ଭୁବନେଶ୍ବର : ବାତ୍ୟା ପରେ ରାଜଧାନୀରେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇ ନଥିବାରୁ ଏହାର ପ୍ରଭାବ ପାଣି ଯୋଗାଣ ଉପରେ ପଡ଼ିଛି। ଜନସ୍ବାସ୍ଥ୍ୟ ବିଭାଗ ପୂରା ରାଜଧାନୀକୁ ପାଣି ଯୋଗାଇବାରେ ବିଫଳ ହୋଇଥିବାବେଳେ ଲୋକମାନେ ବି ବୋରୱେଲ୍ରୁ ପାଣି ଉଠାଇପାରିନାହାନ୍ତି। ପୂରା ରାଜଧାନୀରେ ଆଜି ଲୋକ ହନ୍ତସନ୍ତ ହୋଇଥିଲେ ହେଁ ପ୍ରଶାସନ ସବୁ ଅଞ୍ଚଳରେ ପାଣି ଯୋଗାଇବାରେ ବିଫଳ ହୋଇଛି। ଏପରିକି ପାଣି ପାଇଁ ଲୋକ ରାସ୍ତାରୋକ କରିବା ସହ ବିଏମ୍ସି ଅଫିସ ଘେରାଉ କରିଥିବାବେଳେ କେତେକ ସ୍ଥାନରେ ଲୋକ କୂଅରୁ ପାଣି କାଢ଼ି ବ୍ୟବହାର କରିଛନ୍ତି।
ବାତ୍ୟା ପୂର୍ବରୁ ଜନସ୍ବାସ୍ଥ୍ୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା କହିଥିଲେ ଯେ, ସମସ୍ତ ଜଳ ବିଶୋଧନାଗାର, ପାଣି ଯୋଗାଣ କେନ୍ଦ୍ରରେ ଡିଜି ସେଟ୍ ମାଧ୍ୟମରେ ପାଣି ଯୋଗାଣ କରିବାକୁ ଯୋଜନା ହୋଇଛି। ହେଲେ ପଳାସୁଣୀ, ହାଇଲେଭେଲ୍ ଟ୍ୟାଙ୍କ ଛାଡ଼ିଦେଲେ ଆଉ କେଉଁଠି ବି ପାଣି ମହଜୁଦ୍ ନଥିବାରୁ ପାଣି ଯୋଗାଣ ସ୍ବାଭାବିକ େହାଇପାରିଲାନି। ଭୁବନେଶ୍ବରକୁ ପାଣି ଯୋଗାଇବାରେ ମୁଖ୍ୟ ଭୂମିକା ନିଭାଉଥିବା ମୁଣ୍ଡୁଳି ଜଳବିଶୋଧନାଗାରରେ ଡିଜି ସେଟ୍ ଶୁକ୍ରବାର ଖରାପ ହୋଇଯିବାରୁ ଏଠାରୁ ପାଣି ଯୋଗାଣ ହୋଇପାରି ନଥିଲା। ଆଜି ବିଭିନ୍ନ ଅଞ୍ଚଳକୁ ଜଳବିଶୋଧନାଗାରରୁ ପାଇପ୍ ପାଣି ଯୋଗାଣ ହୋଇଥିଲେ ହେଁ ବିଭିନ୍ନ ସେକ୍ସନ ସ୍ତରରେ ଥିବା ଓଭରହେଡ୍ ପାଣି ଟାଙ୍କିରୁ ପାଣି ଯୋଗାଣ ସମ୍ଭବ ହୋଇପାରିନଥିଲା। ଏଠାରେ ଜନସ୍ବାସ୍ଥ୍ୟ ବିଭାଗ ପର୍ଯ୍ୟାପ୍ତ ପରିମାଣର ଡିଜିସେଟ୍, ଜେନେରେଟର ଯୋଗାଇବାରେ ବିଫଳ ହେବାରୁ ଏହି ଅବ୍ୟବସ୍ଥା ସୃଷ୍ଟି ହୋଇଥିଲା।
