା କରାଯିବ। ଏହି ବୈଠକରେ ଆଲୋଚନା କରାଯାଇଥିବା ପ୍ରସଙ୍ଗ ଆଗାମୀ ଆରକେଏସ ସାଧାରଣ ବୈଠକରେ ଆଲୋଚନା ସହ କାର୍ଯ୍ୟକାରୀ ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ।
ପ୍ରତି ୩ ମାସରେ ଥରେ ଆରକେଏସ ବୈଠକ ଅନୁଷ୍ଠିତ ହୋଇଥାଏ। ଗତ ମେ’ ୨୬ରେ ଶେଷଥର ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା।

ସେହି ବୈଠକରେ କ୍ୟାପିଟାଲ ହସ୍ପିଟାଲର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ମାନ ଆଗତ ହୋଇଥିଲା। କିନ୍ତୁ ୭୦ ଭାଗ ନିଷ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଫାଇଲ ତଳେ ଚାପି ହୋଇରହିଛି। କିଛି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କିଛି ଏବେ ମଧ୍ୟ ଟେଣ୍ଡ‌ରରେ ଅଟକି ରହିଛି। ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ବେଡକୁ ଅକ୍ସିଜେନ୍ ସଂଯୋଗ ହୋଇପାରି ନାହିଁ। ପାଇପ୍‌ ସଂଯୋଗ ପାଇଁ ଏହା ଟେଣ୍ଡରରେ ଅଟକିଛି। ପଞ୍ଜୀକରଣ କେନ୍ଦ୍ରରେ ବହୁ ସମସ୍ୟା ରହିଥିଲେ ସୁଦ୍ଧା ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଆଉ ୪ଟି ନୂତନ ପଞ୍ଜୀକରଣ କାଉଣ୍ଟର ଖୋଲାଯାଇ ପାରିଲା‌ ନାହିଁ କି ଏଥିପାଇଁ ଜାଗା ଚିହ୍ନଟ ହୋଇପାରିଲା ନାହିଁ। ମଡୁଲାର ଓଟି କାମ ଚାଲୁ ରହିଛି। ଆଇସିୟୁ ଓ ଡାଏଲିସିସ୍ ୟୁନିଟ୍ ସଂଖ୍ୟା ବଢ଼ିପାରିଲା ନାହିଁ।

ପ୍ରସ୍ତାବିତ ଶଯ୍ୟା ସଂଖ୍ୟା ବୃଦ୍ଧି ମଧ୍ୟ କାଗଜ କମଲମରେ ସୀମିତ ହୋଇ ରହିଛି। ଫୁଡ‌‌୍‌କୋର୍ଟ ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ। ଏବାବଦରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ବର୍ତ୍ତମାନ କିଛି କାମ ଚାଲୁ ରହିଛି। ଆଉ କିଛି ପ୍ରକ୍ରିୟ‌ା ମଧ୍ୟରେ ରହିଛି। ପୂର୍ବ ରୋଗୀ କଲ୍ୟାଣ ସାଧାରଣ ବୈଠକ ପରେ ଉପସ୍ଥିତ ସଦସ୍ୟ କ୍ୟାପିଟାଲ ହସ୍ପିଟାଲକୁ ଶ୍ରେଷ୍ଠ ହସ୍ପିଟାଲରେ ପରିଣତ କରିବାକୁ ବିଭିନ୍ନ ଉନ୍ନତିମୂଳକ ନିଷ୍ପତ୍ତି ନିଆଯାଇଥିବା କହିଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ କାମ ଆରମ୍ଭ ‌ହୋଇ ନପାରିବାରୁ କେମିତି କ୍ୟାପିଟାଲ ହସ୍ପିଟାଲ ‌ଶ୍ରେଷ୍ଠ ହସ୍ପିଟାଲରେ ପରିଣତ ହେବ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର