ବଢ଼ୁଛି ରାଜଧାନୀରେ ସଡ଼କ ଦୁର୍ଘଟଣା: ପ୍ରହସନ ପାଲଟିଛି ବ୍ଲାକ୍‌ସ୍ପଟ୍‌ ଫଳକ

୪ ମାସରେ ଗଡ଼ିଲାଣି ୧୬ ମୁଣ୍ଡ, କେବେ ଚେତିବ ପୁଲିସ ଓ ପରିବହନ ବିଭାଗ?

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀ ରାସ୍ତାରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ସବୁଠୁ ବେଶି ଭୟଙ୍କର ହୋଇପଡ଼ିଥିବା ବେଳେ ସହର ଭିତର ରାସ୍ତା ବି କିଛି କମ୍ ହୋଇନାହିଁ। ଥରେ ଘରୁ ଗୋଡ଼ କାଢ଼ିବା ପରେ ଘରକୁ ନ ଫେରିବା ପର୍ଯ୍ୟନ୍ତ ପରିବାରରେ ଲାଗି ରହୁଛି ଅନେକ ଆଶଙ୍କା। ପ୍ରତିଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟୁଛି। କେଉଁଠି ଜୀବନ ଚାଲି ଯାଉଛି ତ କେଉଁଠି ଦୁର୍ଘଟଣାର ଶିକାର ବ୍ୟକ୍ତି ଅକର୍ମଣ୍ୟ ହୋଇପଡ଼ୁଛନ୍ତି। ଗତ ୪ ମାସ ମଧ୍ୟରେ ୧୬ରୁ ଊର୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆହତ ସଂଖ୍ୟା ବହୁତ ବେଶି। ଏସବୁ ସତ୍ତ୍ବେ ନା ଚେତୁଛି ପୁଲିସ ବିଭାଗ ନା ପରିବହନ ବିଭାଗ। ବଡ଼ କଥା ହେଉଛି, ଚିହ୍ନଟ ହୋଇଥିବା ବ୍ଲାକ୍‌ସ୍ପଟ୍‌ରେ ହିଁ ଘଟୁଛି ଅଧିକାଂଶ ଦୁର୍ଘଟଣା। ତେଣୁ ବ୍ଲାକ୍‌ସ୍ପଟ୍‌ ଅଞ୍ଚଳ ଚିହ୍ନଟ କରିବା କେବଳ ପ୍ରହସନ ପାଲଟିଛି। ବ୍ଲାକ୍‌ସ୍ପଟ୍‌ରେ ବିହିତ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ବିଭାଗୀୟ କର୍ତ୍ତୃପକ୍ଷ ହାତବାନ୍ଧି ବସିଯାଇଥିବା ଅଭିଯୋଗ ହେଉଛି।

ସୂଚନାଯୋଗ୍ୟ, ଦୁର୍ଘଟଣା ପ୍ରବଣ ଅଞ୍ଚଳକୁ ବ୍ଲାକ୍‌ସ୍ପଟ୍‌ ଭାବେ ଚିହ୍ନଟ କରି ଫଳକ ମରାଯାଇଛି। ରାଜଧାନୀ ଓ ଉପକଣ୍ଠରେ ୧୬ ନମ୍ବର ଜାତୀୟ ରାଜପଥରେ ଗଙ୍ଗପଡ଼ା ଛକରୁ ଆରମ୍ଭ କରି ବାଟଭୁଆସୁଣୀ ମନ୍ଦିର ଛକ, ପିତାପଲ୍ଲୀ, ପାତ୍ରପଡ଼ା-ଆଇଗିଣିଆ ଶନିମନ୍ଦିର ଛକ, ବରମୁ୍ଣ୍ଡା ଓଭରବ୍ରିଜ୍‌ ଉପର, ରମାମଣି ପେଟ୍ରୋଲ୍‌ ପମ୍ପ ସମ୍ମୁଖ, ଖଣ୍ଡଗିରି ଛକ, କୋଳଥିଆ, ଆଇଗିଣିଆ, ପାତ୍ରପଡ଼ା, ଗୋହିରା, କଳିଙ୍ଗବିହାର, ତମାଣ୍ଡୋ ଓଭରବ୍ରିଜ୍‌, ଗାନ୍ଧୀ ମାର୍କେଟ୍‌ ଛକ, ହସଂପାଳ, ପଳାସୁଣୀ, ସତ୍‌ସଙ୍ଗ ବିହାର, ଆଚାର୍ଯ୍ୟ ବିହାର, ବାଣୀବିହାର, ଜୟଦେବବିହାର ଆଦି ୨୩ଟି ସ୍ଥାନକୁ ବ୍ଲାକ୍‌ସ୍ପଟ୍‌ ଭାବେ ଚିହ୍ନଟ କରାଯାଇଥିଲା।