ବିଭିନ୍ନ ବସ୍ତି ଅଞ୍ଚଳରେ ପାଣି ଯୋଗାଣ ହୋଇ ନପାରିବାରୁ ଲକ୍ଷ୍ମୀସାଗର ଅଞ୍ଚଳର କେତେକ ବସ୍ତିବାସିନ୍ଦା ଭୁବନେଶ୍ବର ହୋଟେଲ ନିକଟରେ ରାସ୍ତାରୋକ କରିଥିଲେ। ଏହାପରେ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। କିନ୍ତୁ ଲୋକଙ୍କୁ ପାଣି ଯୋଗାଇବାରେ ବିଫଳ ହେବାରୁ ଲୋକମାନେ ବିଏମ୍ସି ଅଫିସ ଘେରାଉ କରିବା ସହ ହୋହଲ୍ଲା କରିଥିଲେ। ଏହାପରେ ପାଣି ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ହୋଇଥିଲା।
ମୁଣ୍ଡୁଳିକୁ ହେଲିକପ୍ଟରରେ ଗଲା ଡିଜି ସେଟ୍
ରାଜଧାନୀର ୭୦% ଅଞ୍ଚଳକୁ ପାଣି ଯୋଗାଉଥିବା ମୁଣ୍ଡୁଳି ଜଳ ବିଶୋଧନାଗାରରେ ଡିଜି ସେଟ୍ ଖରାପ ହୋଇଯିବା ପରେ ଏହାକୁ ସଜାଡ଼ିବା ପାଇଁ ରାଜ୍ୟ ସରକାର ହେଲିକପ୍ଟରର ସହାୟତା ନେଇଛନ୍ତି। ଆଜି ଦୁଇଟି ୧୫୦୦୦ କିଲୋୱାଟ୍ର ଡିଜି ସେଟ୍ ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶ ସହ ମେକାନିକ୍ଙ୍କୁ ମୁଣ୍ଡୁଳି ପଠାଯାଇଛି। ସଡ଼କ ପଥରେ ମୁଣ୍ଡୁଳିରେ ପହଞ୍ଚିବା ସମ୍ଭବପର ନଥିବାରୁ ରାଜ୍ୟ ସରକାର ଆଜି ସ୍ବତନ୍ତ୍ର ହେଲିକପ୍ଟର ପଠାଇ ଏହାର ମରାମତି କରୁଛନ୍ତି। ରବିବାର ଏଠାରୁ ଜଳ ଯୋଗାଣ ସ୍ବାଭାବିକ ହେବ ବୋଲି କୁହାଯାଉଛି। ଅପରପକ୍ଷେ ବର୍ତ୍ତମାନ ସୁଦ୍ଧା ରାଜଧାନୀର ୪୦% ଅଞ୍ଚଳକୁ ପାଣି ଯୋଗାଣ ହେଉଛି ବୋଲି କୁହାଯାଉଛି।
ଟ୍ୟୁବୱେଲ୍ ନିକଟରେ ଲମ୍ବା ଧାଡ଼ି
ପାଇପ୍ ପାଣି ଏବଂ ବୋରୱେଲ୍ ପାଣି ବ୍ୟବହାର କରିବା ପରେ ଲୋକ ଟ୍ୟୁବୱେଲ୍ ବ୍ୟବହାର କରୁ ନଥିଲେ। କିନ୍ତୁ ବିଏମ୍ସି ପକ୍ଷରୁ ଗ୍ରୀଷ୍ମଋତୁ ପାଇଁ ବିଭିନ୍ନ ଅଞ୍ଚଳରେ ବସିଥିବା ଟ୍ୟୁବୱେଲ୍ ଆଜି ଲୋକଙ୍କୁ ପାଣି ଯୋଗାଇଛି। ଯେଉଁଠି ଗୋଟିଏ ଗୋଟିଏ ଟ୍ୟୁବୱେଲ୍ ଥିଲା ସେଠାରେ ଶହଶହ ଲୋକ ଡେକ୍ଚି, ବାଲ୍ଟି, ଗରା ଧରି ଲମ୍ବା ଧାଡ଼ି ଲଗାଇଥିଲେ। ସାଲିଆ ସାହି, ବରମୁଣ୍ଡା ସମେତ ବିଭିନ୍ନ ବସ୍ତି ଅଞ୍ଚଳରେ ଲୋକ ଟ୍ୟୁବୱେଲ୍ରୁ ପାଣି ନେଇ ପିଇଛନ୍ତି।