ରାଜଧାନୀରେ ଲକ୍‌ ଡାଉନ୍: ମୁଖ୍ୟରାସ୍ତାକୁ ଆସିବା ବାଟ ବନ୍ଦ

ୟୁଜିସି ପକ୍ଷରୁ ବିଶ୍ୱବିଦ୍ୟାଳୟ ଓ କଲେଜକୁ ନିର୍ଦେଶ :ଇ-ପାଠ୍ୟକ୍ରମ ସମ୍ପର୍କରେ ପିଲାଙ୍କୁ ଜଣାଅ

ଭୁବନେଶ୍ବର : ରାଜଧାନୀରେ ଲକ୍‌ ଡାଉନ୍ ଘୋଷଣା ହୋଇଥିବାରୁ ସମସ୍ତ ମୁଖ୍ୟ ରାସ୍ତାରେ ଯେପରି ଅଧିକାଂଶ ଗାଡ଼ି ଯାତାୟାତ ନ କରିବ ସେଥିପାଇଁ ଅଧା ରାସ୍ତାକୁ ବ୍ୟାରିକେଡ୍ କରି ବନ୍ଦ କରିଦିଆଯାଇଛି। କେବଳ ଜରୁରୀକାଳୀନ ଗାଡ଼ି ଓ ଆମ୍ବୁଲାନ୍ସ ଯିବା ଆସିବା ପାଇଁ ବାଟ ଛଡ଼ାଯାଇଛି। ଏହାସତ୍ତ୍ବେ ବି ବହୁ ଲୋକ ଅଯଥାରେ ଯାତାୟ‌ାତ କରୁଥିବାରୁ ପୁଲିସ ପକ୍ଷରୁ ରାଜଧାନୀର କିଛି ଗଳି ରାସ୍ତାକୁ ସିଲ୍‌ କରିଦିଆଯାଇଛି। ନି‌କୋ ପାର୍କ ଛକରେ ବାୟାବାବା ମଠକୁ ସଂଯୋଗ କରୁଥିବା ରାସ୍ତା, ଆନନ୍ଦ ବଜାର ଛକରୁ ରୂପାଲି ଛକକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍‌ କରିଦିଆଯାଇଛି। ଖୁବ୍‌ ଶୀଘ୍ର ଅନ୍ୟ ଗଳିକନ୍ଦି ରାସ୍ତାକୁ ସିଲ୍‌ କରିଦିଆଯିବ। ଏହାଦ୍ବାରା ସମସ୍ତ ପ୍ରମୁଖ ରାସ୍ତାରେ ଲୋକ ଯାତାୟାତ କରିପାରିବେନି ବୋଲି କମିସନରେଟ୍ ପୁଲିସର ଜଣେ ଅଧିକାରୀ କହିଛନ୍ତି।

ୟୁଜିସି ପକ୍ଷରୁ ବିଶ୍ୱବିଦ୍ୟାଳୟ ଓ କଲେଜକୁ ନିର୍ଦେଶ :ଇ-ପାଠ୍ୟକ୍ରମ ସମ୍ପର୍କରେ ପିଲାଙ୍କୁ ଜଣାଅ
ଭୁବନେଶ୍ୱର : ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ଲକ୍‌ ଡାଉନ ଯୋଗୁଁ ସେମାନଙ୍କୁ ଘରେ ରହିବାକୁ ପଡୁଛି। ଏଭଳି ସମୟରେ ଯେମିତି ପିଲାଙ୍କ ପାଠପଢା ପ୍ରଭାବିତ ନହୁଏ ସେଥିପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି), ଇଣ୍ଟର ୟୁନିଭର୍ସିଟି ସେଣ୍ଟର, ଇନ୍‍ଫରମେସନ୍‍ ଆଣ୍ଡ ଲାଇବ୍ରେରି ନେଟୱର୍କ, କନ୍‍ସୋରିଟିୟମ ଫର ଏଜୁକେସନାଲ କମ୍ୟୁନିକେସନ୍‍ ପରି ବିଭିନ୍ନ ସଂସ୍ଥା ପକ୍ଷରୁ ଅନ୍‍ଲାଇନ୍‍ ଲର୍ଣ୍ଣିଙ୍ଗ ସୁବିଧା ଯୋଗାଇ ଦିଆଯାଇଛି। ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନ ମହାବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ, ଶିକ୍ଷକ, ଗବେଷକମାନେ ଏହାର ସୁବିଧା ଉଠାଇ ପାରିବେ। ସ୍ୱୟଂ, ୟୁଜି/ପିଜି-ଏମ୍‍ଓଓସିଏସ୍‍, ଇ-ପିଜି ପାଠଶାଳା, ଇ-କଣ୍ଟେଣ୍ଟ, କୋର୍ସୱେୟାର ଇନ୍‍ ୟୁଜି ସବଜେକ୍ଟ, ସ୍ୱୟଂପ୍ରଭା, ସିଇସି-ୟୁଜିସି ୟୁଟ୍ୟୁବ୍‍ ଚ୍ୟାନେଲରେ ଛାତ୍ରଛାତ୍ରୀ ପାଠ ପଢିପାରିବେ। ଏଥିସହ ନ୍ୟାସ୍‍ନାଲ ଡିଜିଟାଲ ଲାଇବ୍ରେରି, ସୋଧଗଙ୍ଗା, ଇ-ସୋଧ ସିନ୍ଧୁ, ବିଦ୍ୱାନ୍‍ ଆଦି ୱେବ୍‍ସାଇଟ୍‍ ମାଧ୍ୟମରେ ବି ଛାତ୍ରଛାତ୍ରୀ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ବିଷୟବସ୍ତୁ ପାଇପାରିବେ। ଏଥିପାଇଁ ୟୁଜିସି ପକ୍ଷରୁ ଆଜି ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି। ଦେଶର ବରିଷ୍ଠ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଉକ୍ତ ୱେବସାଇଟ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କୁଳପତି ଓ ମହାବିଦ୍ୟାଳୟ ଅଧ୍ୟକ୍ଷମାନେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ଲାଗି ୟୁଜିସି ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର