ଭୁବନେଶ୍ୱର : ଘର ଆଗରେ ୨୦ ଫୁଟର ରାସ୍ତା, ୨ଫୁଟ ଓସାର ୪ଫୁଟ ଗଭୀରର ଡ୍ରେନ୍ ଅଛି। କିନ୍ତୁ ବର୍ଷା ହେଲେ ଡ୍ରେନ୍ରେ ପାଣି ଯାଉନି, ଘରେ ଆଣ୍ଠୁଏ ଉଚ୍ଚରେ ଜମି ରହୁଛି। ରାସ୍ତା ଚକାଚକ୍। ହମ୍ପ୍ସ ବି ନାହିଁ। ଆଗରୁ କି ପଛରୁ ଗାଡ଼ି ଆସୁନି। କେହି ଲୋକ କି କୁକୁର ବି ଆସୁନାହାନ୍ତି। କିନ୍ତୁ ହଠାତ୍ ଗାଡ଼ି ଉଠି କଚାଡ଼ି ହୋଇପଡ଼ୁଛି। ଶୁଖିଲାଟାରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ରାସ୍ତାରେ ଫୁଟେ ଉଚ୍ଚରେ ମ୍ୟାନ୍ହୋଲ୍ ଚାମ୍ବର ଉଠିକି ଥିବାରୁ ଗାଡ଼ି ଚଢ଼ିଗଲେ ନିୟନ୍ତ୍ରଣ ରହୁନି।
ବର୍ଷକ ତଳେ ଯିଏ ପାଣି ଲେଭେଲ୍ ମାପି ରାସ୍ତାଠାରୁ ୨ଫୁଟ ଉଚ୍ଚରେ ଘର କରିଥିଲେ, ଏବେ ଘରଠାରୁ ଫୁଟେ ଉଚ୍ଚରେ ରାସ୍ତା। ଘରକୁ ଗାଡ଼ି ଚଢ଼ାଇବା ସମସ୍ୟାଠାରୁ ଆରମ୍ଭ କରି ବର୍ଷା ହେଲେ ଘରେ ପାଣି ପଶିବା ପର୍ଯ୍ୟନ୍ତ ସମସ୍ୟା। ରାଜଧାନୀର ଅଧିକାଂଶ ଅଞ୍ଚଳରେ ଏହି ସମସ୍ୟା। କିନ୍ତୁ ପ୍ରଶାସନ ଚୁପ୍। ଯାହା ପାଖରେ ଅଭିଯୋଗ କଲେ, ସମସ୍ତେ ହାତ ଟେକି ଦେଉଛନ୍ତି। ଫଳରେ ଯାହାର ଟଙ୍କା ଅଛି ସେ ୭ରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରକୁ ୨ରୁ ୩ଫୁଟ ଉଚ୍ଚା କରୁଛନ୍ତି। ୫ରୁ ୭ ବର୍ଷ ଭିତରେ ପୁଣି ରାସ୍ତା ପତ୍ତନଠାରୁ ଘର ତଳକୁ ନ ଆସିଯିବ, ସେ ଗ୍ୟାରେଣ୍ଟି କେହି ଦେଉନାହାନ୍ତି।
ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ହୋଇଥିଲା ନିଷ୍ପତ୍ତି
ତିନି ବର୍ଷରେ ଥରଟିଏ ବି ବୈଠକ ବସିଲାନି
ରାଜଧାନୀରେ ଏହି ସମସ୍ୟା ବଢ଼ି ଚାଲିଥିବାରୁ ଏବଂ ବିନା ପ୍ଲାନିଂରେ ରାସ୍ତା ନିର୍ମାଣ ହେଉଥିବାରୁ ରାଜ୍ୟ ସରକାର ଏନେଇ ଏକ ଏସ୍ଓପି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୭ ଜୁଲାଇରେ ତତ୍କାଳୀନ ଉନ୍ନୟନ କମିସନର ଆର୍ ବାଲ୍କ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଭୁବନେଶ୍ବରରେ ରାସ୍ତା ନିର୍ମାଣ ପାଇଁ ଏସ୍ଓପି ପ୍ରସ୍ତୁତ କରିବାକୁ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ନିଷ୍ପତ୍ତି