କଟକଣା ବେଳେ କମିଛି ଦୁର୍ଘଟଣା ମୃତ୍ୟୁ

ରାଜଧାନୀରେ ୨୧ ମାସରେ ଗଲାଣି ୨୮୨ ଜୀବନ, ୭୦%ରୁ ଅଧିକ ଦୁର୍ଘଟଣା ଘଟିଛି ଜାତୀୟ ରାଜପଥରେ

ଭୁବନେଶ୍ୱର : ଦୁର୍ଘଟଣା ରୋକିବା ପାଇଁ କଟକଣାଠୁ ନେଇ ସଚେତନତା ଅଭିଯାନ ପର୍ଯ୍ୟନ୍ତ ସବୁ କିଛି କରାଯାଉଛି। କିନ୍ତୁ ୨୦୨୦ରୁ ୨୦୨୧ ସେପ୍ଟେମ୍ବର ସୁଦ୍ଧା ୨୧ ମାସରେ ରାଜଧାନୀରେ ଘଟିଥିବା ଦୁର୍ଘଟଣା‌ରେ ୨୮୨ ଜୀବନ ଗଲାଣି। ତେବେ ଆଶ୍ବସ୍ତିର ବିଷୟ ହେଲା କରୋନା କଟକଣାରେ ଗାଡ଼ି ଚଳପ୍ରଚଳ କମ୍ ଥିବାରୁ ଦୁର୍ଘଟଣା ସଂଖ୍ୟା କମିଛି ଏବଂ ତତ୍‌ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି।

୨୦୨୦ରେ କରୋନା କଡ଼ା କଟକଣା ସମୟରେ ଏପ୍ରିଲରୁ ସେପ୍ଟେମ୍ବର ଭିତରେ ଦୁର୍ଘଟଣାରେ ୫୨ ଜଣଙ୍କର ଜୀବନ ଯାଇଥିଲା। କିନ୍ତୁ ପରବର୍ତ୍ତୀ ୬ ମାସରେ କଟକଣା କିଛିଟା କୋହଳ ହେବା ପରେ ଦୁର୍ଘଟଣାରେ ୧୧୦ ଜଣ ପ୍ରାଣ ହରାଇଥିଲେ। ଅନ୍ୟପକ୍ଷରେ ଗତବର୍ଷ ଅର୍ଥାତ ୨୦୨୦ରେ ଦୁର୍ଘଟଣାରେ ରାଜଧାନୀରେ ମୋଟ ୧୬୨ ଜଣ ପ୍ରାଣ ହରାଇଥିଲେ। ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ରାଜଧାନୀରେ ଦୁର୍ଘଟଣାରେ ୧୨୦ ଜଣଙ୍କର ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଛି। ତେବେ ଚଳିତବର୍ଷ କଡ଼ା କରୋନା ଦ୍ବିତୀୟ ଲହରରେ ପୁଣିଥରେ କଡ଼ା କଟକଣା ଲାଗୁ ହେବାରୁ ମେ’ରୁ ଅଗଷ୍ଟ ପର୍ଯ୍ୟନ୍ତ ୪ ମାସରେ ୪୨ ଜଣଙ୍କ ଜୀବନ ଯାଇଛି। ଗତବର୍ଷ କୋଭିଡ କଟକଣାକୁ ତୁଳନା କଲେ ଏହି ସଂଖ୍ୟା ଅଧିକ ରହିଛି।

ସୂଚନାଯୋଗ୍ୟ, ୨୦୧୯ରେ ୨୧୨ଟି ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିବା ବେଳେ ୨୦୧୮ରେ ୨୨୬ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୨୦୧୯ରେ ନୂଆ ମୋଟରଯାନ ଆଇନ ଲାଗୁ ହେଲା ପରେ ଦୁର୍ଘଟଣା ସଂଖ୍ୟା କିଛିଟା କମିଥିବା କୁହାଯାଉଛି। କିନ୍ତୁ କୋଭିଡ୍ କଟକଣା ଯୋଗୁ ଦୁର୍ଘଟଣା ହ୍ରାସ ପାଇଥିବା ବେଳେ ଏବେ ବି କେତେକ ବ୍ଲାକ୍ ସ୍ପଷ୍ଟ କାଳ ସାଜୁଛି।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀରେ ଘଟୁଥିବା ଦୁର୍ଘଟଣାରୁ ୭୦ ପ୍ରତିଶତରୁ ଅଧିକ ଦୁର୍ଘଟଣା ସହର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ହେଉଛି।

Sambad English

ଦୁର୍ଘଟଣା ମୃତ୍ୟୁର ୩ ମୁଖ୍ୟ କାରଣ
ବେପରୁଆ ଗାଡ଼ିଚାଳନା, ବିନା ହେଲମେଟ୍ ଓ ଅସାବଧାନତା ଦୁର୍ଘଟଣା ମୃତ୍ୟୁର ତିନିଟି ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ପ୍ରଥମଟି ହେଉଛି ବେପରୁଆ ଗାଡ଼ି ଚାଳନା। ଏହାଛଡ଼ା ବିନା ହେଲମେଟରେ ଥିବା ଚାଳକ ଓ ରାସ୍ତା ପାରି ହେଉଥିବା ବେଳେ କିମ୍ବା ଅସାବଧାନତା ଯୋଗୁ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ସବୁଠୁ ଅଧିକ ମୃତ୍ୟୁ ବେପରୁଆ ଗାଡ଼ି ଚାଳନା ପାଇଁ ଘଟିଛି। ଅନଭିଜ୍ଞ, ମଦ୍ୟପ, ତୀବ୍ର ଗତିରେ ଗାଡ଼ି ଚାଳନା ଯୋଗୁ ସର୍ବାଧିକ ଦୁର୍ଘଟଣା ଘଟୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି। ନିକଟରେ ସହିଦନଗରରେ ଜଣେ ଚାଳକଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁ ଏକାଧିକ ଗାଡ଼ି ଧକ୍କା ହେବା ସହ ୧୦ରୁ ଅଧିକ ଆହତ ହୋଇଥିଲେ।

 

ସମ୍ବନ୍ଧିତ ଖବର