ପ୍ରାୟ ଏହି ସବୁ ଛକରେ ବ୍ଲାକ୍‌ସ୍ପଟ୍‌ ଫଳକ ଲଗାଗଲା। ହେଲେ ଯେଉଁ ସବୁ କାରଣ ପାଇଁ ଦୁର୍ଘଟଣା ଘଟୁଛି, ତାହା ଉପରେ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ହେବାରୁ କାରଣ ଖୋଜିବା ପାଇଁ ସରକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ କିଛି କରିପାରିଲେ ନାହିଁ। ହାତ ଟେକିଦେଲେ। ସର୍ଭେ ପାଇଁ ବିଭିନ୍ନ ଘରୋଇ ସଂସ୍ଥାକୁ ଦାୟିତ୍ବ ଦେଲେ। ସର୍ଭେ ରିପୋର୍ଟରେ ଦର୍ଶାଗଲା ଯେ ଅଧିକାଂଶ ସ୍ଥାନରେ ରୋଡ୍‌ ଇଂଜିନିୟରଂ ବା ଡିଜାଇନ୍‌ରେ ସମସ୍ୟା ରହିଛି। ଏଥିପାଇଁ ସେଠାରେ ରୋଡ୍‌ ଡିଜାଇନ୍‌କୁ ବଦଳାଇବା କଥା। ମାତ୍ର ତାହା ହୋଇପାରିଲା ନାହିଁ। ଫଳରେ ସେଠାରେ ପୂର୍ବରୁ ଯେମିତି ଦୁର୍ଘଟଣା ଘଟୁଥିଲା, ବର୍ତ୍ତମାନ ଅଧିକ ଦୁର୍ଘଟଣା ଘଟୁଛି ଓ ଜୀବନ ଯାଉଛି। ଗତ ୪ ମାସ ମଧ୍ୟରେ ଯେତିକି ଭୟଙ୍କର ଦୁର୍ଘଟଣା ଘଟିଛି, ପ୍ରାୟ ସବୁ ବ୍ଲାକ୍‌ସ୍ପଟ୍‌ ଅଞ୍ଚଳରେ ହିଁ ଘଟିଛି। ପୁଲିସ ଓ ପରିବହନ ବିଭାଗ କ’ଣ କରୁଛି? ଆଉ ‌କେତେ ଜୀବନ ଗଲେ, କେତେ ଲୋକ ବିକଳାଙ୍ଗ ହେଲେ, ଚେତିବେ? ଏହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହାଛଡ଼ା ଭାରୀଯାନଗୁଡ଼ିକର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଜାତୀୟ ରାଜପଥ ଓ ସହର ଭିତରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି। ଏହାକୁ ବି ନିୟନ୍ତ୍ରଣ କରି ହେଉନାହିଁ। ପୁଲିସ ଓ ପରିବହନ ବିଭାଗ ଉପରଠାଉରିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ନେଇ ଅଭିଯୋଗ ହେଉଛି। ଜାତୀୟ ରାଜପଥରେ ପଳାସୁଣୀରୁ ଆରମ୍ଭ କରି ଗଙ୍ଗପଡ଼ା ପର୍ଯ୍ୟନ୍ତ ଓ ସହର ଭିତରେ ଜୟଦେବବିହାର ନନ୍ଦନକାନନ ରାସ୍ତାରେ ଭାରୀଯାନମାନେ ବେଆଇନ ଭାବେ ଦ୍ରୁତ ବେଗରେ ଚଳାଚଳ କରୁଛନ୍ତି, ଅଥଚ ସେମାନଙ୍କ ଉପରେ ନିୟନ୍ତ୍ରଣ ନାହିଁ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ। ବଡ଼ କଥା ହେଉଛି, ରାତିରେ ଏହି ସବୁ ରାସ୍ତାରେ ଭାରୀଯାନମାନଙ୍କ ଗତି ଉପରେ ନଜର ରଖିବାକୁ କୌଣସି ବିଭାଗର ଦାୟିତ୍ବ ରହୁ ନାହିଁ ବୋଲି ଅଭିଯୋଗ ହେଉଛି। ଦିନ ବେଳା ଟ୍ରାଫିକ୍‌ ପୁଲିସ ଜରିମାନା ଆଦାୟରେ ବ୍ୟସ୍ତ ରହୁଥିବା ବେଳେ ରାତି‌ରେ ଭାରୀଯାନମାନଙ୍କୁ ମୁକୁଳା ଛାଡ଼ି ଦିଆଯାଉଛି।

