କାର୍‌ ରେସିଂରୁ ଲୋମଟାଙ୍କୁରା ଦୁର୍ଘଟଣା

ମେରାଇନ୍‌ ଡ୍ରାଇଭ୍‌ରେ ଗଛରେ ପିଟି ହେଲା ବିଏମ୍‌ଡବ୍ଲ୍ୟୁ

ଯୁବକ ମୃତ, ଯୁବତୀଙ୍କ ସମେତ ୩ ଗୁରୁତର
ବିଳମ୍ବିତ ରାତିରେ ଦୁଇଟି କାର୍‌ରେ ପୁରୀ ଯାଉଥିଲେ
କାର୍‌ର ବେଗ ଘଣ୍ଟାକୁ ୧୫୦ କିମି ଉପରେ ଥିଲା
ଅଡି କାର୍‌ ସହ ଯୁବତୀ ଓ ପୋଷା କୁକୁର ଗାଏବ

ଭୁବନେଶ୍ୱର/ପୁରୀ/କୋଣାର୍କ : ରବିବାର ବିଳମ୍ବିତ ରାତିରେ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତାରେ ଏକ ଲୋମଟାଙ୍କୁରା ଦୁର୍ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଏକ ଦ୍ରୁତଗାମୀ ବିଏମ୍‌ଡବ୍ଲ୍ୟୁ କାର୍‌ ଗଛରେ ପିଟି ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଯୁବତୀଙ୍କ ସମେତ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ହେଉଛନ୍ତି, ନନ୍ଦ କିଶୋର ମହାପାତ୍ର ଓରଫ ନନ୍ଦୁ। ଘର ଭୁବନେଶ୍ୱରର ଅଶୋକନଗରରେ। ଆହତମାନେ ହେଲେ ନୂଆପଲ୍ଲୀ ଅଞ୍ଚଳର କଳିଙ୍ଗ କେଶରୀ ସାମନ୍ତରାୟ, ୟୁନିଟ-୬ ଅଞ୍ଚଳର ସୁମନ ପାତ୍ର ଓ ସିପ୍ରା ସୋନାଲି ବେହେରା। ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ରାମଚଣ୍ଡୀ ପୁଲିସ ଦୁର୍ଘଟଣାରେ ଭାଙ୍ଗି ଚୂରମାର୍‌ ହୋଇ ଯାଇଥିବା ବିଏମ୍‌ଡବ୍ଲ୍ୟୁ କାର୍‌କୁ ଜବତ କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁଇଟି କାର୍‌ ମଧ୍ୟରେ ରେସିଂରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତେବେ ଏତେ ରାତିରେ ଏହି ଯୁବକ/ଯୁବତୀମାନେ ମେରାଇନ୍‌ ଡ୍ରାଇଭ୍‌ରେ କାହିଁକି ଏମିତି ଦ୍ରୁତ ଗତିରେ କାର୍‌ ଚାଳନା କରୁଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟପକ୍ଷରେ ଏହି ବିଏମ୍‌ଡବ୍ଲ୍ୟୁ କାର୍‌ ଦୁର୍ଘଟଣାର ବିଭିନ୍ନ ଦିଗକୁ ଦେଖିଲେ ଏହା ପୁଲିସର ସନ୍ଦେହକୁ ବଢ଼ାଇ ଦେଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଦୁର୍ଘଟଣା ପରେ ପରେ ଘଟଣାସ୍ଥଳରୁ ଏକ ଅଡି କାର୍‌ ଖସି ପଳାଇଥିଲା। ଯେଉଁଥିରେ କେତେକ ଯୁବତୀ ଓ ଗୋଟିଏ ପୋଷା କୁକୁର ଥିଲା। ତେଣୁ ସେହି ଯୁବତୀମାନେ କିଏ, ବିଳମ୍ବିତ ରାତିରେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ସେମାନେ ଏବେ କେଉଁଠି ଆତ୍ମଗୋପନ କରିଛନ୍ତି, ଏସବୁକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ତେଣୁ ରାମଚଣ୍ଡୀ ପୁଲିସ ଭୁବନେଶ୍ୱର ଆସି ଆହତ ଦୁଇ ଯୁବକ ଓ ଯୁବତୀଙ୍କୁ ପଚରାଉଚରା କରିଛି। ଏହାଛଡ଼ା ବିଏମ୍‌ଡବ୍ଲ୍ୟୁ ଭଳି ଏକ ଅତି ମୂଲ୍ୟବାନ ଏବଂ ଅତ୍ୟାଧୁନିକ କାର୍‌ ଭିତରେ ବେଲୁନ୍‌ ଭଳି ରକ୍ଷା କବଚ ଥିଲେ ମଧ୍ୟ କିପରି ଭିତରେ ଥିବା ଯୁବକ/ଯୁବତୀମାନେ ମୃତାହତ ହେଲେ ତାହାକୁ ନେଇ ବିସ୍ମୟ ପ୍ରକାଶ ପାଇଛି।

