କରୋନା ସହାୟତା ଯୋଗାଡ଼ ପାଇଁ ‘ରୋଡ୍‌ ଆଶ୍ରମ’

ଭୁବ‌ନେଶ୍ବର: କୋଭିଡ୍‌ ଯୋଗୁଁ କ୍ଷତିଗ୍ରସ୍ତ ଲୋକଙ୍କୁ ସାହାଯ୍ୟ ପାଇଁ ପାଣ୍ଠି ଯୋଗାଡ଼ିବାକୁ ୩ଜଣ ବ୍ୟକ୍ତି ଚଳାଇଥିବା ଅଭିଯାନ ‘ରୋଡ୍‌ ଆଶ୍ରମ’ ଭୁବନେଶ୍ବରରେ ପହଞ୍ଚିଛି। ଏହି ଅଭିଯାନରେ ସିଦ୍ଧାର୍ଥ ଦତ୍ତ, ଅହମର ସିଦ୍ଦିକି ଓ ନେହା ଚତୁର୍ବେଦୀ ସାମିଲ୍‌ ହୋଇ ଏକ ସ୍ବତନ୍ତ୍ର କାର୍‌ରେ ୬୦ ଦିନରେ ୨୫ଶହ କିଲୋମିଟର ଭ୍ରମଣ କରିଛନ୍ତି। ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ବିହାର ସଂଲଗ୍ନ ଚୀନ୍‌ ଓ ନେପାଳ ସୀମା ବୁଲିବା ସହ କୋଲକାତା ଯାଇ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିଥିଲେ। ସିକିମ୍‌ରେ ବାଇଚୁଙ୍ଗ ଭୂତିଆଙ୍କୁ ଭେଟିବା ସହ ଭାରତ-ଭୂଟାନ ସୀମାନ୍ତ ଜୟଗାଁ’କୁ ଯାତ୍ରା କରିଥିଲେ।

ଏହି ଅବସରରେ ଆଜି ଭୁବନେଶ୍ବରରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ସମ୍ମୁଖରେ ‘କରୋନା ଏବେ ବି ଶେଷ ହୋଇନାହିଁ’ ଶୀର୍ଷକ ବାଲୁକା କଳା ମାଧ୍ୟମରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ପୂର୍ବତନ ପୁଲିସ୍‌ ଡିଜି ଅମିୟ ଭୂଷଣ ତ୍ରିପାଠୀ, ଗ୍ରିନ୍‌ ପିସ୍‌ ଇଣ୍ଡିଆର ଅଧ୍ୟକ୍ଷ ଡ.ବିଶ୍ବଜିତ ମହାନ୍ତି, ଗବେଷକ ତଥା ଇନ୍‌ଟାକ୍‌ର ଅନିଲ୍‌ ଧୀର୍‌, ପଞ୍ଚମୀ ମାନୁ ଉକିଲ୍‌, ରୀତା ବର୍ମା ସେମାନଙ୍କୁ ସ୍ବାଗତ କରିବା ସହ ବାଲୁକା କଳାକୁ ଉଦଘାଟନ କରିଥିଲେ। ୫ ନିୟୁତ ଲୋକ ଶିଳ୍ପ କ୍ଷେତ୍ର‌ରୁ ଚାକିରି ହରାଇଥିବା ବେଳେ ଗଭୀର ସମସ୍ୟା ମଧ୍ୟରେ କାଳାତିପାତ କରୁଛନ୍ତି। ଶ୍ରୀ ସିଦ୍ଦିକି କହିଛନ୍ତି, ନିଜର ବ୍ୟକ୍ତିଗତ ସାଜସଜାରେ ପ୍ରସ୍ତୁତ କାର୍‌ରେ ଆମେ ଏହି ରୋଡ୍‌ ଆଶ୍ରମର ପରିକଳ୍ପନା କରିଥିଲୁ। ଏହି ୬୦ ଦିନ ମଧ୍ୟରେ ଆମେ ଦୀର୍ଘ କଚ୍ଚା-ପକ୍କା ରାସ୍ତା ଅତିକ୍ରମ କରିଛୁ। ସଚେତନତା ବୃଦ୍ଧି ଓ ସମ୍ବଳ ଯୋଗାଡ଼ ସହ ମହାମାରୀରେ ଲୋକେ ସମ୍ମୁଖୀନ ହେଉଥିବା ଦୁଃସ୍ଥିତିରୁ ସେମାନଙ୍କୁ ଦ‌ୂରେଇବା ଆମର ମୁଖ୍ୟ ଲକ୍ଷ୍ୟ। ଏଥିସହ ଆମେ ଭାରତର ବିଭିନ୍ନ ସଂସ୍କୃତି, ସ୍ଥାନ ଓ ଅନ୍ୟ ସବୁକୁ ଭିଡିଓ ମାଧ୍ୟମରେ ଉପସ୍ଥାପିତ କରିଛୁ। ଏହି ଧାରାରେ ଅନ୍ୟମାନେ ଯୋଡ଼ି ହେବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର