ଭୁବନେଶ୍ୱର: ରାଜ୍ୟର ଶିଶୁମାନଙ୍କଠାରେ ଥିବା କୁପୋଷଣ, ଗର୍ଭବତୀ ମହିଳାଙ୍କ ରକ୍ତହୀନତା ଓ ଅନ୍ୟାନ୍ୟ ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମ୍ଆରସି)ଭୁବନେଶ୍ୱରକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଶ୍ରୀ ପ୍ରଧାନ ଆଜି ଆଇସିଏମଆର-ଆରଏମଆରସିର ଆନେକ୍ସ ବିଲଡିଂର ଲୋକାର୍ପଣ ଓ ଆଇସିଏମଆର ସ୍କୁଲ ଅଫ୍ ପବ୍ଲିକ ହେଲଥ୍ ଓ ବିଏସଏଲ -୩ ଲ୍ୟାବର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀ ପ୍ରଧାନ କହିଥିଲେ ଯେ ମହିଳା ବିଶେଷଭାବେ ଗର୍ଭବତୀ ମହିଳାମାନେ ରକ୍ତହୀନତା କାରଣରୁ ମୃତ୍ୟୁମୁଖରେ ପଡୁଛନ୍ତି, ଯାହାକି ଚିନ୍ତା ଜନକ। ତେଣୁ ଏ ଦିଗରେ ରାସ୍ତା ବାହାର କରିବା ଉପରେ ଗୁରୁତ୍ବ ଦିଆଯାଉ।
ମୋଦୀ ସରକାରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଢାଞ୍ଚାଗତ ପରିବର୍ତ୍ତନ ହୋଇଛି। ପୂର୍ବରୁ ଲୋକମାନେ କୌଣସି ରୋଗରେ ପଡିବା ପରେ ଡାକ୍ତରଙ୍କ ପରାମର୍ଶ ନେଉଥିଲେ ମାତ୍ର ଏବେ ରୋଗରୁ ମୁକ୍ତ ହେବା ପାଇଁ ଶରୀର ପ୍ରତି ଧ୍ୟାନ ରଖାଯାଉଛି। ସମଗ୍ର ଦେଶର ନାଗରିକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ। କୋଭିଡ୍ ସମୟରେ ପୂର୍ବ ଭାରତର ଲୋକଙ୍କ ଜୀବନକୁ ସୁରକ୍ଷିତ ଓ ସଚେତନ କରିବାରେ ଏହି ଅନୁଷ୍ଠାନର ଅବଦାନ ଅତୁଳନୀୟ। ଆଇସିଏମଆର-ଆରଏମ୍ଆରସି ଦ୍ୱାରା ପ୍ରକାଶିତ ଓଡ଼ିଶାର ମହିଳା ବୈଜ୍ଞାନିକଙ୍କ ସମ୍ପର୍କୀତ ଇଂରାଜୀରେ ଲିଖିତ ସ୍ମରଣିକାକୁ ଓଡ଼ିଆ ଓ ହିନ୍ଦୀ ଭାଷାରେ ପ୍ରକାଶିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।