ହୋଇଥିଲା ଯେ ଏଣିକି କୌଣସି ରାସ୍ତାର ଡିଜାଇନ୍ ମନଇଚ୍ଛା ପ୍ରସ୍ତୁତ ହେବନି। କେଉଁ ରାସ୍ତା କିପରି ନିର୍ମାଣ ହେବ, କେତେ ଉଚ୍ଚତା ବିଶିଷ୍ଟ ହେବ, କେତେ ଓସାରର ହେବ, ରାସ୍ତାର କେଉଁ ପାର୍ଶ୍ବରେ କ’ଣ ରହିବ, ଡ୍ରେନ୍ କିପରି ନିର୍ମାଣ ହେବ, ସ୍ବେରେଜ୍ ଲାଇନ୍ କେଉଁଠି ଯିବ, ମ୍ୟାନହୋଲ୍ ଚାମ୍ବର ରାସ୍ତା ସହ କିପରି ମିଶିକି ରହିବ, ସେନେଇ ଏକ ଷ୍ଟାଣ୍ତାର୍ଡ ଅପରେଟି˚ ପ୍ରୋସିଡ୍ୟୁଅର୍ (ଏସ୍ଓପି) ପ୍ରସ୍ତୁତ ହେବ। ଏହି ଏସ୍ଓପି ଅନୁଯାୟୀ, ଭୁବନେଶ୍ବର ସମେତ ସାରା ରାଜ୍ୟରେ ରାସ୍ତା ନିର୍ମାଣ ହେବ ବୋଲି ନିଷ୍ପତ୍ତି ହୋଇଥିଲା।
ଆଶ୍ଚର୍ଯ୍ୟର ବିଷୟ, ବାଲକ୍ରିଷ୍ଣନଙ୍କ ପରେ ଦୁଇଜଣ ଉନ୍ନୟନ କମିସନର ହେଲେଣି। କିନ୍ତୁ ତିନି ବର୍ଷ ତଳେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ।
ତିନି ବର୍ଷରେ ଥରଟିଏ ବି ବୈଠକ ବସିଲାନି
ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ଯେଉଁ ଅଞ୍ଚଳରେ ରାସ୍ତା ନିର୍ମାଣ ବା ମରାମତି ହେବ, ସେନେଇ ଏକ ଏସ୍ଓପି ପ୍ରସ୍ତୁତ ହେବ। ଏଥିପାଇଁ ପୂର୍ତ୍ତ ସଚିବଙ୍କ ଅଧୢକ୍ଷତାରେ ଏକ କମିଟି ଗଠନ ହୋଇଥିଲା। କମିଟିରେ ଜନସ୍ବାସ୍ଥ୍ୟ ବିଭାଗ ମୁଖ୍ୟଯନ୍ତ୍ରୀ, ଓଡ଼ିଶା ଜଳ ଯୋଗାଣ ଓ ସ୍ବେରେଜ୍ ବୋର୍ଡ ସଦସ୍ୟ ସଚିବ, ବିଏମ୍ସି ସିଟି ଇଞ୍ଜିନିୟର, ସ୍କ୍ରିପ୍ସର ବରିଷ୍ଠ ମହାପ୍ରବନ୍ଧକ, ଶକ୍ତି ବିଭାଗ ପକ୍ଷରୁ ଓପିଟିସିଏଲ୍ କର୍ତ୍ତୃପକ୍ଷ, ବିଏସ୍ଏନ୍ଏଲ୍ର ମୁଖ୍ୟ ମହାପ୍ରବନ୍ଧକ ପ୍ରମୁଖ ରହିଥିଲେ। ଏହି କମିଟି ଏସ୍ଓପି ପ୍ରସ୍ତୁତ କରିବା ସହ ଟେଣ୍ତର୍ ନିୟମରେ ଏନେଇ ପରିବର୍ତ୍ତନ ଆଣିବାକୁ କୁହାଯାଇଥିଲା। ଅଗଷ୍ଟ ୫, ୨୦୧୭ ସୁଦ୍ଧା ଆବଶ୍ୟକ ପରିବର୍ତ୍ତନ ଅଣାଯାଇଥା’ନ୍ତା। ଏହା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ/ମରାମତି ପାଇଁ କ’ଣ କ’ଣ ନିୟମ ରହିବ, ସେନେଇ ବିଜ୍ଞପ୍ତି ପ୍ରକାଶ ପାଇଥା’ନ୍ତା। କିନ୍ତୁ କ’ଣ ନିୟମ ରହିବ ସେ ନିଷ୍ପତ୍ତି ଆଜି ପର୍ଯ୍ୟନ୍ତ ନିଆଯାଇପାରିନି।