କିଛି ପ୍ରମୁଖ ଦୁର୍ଘଟଣା

ଏପ୍ରିଲ୍‌ ୩: ଶନିବାର ସକାଳ ୬ଟା ବେଳେ ଅଲେଖ ଶତପଥୀ(୭୬) ଭୁବନେଶ୍ବରରୁ ଜଗତସଂହପୁରସ୍ଥିତ ତାଙ୍କ ଘରକୁ ଯାଇଥା’ନ୍ତେ। ବସ୍‌ ଧରିବା ପାଇଁ ସେ ପଳାସୁଣୀ ଛକରେ ରାସ୍ତା ପାର୍‌ ହେଉଥିଲେ। ସାଙ୍ଗରେ ତାଙ୍କ ବୋହୂ ରଞ୍ଜିତା ଥିଲେ। ସେମାନେ ରାସ୍ତା ମଝିରେ ପହଞ୍ଚିଥିବା ବେଳେ କଟକରୁ ଭୁବନେଶ୍ବର ଦିଗରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅଲେଖଙ୍କ ମୃତ୍ୟୁ ଘଟିଥିବା ବେଳେ ରଞ୍ଜିତା ଗୁରୁତର ଭାବେ ଆହତ ହୋଇଥିଲେ।
ଏପ୍ରିଲ୍‌ ୪: ସୋମବାର ସକାଳୁ ଇଲେକ୍ଟ୍ରିକାଲ୍‌ ଏସ୍‌ଡିଓ ସୁମନ୍ତ ଦାସ(୩୬) ଆଇଗିଣିଆରୁ ବାହାରି ଯାଜପୁର ଧର୍ମଶାଳାସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ଯାଉଥିଲେ। ରସୁଲଗଡ଼ ଓଭର୍‌ବ୍ରିଜ୍‌ ଜାମ୍‌ରେ ତାଙ୍କ କାର୍‌ ଫସି ରହିଥିବା ବେଳେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ତାଙ୍କ କାର୍‌ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ସୁମନ୍ତଙ୍କ ମୃତ୍ୟୁ ଘଟିଥିଲା।
ମାର୍ଚ୍ଚ ୧୧: ଖଣ୍ଡଗିରି ରମାମଣି ପେଟ୍ରୋଲ୍‌ ପମ୍ପ ନିକଟ ଜାତୀୟ ରାଜପଥରେ ଭୀମ ଦଳେଇ(୫୫) ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଖଣ୍ଡଗିରି ଥାନା ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲେ ହେଁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ମାର୍ଚ୍ଚ ୯: ଖଣ୍ଡଗିରି ଥାନା ପାତ୍ରପଡ଼ା ନିକଟ ଓଡ଼ିଶା ଢାବା ନିକଟରେ ଭୁବନେଶ୍ବର ଏମ୍‌ସର ନର୍ସିଂ ଛାତ୍ରୀ ସାଇଶ୍ରୀ ରାଓ(୨୩) ଜଟଣୀସ୍ଥିତ ତାଙ୍କ ଘରକୁ ଫେରୁଥିବା ବେଳେ ଏକ ହାଇୱା ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ଓ ସେ ତଳେ ପଡ଼ିଯିବା ପରେ ଦ୍ରୁତବେଗରେ ଥିବା ହାଇୱାଟି ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲି ଯାଇଥିଲା।
