ଭୁବନେଶ୍ୱର : ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀ ରାସ୍ତାରେ ପାଣି ଜମିବା ପାଇଁ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଓ ବିଏମ୍ସି କର୍ତ୍ତୃପକ୍ଷ ଦାୟୀ। ନିୟମ ଅନୁଯାୟୀ ଯେଉଁଠି ରାସ୍ତା ମରାମତି ହେବ ସେଠାରେ ରାସ୍ତାକୁ ପ୍ରଥମେ ଆମ୍ପୁଡ଼ି ପୂର୍ବରୁ ପଡ଼ିଥିବା ପିଚୁ ଆବରଣକୁ ଛଡ଼ାଯିବ। ଏହାପରେ ଖାଲୁଆ ଅଞ୍ଚଳକୁ ପୋତି ସମାନ କରାଯିବ। ହେଲେ ରାସ୍ତା ମରାମତି ସମୟରେ ପୂର୍ବ ପିଚୁ ଆବରଣ ଉପରେ ଆଉ ଏକ ସ୍ତର ପକାଇ ଦିଆଯାଉଛି। ଖାଲି ଏତିକି ନୁହେଁ, ରାସ୍ତା ନିର୍ମାଣ ବେଳେ ଉଠାଣି ଓ ଗଡ଼ାଣିଆକୁ ଧୢାନ ଦିଆଯାଉନି। ଯେଉଁଥିପାଇଁ ଡ୍ରେନ୍ ଗୋଟେ ପଟେ ଥିବାବେଳେ ପାଣି ଆଉ ଗୋଟେପଟେ ଜମା ହେଉଛି।
ଏହାବ୍ୟତୀତ ପିଚୁ ରାସ୍ତା ନିର୍ମାଣ ସମୟରେ ଏଥିରେ ଏକ ଉପାଦାନ ମିଶା ଯାଇଥାଏ, ଯାହାଦ୍ବାରା ପିଚୁ ରାସ୍ତା ପାଣିକୁ ଜାବୁଡ଼ି ଧରିବନି। ହେଲେ ରାସ୍ତା ନିର୍ମାଣ ବେଳେ ଏହାକୁ ଧୢାନ ଦିଆଯାଉନି। କେବଳ ଏତିକି ନୁହେଁ, ରାସ୍ତା ନିର୍ମାଣ ସମୟରେ ପ୍ରତ୍ୟେକ ରାସ୍ତା କଡ଼ରେ ଡ୍ରେନ୍ ରହୁନି। ଯେଉଁଠି ଡ୍ରେନ୍ ରହୁଛି, ସେଠାରେ କେତେ ପାଣି ବହିପାରିବ, ତାହା ସର୍ଭେ ହେଉନି। କେଉଁ ଡ୍ରେନ୍ରେ କେତେ ପାଣି ଯିବ, ସର୍ଭେ କରିବା ପରେ ଯଦି ଡ୍ରେନ୍ ନିର୍ମାଣ ହୁଅନ୍ତା, ତେବେ ଡ୍ରେନ୍ରେ ପାଣି ଜମନ୍ତାନି ବୋଲି ଉକ୍ତ ଅଧିକାରୀଜଣଙ୍କ କହିଛନ୍ତି। ତେଣୁ ଏସ୍ଓପି ପ୍ରସ୍ତୁତ ସମୟରେ ଏହାକୁ ନଜରରେ ରଖାଯିବ। କୌଣସି ଅଞ୍ଚଳରେ ରାସ୍ତା ନିର୍ମାଣ ହେଲେ ରାସ୍ତାର ଉଚ୍ଚତା ମନଇଚ୍ଛା ବଢ଼ାଇ ଦିଆଯିବନି ବୋଲି ନିଷ୍ପତ୍ତି ହୋଇଥିଲା।
ମ୍ୟାନହୋଲ୍ ଗାତୁଆ କି ଉଠାଣିଆ ହେବନି
ରାଜଧାନୀର ଏବେ ପ୍ରାୟ ୧୩ ହଜାର ମ୍ୟାନ୍ହୋଲ୍ ଥିବା ବେଳେ ଏଥିରୁ ଅଧିକାଂଶର ସ୍ଥିତି ଦୟନୀୟ। ଏପରିକି ଦୁଇରୁ ତିନି ବର୍ଷ ତଳେ ନିର୍ମାଣ ହୋଇଥିବା ମ୍ୟାନହୋଲ୍କୁ ଖୋଜିଲେ ବି ମିଳୁନି। ଯେଉଁଥିପାଇଁ ଏବେ ସ୍ବେରେଜ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପୂର୍ବରୁ ଭୁଶୁଡ଼ିଲାଣି। ଅପରପକ୍ଷେ ଅଧିକା˚ଶ ସ୍ଥାନରେ ରାସ୍ତା ନିର୍ମାଣ/ମରାମତି ସମୟରେ ମନଇଚ୍ଛା ଉଚ୍ଚତା ବଢ଼ାଇ ଦିଆଯାଉଥିବାରୁ ମ୍ୟାନହୋଲ୍ଗୁଡ଼ିକ କେଉଁଠି ୬ ଇଞ୍ଚ ତଳକୁ ଦବି ଯାଇଛି ତ କେଉଁଠି ଫୁଟେ ଉଚ୍ଚରେ ଅଛି। ଫଳରେ ଅଧିକା˚ଶ ସମୟରେ ମ୍ୟାନହୋଲ୍ ଜନିତ ଦୁର୍ଘଟଣା ବଢ଼ୁଛି। