ଭୁବନେଶ୍ବର: ବିଏମ୍ସିର ୧୧ନମ୍ବର ୱାର୍ଡ ଅନ୍ତର୍ଗତ ଭିଏସ୍ଏସ୍ ନଗର ଜିଏଲ୍ କଲୋନି ରାସ୍ତାରେ ଗତ ଅକ୍ଟୋବର ମାସରେ ୫ଶହ ମିଟର ରାସ୍ତାରେ ପେଭର୍ ବ୍ଲକ୍ ବିଛାଯାଇଥିଲା। ହେଲେ ମାତ୍ର ୪ମାସ ପରେ ଏପ୍ରିଲ୍ ମାସରେ କାଳବୈଶାଖୀ ବର୍ଷାରେ ପେଭର୍ ବ୍ଲକ୍ ଦବି ଗଲା। ଧର୍ମକୁ ଆଖିଠାର ଭଳି ଠିକାଦାର ଯେନତେନ ପ୍ରକାରେ ମରାମତି କରି ଦେଇଥିବାରୁ ଏକ ମାସ ଭିତରେ ପୁଣି ଥରେ ମେ’ ମାସ ବେଳକୁ ରାସ୍ତା ଦବି ଥିଲା। ଏବେ ଲଘୁଚାପଜନିତ ଲଗାଣ ବର୍ଷାରେ ରାସ୍ତା ପୁଣି ଦବି ଯାଇଛି। ଏମିତିକି କିଛି କିଛି ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଠିକାଦାର ବାରମ୍ବାର ଏଭଳି ନିମ୍ନମାନର କାମ କରୁଥିଲେ ହେଁ ବିଏମ୍ସି ଅଧିକାରୀ ନିରବ ରହିବା ସମସ୍ତଙ୍କୁ ସନ୍ଦେହ ଘେରକୁ ଟାଣୁଛି।
ବର୍ଷାରେ ପୁଣି ଦବିଲା ଜିଏଲ୍ କଲୋନି ରାସ୍ତା
ତାଳିପକା କାମ କରୁଛନ୍ତି ଠିକାଦାର
ସୂଚନା ଅନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷରେ ମୌସୁମୀ ବର୍ଷା ପୂର୍ବରୁ ୨୦ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ ହୋଇଥିଲା। ହେଲେ ମରାମତି ବେଳେ ବି ନିମ୍ନମାନର କାମ ହେଉଥିବା ନେଇ ଲୋକମାନେ ଅଭିଯୋଗ କରିଥିଲେ। ଠିକାଦାର କିନ୍ତୁ ଲୋକମାନଙ୍କ କଥାକୁ ଖାତିର ନ କରି ମରାମତି କରି ଦେଇଥିଲେ। ଏବେ ପୁଣିଥରେ ରାସ୍ତା ଦବି ଆଣ୍ଠୁଏ ଗହୀରର ଖାଲ ହୋଇଛି। ତିନି ତିନି ଥର ମରାମତି ପରେ ବି ରାସ୍ତା ଅବସ୍ଥା ସୁଧୁରିପାରୁନି। ସ୍ଥାନୀୟ ବାସିନ୍ଦା କାର୍ତ୍ତିକେଶ୍ବର ଦାସଙ୍କ କହିବାନୁସାରେ, ପ୍ରଥମରୁ ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ହୋଇଥିଲା। ଯାହା ଫଳରେ ଅସରାଏ ବର୍ଷାରେ ବାଲି ଧୋଇ ରାସ୍ତା ଖାଲ ହୋଇଗଲା। ବାରମ୍ବାର ଅଭିଯୋଗ ପରେ ଠିକାସଂସ୍ଥା ମରାମତି କଲା ସତ, ହେଲେ ସଂପୂର୍ଣ୍ଣ ରାସ୍ତାକୁ ମରାମତି କରିବା ପରିବର୍ତ୍ତେ କେବଳ ଯେଉଁଠି ଖାଲ ହୋଇଥିଲା ତାକୁ ମରାମତି କରିଦେଲା। ଏବେ ମରାମତି ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ସ୍ଥାନ ସବୁ ଖାଲ ହୋଇଗଲାଣି। ଚାରି ଚାରି ଥର ମରାମତି ହୋଇ ସୁଦ୍ଧା ୫ଶହ ମିଟର ରାସ୍ତା ଠିକ୍ ହୋଇପାରୁନି।
ଅନ୍ୟଜଣେ ବାସିନ୍ଦା ମହେଶ୍ବର ସାହୁଙ୍କ କହିବାନୁସାରେ, ସରକାର ରାସ୍ତା ପାଇଁ ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରିଥିଲେ। ହେଲେ ଲୋକମାନେ ସେହି ରାସ୍ତାରୁ ୨୦ହଜାର ଟଙ୍କାର ସୁବିଧା ପାଇପାରିଲେ ନାହିଁ। କେବଳ ଠିକାଦାର, ବିଏମ୍ସି ଇଞ୍ଜିନିୟର୍ ଓ ସ୍ଥାନୀୟ ଜନପ୍ରତିନିଧି ମିଶି ଟଙ୍କାକୁ ହରିଲୁଟ୍ କରି ଦେଇଥିବା ସେ ସଂଗୀନ ଅଭିଯୋଗ କରିଛନ୍ତି। ଏନେଇ ବିଏମ୍ସିର କନିଷ୍ଠ ଯନ୍ତ୍ରୀ ପତିତପାବନ ପଟ୍ଟନାୟକଙ୍କୁ ବାରମ୍ବାର ଯୋଗଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ସମ୍ଭବ ହୋଇନଥିଲା।