ଭୁବନେଶ୍ୱର : ନୂଆ ବର୍ଷରେ ନୂଆ ରେକର୍ଡ କଲାଣି ରାଜଧାନୀର ସଡ଼କ ଦୁର୍ଘଟଣା। ମାତ୍ର ୨୦ ଦିନ ଭିତରେ ଗଡ଼ିଲାଣି ୭ ମୁଣ୍ଡ। ଆହତ ସଂଖ୍ୟା ୫୦ରୁ ଅଧିକ। ଏତେ ଟ୍ରାଫିକ୍‌ ନିୟମ ଓ କଟକଣା ସତ୍ତ୍ବେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ରାଜଧାନୀବାସୀଙ୍କ ପାଇଁ ଘୋର ଉଦ୍‌ବେଗର କାରଣ ପାଲଟିଛି। ରାଜଧାନୀର ସହର ଭିତର ଯେତିକି ଅସୁରକ୍ଷିତ, ସହର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ତା’ଠୁ ବଳି ଭୟଙ୍କର। ଏବେ ପରିସ୍ଥିତି ଏମିତି ହୋଇଛି, ପ୍ରତିଦିନ ରାଜଧାନୀ ଛୋଟବଡ଼ ସଡ଼କ ଦୁର୍ଘଟଣା ଦେଖୁଛି। ଟ୍ରାଫିକ୍ ପୁଲିସର ସତର୍କତା ଓ ପରିବହନ ବିଭାଗର ସଡ଼କ ସୁରକ୍ଷା ଅଭିଯାନ ସବୁ ଏଠି ଯେମିତି କୌଣସି କାମରେ ଆସୁନାହିଁ। ବର୍ଷର ପ୍ରଥମ ମାସ ନସରୁଣୁ ୭ ଜଣ ପ୍ରାଣ ହରାଇଥିବାରୁ ଆଗକୁ ବର୍ଷ ସରିବା ବେଳକୁ କେତେ ଜଣଙ୍କ ମୁଣ୍ଡ ଗଡ଼ି ସାରିଥିବ ବୋଲି ଏବେଠୁ ସାଧାରଣରେ ଆକଳନ ଆରମ୍ଭ ହେଲାଣି।

Advertisment

ଅଧାଗଢ଼ା ଘରେ ଦମ୍ପତିଙ୍କ ଅଧୁରା ସ୍ବପ୍ନ
ଗତକାଲି ସଡ଼କ ଦୁର୍ଘଟଣାରେ ରେଳ ଅଧିକାରୀ ରମେଶ ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଉଷାରାଣୀଙ୍କ ମୃତ୍ୟୁ ମାମଲା ରେଳବିହାର ଅଞ୍ଚଳ‌ରେ ଶୋକର ଛାୟା ଖେଳାଇ ଦେଇଛି। ପୁଲିସ ସୂଚନାନୁସାରେ ରମେଶ ଓ ଉଷାରାଣୀ ବାଇକ୍‌ ଯୋଗେ ସହିଦନଗର ଥାନା କେଶୁରା ଯାଇଥିଲେ। ସେଠାରେ ସେମାନେ ଏକ ନୂଆ ଘର କରୁଥିବାରୁ ନିର୍ମାଣ କାମ ଦେଖିବାକୁ ଯାଇଥିଲେ। ସେମାନଙ୍କ ଡ୍ୟୁପ୍ଲେକ୍ସର ନିର୍ମାଣ କାମ ଏବେ ଅଧାରୁ ଅଧିକ ହୋଇସାରିଛି। ଘର କାମ ଦେଖି ସେମାନେ ଚନ୍ଦ୍ରଶେଖରପୁର ରେଳବିହାରସ୍ଥିତ କ୍ବାର୍ଟର୍ସକୁ ଫେରୁଥିଲେ। ସେମାନେ ସପ୍ତସତୀ ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଷାରାଣୀ ଆଖି ବୁଜି ଦେଇଥିଲେ ଓ ହସ୍ପିଟାଲରେ ଡାକ୍ତର ରମେଶଙ୍କୁ ମୃତ ଘୋଷଣା କରିଥିଲେ।