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମ୍ୟାନହୋଲ୍ଗୁଡ଼ିକ ଖାଲୁଆ ହୋଇଗଲେ, ଏହାର ଘୋଡ଼ଣି ଖୋଲି ହେଉନି। ଯେଉଁଥିପାଇଁ ମରାମତି କରିହେଉନି। ତେଣୁ କେତେକ ସ୍ଥାନରେ ରାସ୍ତା ଉଚ୍ଚତା ଅଧିକ ରହିବ ବୋଲି ଅନୁମାନ କରି ମ୍ୟାନହୋଲ୍ଗୁଡ଼ିକୁ ରାସ୍ତାଠାରୁ ଫୁଟେ ଉଚ୍ଚରେ ନିର୍ମାଣ କରାଯାଉଛି। ହେଲେ ରାସ୍ତାଠାରୁ ମ୍ୟାନହୋଲ୍ ଉଚ୍ଚତା ଅଧିକ ରହୁଥିବାରୁ ଦୁର୍ଘଟଣା ହେଉଛି। ଏସ୍ଓପିରେ ରାସ୍ତା ଓ ମ୍ୟାନହୋଲ୍ ଗୋଟିଏ ସ୍ତରରେ ନିର୍ମାଣ କରିବାର ନିୟମ ରହିଥା’ନ୍ତା। କିନ୍ତୁ ଏସ୍ଓପି ନ ଥିବାରୁ ମନଇଚ୍ଛା ମ୍ୟାନହୋଲ୍ ଚାମ୍ବର ଗଢ଼ା ହେଉଛି।
/sambad/media/post_attachments/wp-content/uploads/2020/07/Waterlogg1-300x150.jpg)
କେହି କାହାକୁ ପଚାରୁନାହାନ୍ତି
ବର୍ଷା ଦିନ ଆସିଲେ ରାଜଧାନୀରେ ରାସ୍ତା ଜନିତ ସମସ୍ୟା ଯୋଗୁଁ ଜଳ ନିଷ୍କାସନରେ ବହୁ ସମସ୍ୟା ଦେଖାଦିଏ। ଏପରିକି ଡ୍ରେନ୍ରେ ପାଣି ନିଷ୍କାସନ ଠିକ୍ ଭାବେ ହୋଇପାରେ ନାହିଁ। ଏନେଇ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କଲେ ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୋଷ ଲଦନ୍ତି। ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ପଚାରିଲେ ବିଏମ୍ସି ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉପରେ ଦୋଷ ଦିଅନ୍ତି। ହେଲେ କେହି କାହା ଭୁଲ୍ ସ୍ବୀକାର କରନ୍ତିନି। କିନ୍ତୁ ରାଜଧାନୀବାସୀ ଜଳବନ୍ଦୀ ହେଉଛନ୍ତି। ତେଣୁ ରାଜଧାନୀର ରାସ୍ତା ନିର୍ମାଣ ଯେପରି ବ୍ୟବସ୍ଥିତ ଢଙ୍ଗରେ ହେବ, ସେଥିପାଇଁ ଏକ ସମନ୍ବିତ କମିଟି ଗଠନ ହୋଇଛି। ପୂର୍ତ୍ତ ସଚିବଙ୍କ ନେତୃତ୍ବରେ ଏହି କମିଟି ଗଠିତ ହୋଇଛି। କୌଣସି ଅଞ୍ଚଳରେ ରାସ୍ତା ନିର୍ମାଣ କି ମରାମତି ହେବା ପୂର୍ବରୁ ବିଏମ୍ସି ସିଟି ଇଞ୍ଜିନିୟର, ଜନସ୍ବାସ୍ଥ୍ୟ ବିଭାଗ ମୁଖ୍ୟଯନ୍ତ୍ରୀ ଓ ପୂର୍ତ୍ତ ବିଭାଗର ମତ ଗ୍ରହଣ କରିବାକୁ କୁହାଯାଇଛି। ହେଲେ ପୂର୍ତ୍ତ ବିଭାଗ କେଉଁଠି ରାସ୍ତାରେ ରାତାରାତି ପିଚୁ ମଡ଼େଇ ଦେଉଛି, ତା’ର ଖବର ବିଏମ୍ସି ପାଖରେ ରହୁନି। ବିଏମ୍ସି କେଉଁଠି କଙ୍କ୍ରିଟ୍ ରାସ୍ତା ନିର୍ମାଣ କରିଦେଉଛି, ସେ ଖବର ପୂର୍ତ୍ତ ବିଭାଗକୁ ଦିଆଯାଉନି। ଯେଉଁଠି ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ଭିତରେ ସମନ୍ବୟ ନାହିଁ, ସେଠାରେ ଜନସ୍ବାସ୍ଥ୍ୟ ବିଭାଗ, ଶକ୍ତି ବିଭାଗକୁ କିଏ ପଚାରୁଛି।