ଭୁବନେଶ୍ବର: ସିଟି ଫେଷ୍ଟ୍‌ ପୂର୍ବରୁ ଚକାଚକ କରିଦେଲେ। ରାସ୍ତା କଡ଼ରେ ନାଲି ନୀଳ ରଙ୍ଗ ମାଖି କୋଉଠି ଚାଲିବ, ସାଇକେଲ୍‌ ଚଲାଇବ ଚିହ୍ନେଇଲେ। ଦିନ କେଇଟା ଯାଇଛି କି ନାହିଁ, ଏବେ ତାଡ଼ିବାରେ ଲାଗି ପଡ଼ିଛନ୍ତି। ରାସ୍ତାକୁ ସୁନ୍ଦର କରି ସଜେଇବା ପରେ ହିଁ ଡ୍ରେନ୍‌ ଖୋଳିବାକୁ ମନେ ପଡ଼ିଛି। ଖାଲି ଯେ ସୌନ୍ଦର୍ଯ୍ୟରେ ହାନି ପହଞ୍ଚିଛି ସେ କଥା ନୁହେଁ, ବରଂ ବୃହତ୍ ମେଳା ଆରମ୍ଭ ହେବାକୁ ଯାଉଥିବା ବେଳେ ପଡ଼ିଆ ସମ୍ମୁଖ ରାସ୍ତାର ଏଭଳି ଅବସ୍ଥା ଚିନ୍ତା ବଢ଼ାଇ ଦେଇଛି।

Advertisment

ଆଜିଠୁ ପ୍ରଦର୍ଶନୀ ପଡ଼ିଆରେ ଶିଶିର ସରସ ଭଳି ବୃହତ୍‌ ମେଳା ଆରମ୍ଭ ହୋଇଯାଇଛି। ଆସନ୍ତାକାଲିଠୁ ରାଜ୍ୟର ସବୁଠୁ ବଡ଼ ବହି ମେଳା, ରାଜଧାନୀ ପୁସ୍ତକ ମେଳା ଆରମ୍ଭ ହେବାକୁ ଯାଉଛି। ଦୁଇଟି ବଡ଼ ମେଳା ଆରମ୍ଭ ହେବାକୁ ଯାଉଛି। ମାତ୍ର ସେହି ରାସ୍ତାର ଏକ ପାର୍ଶ୍ବରେ ଯାଇଥିବା ଡ୍ରେନ୍‌ର ୩ଟି ସ୍ଥାନରେ ସ୍ଲାବ୍‌ ଉଠାଇ ଦିଆଯାଇଛି। ମେଳା ସମୟରେ ରାସ୍ତାର ସେଇ ପାର୍ଶ୍ବରେ କାର୍‌ ଓ ବାଇକ୍‌ ପାର୍କିଂ ‌ହୁଏ। ତେଣୁ ପାର୍କିଂ ସମୟରେ ଯଦି ଏହି ସ୍ଥାନରେ ପାର୍କିଂ ହୁଏ ତେବେ ଟିକେ ଅସାବଧାନ ହେଲେ କାର୍‌ ଓ ବାଇକ୍‌ ସେଇ ନାଳ ଭିତରକୁ ଖସି ପଡ଼ିବାର ସମ୍ଭାବନା ଅଛି। ତେଣୁ ଏହି ଡ୍ରେନ୍‌ ଲାଇନ୍‌ଗୁଡ଼ିକୁ ଶୀଘ୍ର ବନ୍ଦ କରାଯାଉ ବୋଲି ଶିଶିର ସରସ ବୁଲିବାକୁ ଆସିଥିବା ରମାକାନ୍ତ ସୁବୁଦ୍ଧି କହିଛନ୍ତି। ଅନ୍ୟପକ୍ଷରେ ସହରକୁ ସୁନ୍ଦର କରିବା ପାଇଁ ବହୁ ଆଡ଼ମ୍ବର ହେଲା। କୋଟିକୋଟି ଟଙ୍କା ଖର୍ଚ ହେଲା। ହେଲେ ୧୯ ଦିନ ପରେ ତା’କୁ ବିକୃତ କରିଦେଲେ। ଦୂରଦୃଷ୍ଟି ନ ରଖି ତରବରିଆ ଭାବେ ସୌନ୍ଦର୍ଯ୍ୟକରଣ କାମ ସାରି ଦେଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।