ଛାଡ଼ି ପଳାଇଥିଲେ ସାଙ୍ଗସାଥୀ

ପୁଲିସ ଜାଣିବାକୁ ପାଇଛି ଯେ ମୃତ ନନ୍ଦୁ ଜଣେ ଇଭେଣ୍ଟ ମ୍ୟାନେଜର। ଗତକାଲି କଳିଙ୍ଗଙ୍କ ଜନ୍ମଦିନ ଥିଲା। ଜନ୍ମିଦନ ପାଳନ କରିବାକୁ ସମସ୍ତେ ପୁରୀ ଯାଉଥିଲେ। ଦୁର୍ଘଟଣାବେଳେ ଅଡି କାର୍‌ରେ ନନ୍ଦୁଙ୍କର ଆଉ କିଛି ସାଙ୍ଗସାଥୀ ମଧ୍ୟ ଥିଲେ। ତେବେ ଆଶ୍ଚର୍ଯ୍ୟଜନ ଭାବେ ଏହି ଦୁର୍ଘଟଣା ପରେ ସେମାନେ ସେମିତି ଅବସ୍ଥାରେ ବିଏମ୍‌ଡବ୍ଲ୍ୟୁ କାର୍‌କୁ ଛାଡ଼ି ପଳାଇଥିଲେ। ସେହି ଅଡି କାର୍‌ରେ ମଧ୍ୟ କିଛି ଯୁବତୀ ଥିଲେ। ସେମାନଙ୍କ ସହିତ ରଟ୍‌ ଓ୍ଵିଲର ନାମକ ଏକ ପୋଷା କୁକୁର ଥିଲା ବୋଲି ସ୍ଥାନୀୟ ଲୋକ ଦେଖିଛନ୍ତି। ବିଳମ୍ବିତ ରାତିରେ ନନ୍ଦୁ, କଳିଙ୍ଗ, ସୁମନ ପ୍ରମୁଖ କେତେକ ଯୁବତୀଙ୍କୁ ନେଇ ଜନ୍ମଦିନ ପାଳନ କରିବା ଯିବା ଘଟଣାକୁ ପୁଲିସ ଭିନ୍ନ ଦୃଷ୍ଟିରେ ଦେଖୁଛି। ଏ ନେଇ ପୁଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି। ପୁଲିସ ତଦନ୍ତବେଳେ ଜାଣିବାକୁ ପାଇଛି ଯୁବକ ଓ ଯୁବତୀମାନେ ମେରାଇନ୍‌ ଡ୍ରାଇଭରେ ଥିବା ଏକ ନିର୍ଦିଷ୍ଟ ହୋଟେଲରେ ରାତି ବିତାଇଥାନ୍ତେ। ପୁଲିସ ବିଏମ୍‌ଡବ୍ଲ୍ୟୁ କାର ଭିତରୁ ହୋଟେଲ ରୁମ୍‌ ବୁକ୍‌ ହୋଇଥିବା ନେଇ ଏକ କାଗଜପତ୍ର ପାଇଛି। ଯାହାକି ଘଟଣାକୁ ଅଧିକ ସନ୍ଦେହଜନକ କରିଛି।

ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ତଳେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବନେତା ଓ ତାଙ୍କ ସମ୍ପର୍କୀୟମାନେ ଏକ ହୋଟେଲରେ ଜନ୍ମଦିନ ପାଳନ କରିବାକୁ ଆସିଥିଲେ। ବିଳମ୍ବିତ ରାତିରେ ସେହି ହୋଟେଲରେ ଯୁବତୀମାନେ ଅଶ୍ଳୀଳ ନୃତ୍ୟ କରିଥିଲେ। ପୁଲିସ ପକ୍ଷରୁ ହୋଟେଲରେ ଚଢ଼ଉ କରାଯାଇ କେତେକ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ପରେ ହୋଟେଲ ଭିତରେ ଚାଲିଥିବା ଅଶ୍ଳୀଳ ନୃତ୍ୟ ସୋସିଆଲ ମେଡିଆରେ ଭାଇରାଲ ହୋଇଥିଲା।