publive-image

ପ୍ରାଣଘାତୀ ଦୁର୍ଘଟଣାର ତାଲିକା

ଜାନୁଆରି ୧: ବର୍ଷ ଆରମ୍ଭ ଦିନ ଦୁର୍ଘଟଣାରେ ଆଖି ବୁଜିଲେ ‌ଜଣେ ପୁଲିସ କର୍ମଚାରୀ। ଆଚାର୍ଯ୍ୟବିହାର ଛକରେ ଅଟୋ ଓ କାର୍‌ ମଧ୍ୟରେ ଘଟିଥିବା ମୁହାଁମୁହିଁ ଧକ୍କାରେ ହୋମ୍‌ଗାର୍ଡ ସୁର ବେହେରା(୫୧)ଙ୍କ ମୃତ୍ୟୁ ଘଟିଥିଲା। ସୁର ଅଟୋରେ ଆଚାର୍ଯ୍ୟବିହାରରୁ ସାଇନ୍ସପାର୍କ ବସ୍ତିସ୍ଥିତ ତାଙ୍କ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଦ୍ରୁତ ବେଗରେ ଯାଉଥିବା‌ ଏକ କାର୍‌ରେ ସୁରଙ୍କ ଅଟୋକୁ ଧକ୍କା ଦେଇଥିଲା।

ଜାନୁଆରି ୨: ରାତିରେ ୧୬ନଂ ଜାତୀୟ ରାଜପଥ ବରମୁଣ୍ଡା ଛକ ନିକଟରେ ଏକ ଅଜଣା ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଯୁବକଜଣକ ଜାତୀୟ ରାଜପଥ ପାର୍ ହେଉଥିବା ବେଳେ ଟ୍ରକ୍‌ ଧକ୍କା‌ରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଜାନୁଆରି ୭: ବଡ଼ଗଡ଼ ଥାନା କଳ୍ପନା ରାସ୍ତାରେ କାର୍‌ ଧକ୍କାରେ ଏୟାର୍‌ଫିଲ୍‌ଡ ଥାନା କପିଳପ୍ରସାଦର ଅବିନାଶ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ସେ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ପଛପଟୁ ଏକ ଦ୍ରୁତଗାମୀ କାର୍ ତାଙ୍କୁ ଧକ୍କା ଦେଇଥିଲା। ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଜାନୁଆରି ୯: ସତ୍‌ସଙ୍ଗବିହାର ନିକଟରେ ରସୁଲଗଡ଼ ଫ୍ଲାଏଓଭର୍‌ ବ୍ରିଜ୍‌ ଠିକ୍‌ ପୂର୍ବରୁ ୧୬ ନମ୍ବର ଜାତୀୟ ରାଜପଥରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହେଲେ, ଚନ୍ଦକା ଥାନା ମେଣ୍ଢାଶାଳ ଅଞ୍ଚଳର ଅର୍ମାନ୍‌ ଖାଁ(୨୩) ଓ ନୟାଗଡ଼ ଜିଲ୍ଲା ପଣ୍ଡୁସର ଅଞ୍ଚଳର ପପୁନା ସୁଲୋ। ସେମାନେ ସାଲିଆସାହିରେ ରହୁଥିଲେ। ଜାତୀୟ ରାଜପଥରେ କୌଣସି ଗାଡ଼ି ସେମାନଙ୍କୁ ମଡ଼ାଇ ଫେରାର୍ ହୋଇଯାଇଥିଲା।

ଜାନୁଆରି ୧୯: ୧୬ ନମ୍ବର ଜାତୀୟ ରାଜପଥ ସପ୍ତସତୀ ମନ୍ଦିର ନିକଟ‌‌‌‌ରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଚନ୍ଦ୍ରଶେଖରପୁର ରେଳବିହାରରେ ରହୁଥିବା ରେଳବାଇ ଅଧିକାରୀ ରମେଶ ଚନ୍ଦ୍ର ମଲ୍ଲିକ(୫୭) ଓ ତାଙ୍କ ପତ୍ନୀ ଉଷାରାଣୀ ମଲ୍ଲିକ(୫୪)ଙ୍କ ମୃତ୍ୟୁ ହୋଇଥିଲା। ଏକ ଟ୍ରକ୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେବାରୁ ଏହି ଅଘଟଣ ଘଟିଥିଲା।