ଗାଡ଼କଣ, ଡମଣା ଓ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ରାସ୍ତା ଅବସ୍ଥା ସଙ୍ଗିନ, ବର୍ଷା ପାଣିରେ ରାସ୍ତା-ଡ୍ରେନ୍‌ ଏକାକାର

ଚନ୍ଦ୍ରଶେଖରପୁର: ବର୍ଷାରେ ବେହାଲ ହୋଇଛି ଗାଡ଼କଣ, ଡମଣା ଓ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ରାସ୍ତା। ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ହେଁ ଏଥିପ୍ରତି କାହା ନଜର ପଡ଼ୁନି। ବର୍ଷା ହେଲେ ରାସ୍ତା ଓ ଡ୍ରେନ ଏକାକାର ହୋଇ ଯାଉଥିବା ବେଳେ ଲୋକେ ପାଣି ଭର୍ତ୍ତି ଡ୍ରେନରେ ପଡ଼ି ଆହତ ହେଉଛନ୍ତି।

୨୦ ବର୍ଷରୁ ଅଧିକ ସମୟ ଧରି ଡମଣା ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହେଉଥିଲେ ମଧ୍ୟ ରାସ୍ତା ହୋଇ ପାରିଲା ନାହିଁ। ଫଳରେ ଡମଣା ଛକରୁ ଗୁରୁ କେଳୁଚରଣ ମହାପାତ୍ର ପାର୍କ ପର୍ଯ୍ୟନ୍ତ ଦୁଇଟିକିଆ ରାସ୍ତା ନିର୍ମାଣ ନେଇ ସରକାର ପ୍ରସ୍ତାବ ଦେଲେ। ହେଲେ ଉକ୍ତ ରାସ୍ତା କାର୍ଯ୍ୟ ଶେଷ ହେବା ପାଇଁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ ରାସ୍ତା କାର୍ଯ୍ୟ ଶେଷ ହେଉନାହିଁ। ଫଳରେ ଖାଲଖମାରେ ଭର୍ତି ହୋଇଥିବା ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଆଜି ପ୍ରବଳ ବର୍ଷା ହେବା ଫଳରେ ରାସ୍ତା କଡ଼ରେ ନିର୍ମାଣ ଚାଲିଥିବା ଡ୍ରେନ୍ ଓ କଚ୍ଚା ରାସ୍ତା ପାଣିରେ ଭର୍ତି ହୋଇ ରାସ୍ତା ଓ ଡ୍ରେନ୍ ଏକାକାର ହୋଇଯାଇଛି। ଏଥିଯୋଗୁଁ କିଛି ଯାନବାହନ ନିୟନ୍ତ୍ରଣ ହରାଇ ଡ୍ରେନ୍‌ରେ ଗଳି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଦୀପ୍ତ ନାୟକ ଓ ସର୍ବେଶ୍ବର ପାଇକରାୟ ନାମକ ଦୁଇ ଜଣ ବ୍ୟକ୍ତି ବାଇକ୍ ସହ ଡ୍ରେନ୍ ଭିତରେ ଗଳିପଡ଼ି ଗୁରୁତର ଆହତ ହୋଇଛନ୍ତି। ଡମଣା ଛକ ଟ୍ରାଫିକ୍ ଜାମ ହେଉଥିବାରୁ ଶତାଧିକ ଯାନବାହନ ଡମଣା ଗାଡ଼କଣ ରାସ୍ତାଦେଇ ଯାତାୟାତ କରୁଥିବା ବେଳେ ଏବେ ଏହି ରାସ୍ତା ବିପଦ ସାଜିଛି। ସେହିଭଳି ଭିଏସ୍ଏସ୍ ନଗର ମଞ୍ଚେଶ୍ବର ଶିଳ୍ପାଞ୍ଚଳ ରାସ୍ତା ବର୍ଷ ବର୍ଷ ଧରି ଖାଲଖମାରେ ଭର୍ତି ହୋଇଛି। ଏହି ରାସ୍ତାରେ ମାଟି ମୁଠେ ପଡ଼ିନାହିଁ। ରାସ୍ତାଟି ବିଡିଏ ଅଧୀନରେ ଥିବାରୁ ସ୍ଥାନୀୟ ପୂର୍ବତନ କାର୍ପୋରେଟର୍ ମରାମତି କାର୍ଯ୍ୟ କରିବାପାଇଁ ଅନୁମତି ପାଇଲେ ନାହିଁ। ଫଳରେ ଦଶା ଭୋଗିଲେ ସ୍ଥାନୀୟ ଲୋକ।
ଅପରପକ୍ଷରେ ମଞ୍ଚେଶ୍ବର ଷ୍ଟେସନ୍ ନିକଟ ଭୋଟପଡ଼ା ଓ ରଙ୍ଗମାଟିଆ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ୩ବର୍ଷରୁ ଅଧିକ ସମୟ ହେବ ମରାମତି ହୋଇନାହିଁ। ଉକ୍ତ ରାସ୍ତାରେ ପ୍ରତିଦିନ ଶତାଧିକ ଟ୍ରକ୍ ଓ ବସ୍ ଯାତାୟାତ କରୁଥିଲେ ମଧ୍ୟ ରାସ୍ତାର ମରାମତି ନେଇ ପ୍ରଶାସନ ଲୋକଙ୍କୁ ଭୂଆଁ ବୁଲାଉଛି।

ସମ୍ବନ୍ଧିତ ଖବର