ମାର୍ଚ୍ଚ ୯: କଳିଙ୍ଗ ଷ୍ଟାଡିୟମ୍‌ ଗେଟ୍‌-୮ ସମ୍ମୁଖରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ(୫୪) ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲେ ହେଁ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ମାର୍ଚ୍ଚ ୬: ନୂଆପଲ୍ଲୀ ଥାନା ନାବାର୍ଡ ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ କେନ୍ଦୁଝର ଅଞ୍ଚଳର ରମୀ ମୁଣ୍ଡା(୫୨) ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସେ ସାଇକେଲ୍‌ରେ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ମାର୍ଚ୍ଚ ୪:ଜୟଦେବବିହାର ଛକରେ ସୁମନ ଛତାରା(୨୨)ଙ୍କ ମୃତ୍ୟୁ ହୋଇଥିଲା। ଜୟଦେବବିହାର ମାଛ ମାର୍କେଟରୁ ସେ ଆଖଣ୍ଡଳମଣିବସ୍ତିସ୍ଥିତ ତାଙ୍କ ଘରକୁ ଫେରୁଥିବା ବେଳେ ଏକ ଟ୍ରକ୍‌ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା।
ଜାନୁଆରି ୧୯: ଅପରାହ୍‌ଣ ସାଢ଼େ ଦୁଇଟା ସମୟରେ ପଳାସୁଣୀ ସପ୍ତସତୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ ଦମ୍ପତି ପ୍ରାଣ ହରାଇଥିଲେ। ସେମାନେ ହେଲେ, ରମେଶ ଚନ୍ଦ୍ର ମଲ୍ଲିକ(୫୭) ଓ ପତ୍ନୀ ଉଷାରାଣୀ ମଲ୍ଲିକ(୫୪)। ସେମାନେ ବାଇକ୍‌ରେ କେଶୁରାରୁ ଚନ୍ଦ୍ରଶେଖରପୁରସ୍ଥିତ ଘରକୁ ଫେରୁଥିବା ବେଳେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା।
ଜାନୁଆରି ୯: ସତ୍‌ସଙ୍ଗବିହାର ନିକଟ ଫ୍ଲାଏଓଭର୍‌ ବ୍ରିଜ୍‌ରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ ଜୀବନ ଯାଇଥିଲା। ସେମାନେ ହେଲେ ଚନ୍ଦକା ଥାନା ମେଣ୍ଢାଶାଳ ଅଞ୍ଚଳର ଅର୍ମାନ ଖାଁ(୨୩) ଓ ନୟାଗଡ଼ ଜିଲ୍ଲା ପଣ୍ଡୁସର ଅଞ୍ଚଳର ପପୁନା ସୁଲୋଙ୍କ।
ଜାନୁଆରି ୨: ୧୬ନଂ ଜାତୀୟ ରାଜପଥ ବରମୁଣ୍ଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଖୋର୍ଦ୍ଧା ଦିଗରେ ଯାଉଥିବା ଏକ ଭାରୀଯାନ ଯୁବକଙ୍କୁ ଧକ୍କା ଦେଇଥିଲା।
ଜାନୁଆରି ୧: ଆଚାର୍ଯ୍ୟବିହାର ଛକରେ ଏକ ଅଟୋ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ହୋମ୍‌ଗାର୍ଡ ସୁର ବେହେରା(୫୧)ଙ୍କ ମୃତ୍ୟୁ ହୋଇଥିଲା। ସୁର ଏକ ଅଟୋରେ ଆଚାର୍ଯ୍ୟବିହାରରୁ ସାଇନ୍ସ ପାର୍କ ବସ୍ତିସ୍ଥିତ ତାଙ୍କ ଘରକୁ ଯାଉଥିଲେ। ଏହି ସମୟରେ ବିପରୀତ ପଟୁ ଦ୍ରୁତବେଗରେ ଆସୁଥିବା ଏକ କାର୍‌ ତାଙ୍କ ଅଟୋକୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର