କ୍ୟାପିଟାଲ ହସ୍ପିଟାଲ ଆରକେଏସ୍ ବୈଠକ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଚଳିତବର୍ଷର ଶେଷ ରୋଗୀ କଲ୍ୟାଣ ସମିତି ବା ଆରକେଏସ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହସ୍ପିଟାଲରେ କାର୍ଯ୍ୟରତ ଆଟେଣ୍ଡାଣ୍ଟଙ୍କ ଦରମା, ଭେଣ୍ଡରଙ୍କୁ ହଟାଇବା ଓ ଆରଏସ୍‌ବିୱାଇ ଓ ବିକେକେୱାଇ ଯୋଜନାରେ ଅଧିକାରୁ ଅଧିକ ହିତାଧିକାରୀଙ୍କୁ ସୁବିଧା ଯୋଗାଇବା ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ହସ୍ପିଟାଲରେ ସମସ୍ତ ଚିକିତ୍ସା ମାଗଣାରେ ଉପଲବ୍ଧ ହେଉଥିବା ବେଳେ ଆ‌ରକେଏସ୍ ପାଣ୍ଠି ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତିରେ କାର୍ଯ୍ୟରତ ଆଟେଣ୍ଡାଣ୍ଟମାନଙ୍କୁ କେଉଁଠାରୁ ଦରମା ଦିଆଯିବ ତାହାକୁ ନେଇ ହସ୍ପିଟାଲ କର୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ତେଣୁ ଏହାର କିଭଳି ସମାଧାନ ହୋଇପାରିବ ତାହା ଉପରେ ଆଲୋଚନା ହୋଇଛି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁଫଳ କିଭଳି ରୋଗୀମାନେ ପାଇପାରିବେ ତାହା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ହସ୍ପିଟାଲକୁ ଏବେ ଯେତିକି ସଂଖ୍ୟକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ୭୦/୭୫ ପ୍ରତିଶତ ରୋଗୀଙ୍କ ନିକଟରେ ଆରଏସ୍‌ବିୱାଇ ଓ ବିକେକେୱାଇ କାର୍ଡ ରହିଛି। ତେବେ ଶତ ପ୍ରତିଶତ ରୋଗୀ କିଭଳି ଏହାର ସୁବିଧା ପାଇବେ ତାହା ଉପରେ ଗୁରୁତ୍ବ ଦିଆଯାଇଥିଲା। ବୈଠକରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ନ‌ିର୍ଦେଶକ ଡା.ସି.କେ ଦାସ, ଉପ-ଅଧୀକ୍ଷକ ଡା. ଧନଞ୍ଜୟ ଦାସ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ବଦଳିଲେ ହସ୍ପିଟାଲ ଅଧୀକ୍ଷକ
କ୍ୟାପିଟାଲ ହସ୍ପିଟାଲର ନୂତନ ଅଧୀକ୍ଷକଭାବେ ଜଗତସିଂହପୁର ସିଡିଏମ୍‌ଓ ଅଶୋକ କୁମାର ପଟ୍ଟନାୟକଙ୍କୁ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ଡା.ନିରଞ୍ଜନ ମିଶ୍ର ହସ୍ପିଟାଲର ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ତେବେ ହସ୍ପିଟାଲର ନିର୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସଙ୍କ କାର୍ଯ୍ୟାକାଳ ସୋମବାର ଶେଷ ହେଉଛି। ହସ୍ପିଟାଲର ପରବର୍ତୀ ନିର୍ଦେଶକ କିଏ ହେବେ ସେଥିପାଇଁ ଏବେ ଚର୍ଚା ଜାରି ରହିଛି।

ସମ୍ବନ୍ଧିତ ଖବର