ରାସ୍ତା ବିଗାଡ଼ିଲା ସ୍ବେରେଜ୍‌ ଲାଇନ୍‌ ନିର୍ମାଣ, ହନ୍ତସନ୍ତ ହେଉଛନ୍ତି ଶ୍ୟାମପୁରବାସୀ

ଖଣ୍ଡଗିରି: ଭୁବନେଶ୍ବର ମହାନଗର ନିଗମ ୨୩ ନମ୍ବର ୱାର୍ଡ ଶ୍ୟାମପୁର ଗାଁ ରାସ୍ତା ଶୋଚନୀୟ ହୋଇପଡ଼ିଛି। ସ୍ବେରେଜ୍‌ ଲାଇନ୍‌ ନିର୍ମାଣ କାମ ପାଇଁ ରାସ୍ତା ଅବସ୍ଥା ପୂରା ବିଗିଡ଼ି ଯାଇଥିବାରୁ ଗ୍ରାମବାସୀମା‌ନେ ଯାତାୟାତରେ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଷ୍ଟ୍ରିଟ୍‌ ଲାଇଟ୍‌ ନଥିବାରୁ ଖାଲଖମା ଭର୍ତ୍ତି ଏହି ରାସ୍ତାଟି ରାତିରେ ଅଧିକ ବିପଦପୂର୍ଣ୍ଣ ହୋଇପଡ଼ୁଥିବା ଗ୍ରାମବାସୀମାନେ କହିଛନ୍ତି।

ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ, ବିଏମ୍‌ସିରେ ସାମିଲ ହୋଇଥିଲେ ମଧ୍ୟ ସେମାନେ ଏପର୍ଯ୍ୟନ୍ତ ସହରର ସ୍ବାଦ ପାଇ ପାରିଲେନି। ଗାଁର ମୁଖ୍ୟ ରାସ୍ତା ହେଉଛି ସମ୍ ହସ୍ପିଟାଲ୍ ସମ୍ମୁଖରୁ ଗାଁକୁ ଲମ୍ବିଥିବା ରାସ୍ତା। ପୂର୍ବରୁ ରାସ୍ତାଟି ବେଶ୍ ଭଲ ଥିଲା। କିନ୍ତୁ ସ୍ବେରେଜ୍‌ ଲାଇନ୍‌ ନିର୍ମାଣ ହେବା ପରେ ରାସ୍ତାକୁ ଖୋଳି ନଷ୍ଟ କରି ଦିଆଯାଇଛି। ରାସ୍ତା ଉପରେ ମାଟି ଗଦା ହୋଇ ରହିଛି। ଠାଏଠାଏ ବଡ଼ ବଡ଼ ଖାଲ ସେମିତି ରହିଛି। ଫଳରେ ବର୍ଷା ହେବା ମାତ୍ରେ ଗଦା ହୋଇଥିବା ମାଟି କାଦୁଅ ହୋଇ ରାସ୍ତା ସାରା ଜମି ରହୁଛି। ଖାଲରେ ପାଣି ଜମି ରହୁଛି। ବିଶେଷକରି ରାତିରେ ଏହି ରାସ୍ତାରେ ଯାତାୟାତ କରିବା ସମ୍ଭବ ହେଉନାହିଁ। ସବୁ ବିଦ୍ୟୁତ୍ ଖୁଣ୍ଟରେ ଷ୍ଟ୍ରିଟ୍‌ ଲାଇଟ୍‌ ନଥିବାରୁ ରାସ୍ତାର ଅଧିକାଂଶ ଅଂଶ ଅନ୍ଧାରିଆ ରହୁଛି। ସ୍ଥାନୀୟ ବାସିନ୍ଦା ବିଭୂତି ନାୟକଙ୍କ କହିବା କଥା, ନିଜକୁ ମହାନଗରବାସୀ କହିବାକୁ ଲାଜ ଲାଗୁଛି। ଅନ୍ଧାର ଓ ଖରାପ ରାସ୍ତା ଯୋଗୁଁ ପ୍ରତିଦିନ ଲୋକେ ପଡ଼ିଉଠି ଖଣ୍ଡିଆଖାବରା ହେଉଛନ୍ତି। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଦଳାଇଙ୍କ ସୂଚନାନୁସାରେ ସ୍ବେରେଜ୍‌ ଲାଇନ୍‌ କାମ ସରିଛି ଓ ଖୁବ୍‌ ଶୀଘ୍ର ରାସ୍ତାକୁ ସମତୁଲ କରିବା କାମ ଆରମ୍ଭ କରାଯିବ।

ସମ୍ବନ୍ଧିତ ଖବର