ଗ୍ୟାସ୍‌ କଟରରେ କାଟି ଆହତଙ୍କୁ ବାହାର କରାଗଲା

ପୁଲିସ ସ୍ଥାନୀୟ ଲୋକଙ୍କଠାରୁ ଜାଣିବାକୁ ପାଇଛି ରବିବାର ରାତି ପ୍ରାୟ ୩ଟା ପାଖାପାଖି ଭୁବନେଶ୍ୱରରୁ ମାଳତୀପୁଟ ହୋଇ କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତାରେ ଗୋଟିଏ ଅଡି ଓ ଗୋଟିଏ ବିଏମ୍‌ଡବ୍ଲ୍ୟୁ କାର୍‌ ଦ୍ରୁତ ବେଗରେ ଯାଉଥିଲେ। ଦୁଇଟି ଗାଡ଼ିର ବେଗ ଘଣ୍ଟାକୁ ୧୫୦ରୁ ୧୭୦ କିମି ଭିତରେ ଥିଲା। ରାସ୍ତା ଫାଙ୍କା ଥିବାରୁ ପରସ୍ପର ମଧ୍ୟରେ ରେସିଂ ଚାଲିଥାଏ, କିଏ ପୁରୀରେ ଆଗ ପହଞ୍ଚିବ। କାର୍‌ରେ ଥିବା ଯୁବତୀ ଓ ଯୁବକମାନେ ବାଟ ସାରା ଉଚ୍ଚ ସ୍ୱରରେ ପାଟି କରି କରି ଯାଉଥିଲେ। ତେବେ ମେରାଇନ୍‌ ଡ୍ରାଇଭ୍‌ର ନିଆଖିଆ ନଦୀ ପାଖାପାଖି ରାସ୍ତାର ଏକ ଗଛରେ ହଠାତ ପିଟି ହୋଇ ଯାଇଥିଲା ବିଏମ୍‌ଡବ୍ଲ୍ୟୁ। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଗଛର ଚେର ମୂଳରୁ ଉପୁଡ଼ି ଯାଇଥିଲା। ବିଏମ୍‌ଡବ୍ଲ୍ୟୁର ବେଲୁନ ଥିଲେ ମଧ୍ୟ ତାହା କାମ ଦେଇ ନ ଥିଲା। କାରର ଆଗ ଚକା ପଛ ଚକାରେ ମିଶି ଯାଇଥିଲା। କାର୍‌ ଆଗ ସିଟ୍‌ରେ ବସିଥିବା ନନ୍ଦୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। କାର୍‌ ଚଳାଉଥିବା କଳିଙ୍ଗ ଓ ପଛରେ ବସିଥିବା ସିପ୍ରା ଓ ସୁମନ କାର୍‌ ଭିତରେ ସେମିତି ଚାପି ହୋଇ ରହିଥିଲେ। ମେରାଇନ୍‌ ଡ୍ରାଇଭ ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ପୁଲିସକୁ ଖବର ଦେବାରୁ ରାମଚଣ୍ଡୀ, କୋଣାର୍କ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଆହତମାନଙ୍କୁ କାର୍‌ ଭିତରୁ ବାହାର କରାଯାଇ ନ ପାରିବାରୁ ପୁରୀର ଅଗ୍ନିଶମ କର୍ମଚାରୀମାନଙ୍କୁ ଡକାଯାଇଥିଲା। ସେମାନେ ଗ୍ୟାସ୍‌ କଟରରେ କାର୍‌ ଡୋର କାଟି ଆହତମାନଙ୍କୁ ବାହାର କରିଥିଲେ। ଆମ୍ବୁଲାନ୍ସ ଓ ଦମକଳ ଗାଡ଼ିରେ ସମସ୍ତଙ୍କୁ ପୁରୀ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତେବେ ସକାଳୁ ନନ୍ଦୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର