ଭୁବନେଶ୍ବର: ଗୋବିନ୍ଦପ୍ରସାଦ ମୌଜାର ଜୟଦୁର୍ଗା ନଗରରେ ଏବେ ଏକ ରାସ୍ତାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ପ୍ରାୟ ୨୦ବର୍ଷ ହେଲା ରାସ୍ତାକୁ ନେଇ ବିବାଦ ଲାଗି ରହିଥିବାରୁ ଶତାଧିକ ଲୋକଙ୍କ ପାଇଁ ପ୍ରଶାସନ ଭଲ ରାସ୍ତାଟିଏ କରିପାରୁନି। ସହର ଭିତରେ ଥାଇ ବି ସଂକୁଚିତ ମାଟି ରାସ୍ତାରେ ଲୋକଙ୍କୁ ଯାତାୟାତ କରିବାକୁ ପଡ଼ୁଛି। ସ୍ଥାନୀୟ ବାସିନ୍ଦା ବିଏମ୍ସି, ସାଧାରଣ ପ୍ରଶାସନ ବିଭାଗ, ଭୁବନେଶ୍ବର ତହସିଲ୍ରେ ବାରମ୍ବାର ଅଭିଯୋଗ କରୁଥିଲେ ହେଁ ଏହି ବିବାଦର ସମାଧାନ ହୋଇପାରୁନି। ସ୍ଥାନୀୟ ବାସିନ୍ଦା ନରେଶ ଅଗ୍ରୱାଲ, ଶ୍ରୀଧର ପଣ୍ଡା, ଅନିଲ ଅଗ୍ରୱାଲ୍ ପ୍ରମୁଖ କହିଛନ୍ତି ଯେ ଅଞ୍ଚଳରେ ଶତାଧିକ ଲୋକ ଦୀର୍ଘ ବର୍ଷ ହେଲା ଭଲ ରାସ୍ତାଟିଏ ପାଇ ପାରୁନାହାନ୍ତି। ଯେଉଁ ରାସ୍ତାକୁ ଦେଖି ବିଡିଏ ଘର ପ୍ଲାନ୍ ଦେଇଥିଲା, ଯେଉଁ ଘର ପାଇଁ ବିଏମ୍ସିକୁ ଆମେ ମାସକୁ ମାସ ହୋଲଡିଂ ଟିକସ ଗଣୁଛୁ ସେଠାରେ ଆମେ ରହିବା କଷ୍ଟକର ହୋଇପଡ଼ିଲାଣି। ଏଠାରେ ଜମି ନଂ ୧୨୮୨ରେ ପ୍ରାୟ ୧୪ଫୁଟ ଓସାରର ଏକ ଚକ ରାସ୍ତା ଥିଲେ ହେଁ ଏହାକୁ ଲାଗିକି ଥିବା ୧୨୮୪ ନଂ ଜମିର ମାଲିକ ଏହି ରାସ୍ତାର ଉନ୍ନତୀକରଣ କରାଇ ଦେଉନାହାନ୍ତି। ଯେତେବେଳେ କି ୨୦୦୨ ମସିହାରେ ଭୁବନେଶ୍ବର ତହସିଲଦାରଙ୍କ ନିର୍ଦ୍ଦେଶରେ ହୋଇଥିବା ମାପ ଅନୁଯାୟୀ, ଏଠାରେ ଚକ ରାସ୍ତା ଅଛି। ସେତେବେଳେ ମାପ କରିଥିବା ଅମିନ ଯେଉଁ ମାପଚୁପ କରି ରିପୋର୍ଟ ଦେଇଥିଲେ, ତାହାକୁ ପ୍ରଶାସନ କାର୍ଯ୍ୟକାରୀ କରୁନଥିବାରୁ ଏବେ ଆମକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବର୍ଷତମାମ କାଦୁଅ ପଙ୍କ ରାସ୍ତାରେ ଯିବାକୁ ପଡ଼ୁଛି। ତେଣୁ ୧୨୮୨ ନମ୍ବର ଜମିରେ ଥିବା ରାସ୍ତାକୁ ଚିହ୍ନଟ କରିବା ସହ ଭଲ ରାସ୍ତାଟିଏ ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ବିଏମ୍ସି କମିସନରଙ୍କ ନିକଟରେ ଦାବି କରିଛନ୍ତି। ଅପରପକ୍ଷେ ୧୨୮୪ ପ୍ଲଟ୍ର ମାଲିକ ମନୋରମା ପଣ୍ଡାଙ୍କ ଝିଅ ଦୀପ୍ତିମୟୀ ପଣ୍ଡା କହିଛନ୍ତି ଯେ ୨୦୦୨ ମସିହାରେ ଯେଉଁ ମାପ ହୋଇଥିଲା ତାହା ଭୁଲ୍ ଅଛି। ନିକଟରେ ସ୍ଥାନୀୟ କର୍ପୋରେଟରଙ୍କ ଉଦ୍ୟମରେ ମାପ ହେବା ସମୟରେ ଜଣାପଡ଼ିଥିଲା ଯେ, ଆମ ପ୍ଲଟ୍ ସମ୍ମୁଖରେ ଯେଉଁ ଲୋକ ଘର କରିଛନ୍ତି ସେ ପ୍ରାୟ ସାଢ଼େ ୫ଫୁଟ ଆଗକୁ ମାଡ଼ି ବସିଛନ୍ତି। ସ୍ଥାନୀୟ ବାସିନ୍ଦା ତାଙ୍କୁ ନହଟାଇ ମୋ ଉପରେ ଦୋଷ ଲଦୁଛନ୍ତି। ଏବେ ଯେଉଁ ରାସ୍ତା ଅଛି ସେଥିପାଇଁ ପୂର୍ବରୁ ଆମ ଜମିରୁ ପ୍ରାୟ ୧୫୦୦ ବର୍ଗଫୁଟ ଜମି ଯାଇଛି। ତେଣୁ ଏବେ ଠିକ୍ ମାପ କରି ରାସ୍ତା ଚିହ୍ନଟ କଲେ ଆମର କିଛି ଅସୁବିଧା ନାହିଁ। ଅପରପକ୍ଷେ ବିଏମ୍ସି ଓ ଭୁବନେଶ୍ବର ତହସିଲ୍ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ରାସ୍ତା ଉନ୍ନତୀକରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବୁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
ରାସ୍ତା ବିବାଦ ତୁଟୁନି
/sambad/media/post_attachments/wp-content/uploads/2018/12/Untitled-21-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)