ବିଗିଡ଼ିଗଲାଣି ରାସ୍ତା

ଚନ୍ଦ୍ରଶେଖରପୁର : ହକି ବିଶ୍ବକପ୍‌ ‌ବେଳେ ରାସ୍ତା କାମ ହୋଇଥିଲା। ପିଚୁ ଉପରେ ପିଚୁ ପଡ଼ିଥିଲା। ରାସ୍ତା ଚକାଚକ୍‌ ହୋଇଥିଲା। ଭିଭିଆଇପି ରୋଡ୍‌ କୁହାଯାଉଥିବା ଜୟଦେବ ବିହାରରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତାରେ ଖାଲଟିଏ ବି ଦେଖିବାକୁ ମିଳୁ ନଥିଲା। ହେଲେ ଦିନ କେଇଟା ଯାଇଛି କି ନାହିଁ ସବୁ କିଛି ବିଗିଡ଼ି ଗଲାଣି। ବର୍ଷା ହେଉ ନଥିଲେ ବି ରାସ୍ତାରେ ଢେଉ ଖେଳୁଛି ପାଣି। ପାଣି ଜମି ରହିବା ଦ୍ବାରା ରାସ୍ତାରେ ଖାଲ ସୃଷ୍ଟି ହୋଇଛି। ଗାଡ଼ି ଚାଳକ ବି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଲରେ ପଡ଼ି ହିନସ୍ତା ଭୋଗୁଛନ୍ତି। ବାରମ୍ବାର ଅଭିଯୋଗ କରିବା ପରେ ବି କେହି ଶୁଣୁ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଚନ୍ଦ୍ରଶେଖରପୁର ଭାରତୀୟ ପେଟ୍ରୋଲ୍‌ ପମ୍ପରୁ ନୀଳାଦ୍ରିବିହାର ଆଡ଼କୁ ସଂଯୋଗ କରୁଥିବା ରାସ୍ତାର ପ୍ରବେଶ ପଥରେ ଖାଲ ସୃଷ୍ଟି ହୋଇଛି। ଏନେଇ ଲୋକେ ବାରମ୍ବାର ଅଭିଯୋଗ କରିବା ପରେ ସୃଷ୍ଟି ହୋଇଥିବା ବଡ଼ ଖାଲକୁ ଅସ୍ଥାୟୀ ଭାବେ ପିଚୁ ପକାଯାଇ ମରାମତି କରାଯାଇଛି। ହେଲେ ମୁଖ୍ୟ ରାସ୍ତା ଅବସ୍ଥା ଯେମିତିକୁ ସେମିତି ରହିଛି। ସେଥିରେ ପିଚୁ ପକାଯାଇ ନାହିଁ। ପାଣି କେଉଁଠୁ ଆସି ରାସ୍ତା ଖରାପ ହେଉଛି ସେଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ସେହିପରି ନୀଳାଦ୍ରିବିହାର ଆଡ଼କୁ ଯାଇଥିବା ରାସ୍ତାର ଡାହାଣ ପାର୍ଶ୍ବରେ ୫୦ ମିଟର ପର୍ଯ୍ୟନ୍ତ ରାସ୍ତା ଖୋଳି ଦିଆଯାଇଛି। ସ‌ପ୍ତାହେ ହେଲା ଖୋଳା ଯାଇଥିଲେ ମଧ୍ୟ ମରାମତି ହେଉନି। ଗାତକୁ ପୋତି ଠିକାଦାର ସଂସ୍ଥା ଛୁ ମାରିଛି। ରାସ୍ତା ଉପରେ ମାଟି ପଡ଼ିଥିବାରୁ ଛୋଟ ଦୁର୍ଘଟଣା ହେଉଛି।

କେବଳ ଏହି ରାସ୍ତା ନୁହେଁ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକକୁ ସଂଯୋଗ କରୁଥିବା ରାସ୍ତା ମଝିରେ ବଡ଼ ବଡ଼ ଦୁଇଟି ଗାତ ସୃଷ୍ଟି ହୋଇଛି। ୧୫ ଦିନ ହେଲା ଗାତ ହୋଇଥିଲେ ମଧ୍ୟ ତାହାର ମରାମତି ହେଉନି। ଗାଡ଼ି ଚାଳକମାନେ ଗାତରେ ପଡ଼ି ଆହତ ହେଉଛନ୍ତି। ଡିଷ୍ଟ୍ରିକ୍ଟ ସେଣ୍ଟର ଭିତରର ସମସ୍ତ ଏବେ ଗ୍ରାମାଞ୍ଚଳ ରାସ୍ତା ପାଲଟିଛି। ମରାମତି କରିବା ଦିଗରେ କେହି ବି ଧ୍ୟାନ ହେଉ ନାହାନ୍ତି। ଯେଉଁଥିପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଏମ୍‌ସି ୬ ନମ୍ବର ୱାର୍ଡରେ ଆସୁଥିବା ଆର୍ଯ୍ୟ ଭିଲ୍ଲା ନିକଟରେ ‌େସ୍ବରେଜ ପାଇଁ ରାସ୍ତା ଖୋଳାଯାଇଥିଲା, ତାହାର ଆଉ ମରାମତି ହୋଇନି। ମଞ୍ଚେଶ୍ବରରୁ ଗାଡ଼କଣକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ‌େସ୍ବରେଜ କରାଯିବା ପରେ ରାସ୍ତା ଆଉ ମରାମତି ‌ହୋଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

ସମ୍ବନ୍ଧିତ ଖବର