ସ୍ୱେ‌ରେଜ୍‌ ପାଇଁ ରାସ୍ତା ଖୋଳିଦେଲେ, ବାହାରି ପାରୁ ନାହାନ୍ତି ୧୫ ପରିବାର

ଚନ୍ଦ୍ରଶେଖରପୁର : ସ୍ୱେରେଜ କାମ ପାଇଁ କଲୋନିର ଦୁଇ ପାର୍ଶ୍ବ ରାସ୍ତାକୁ ଖୋଳା ଯାଇଛି। ଗୋଟିଏ ପାର୍ଶ୍ବରେ ୧୦ ଫୁଟ୍‌ର ଗାତ ତ ଆଉ ଗୋଟିଏ ପାର୍ଶ୍ବରେ ୬ ଫୁଟ୍‌ର। କଲୋନିବାସୀ ଘର ବାହାରକୁ ବାହାରି ପାରୁ ନାହାନ୍ତି। ଯଦି ବି କଷ୍ଟେମଷ୍ଟେ ବାହାରୁଛନ୍ତି, ତେବେ ସାଙ୍ଗରେ କାର୍‌ ଆଣି ପାରୁନାହାନ୍ତି। ଜରୁରୀ କାମ ପଡ଼ିଲେ ବି ଲୋକଙ୍କ ଘର ନିକଟକୁ ଆମ୍ବୁଲାନ୍ସ ଯିବାକୁ ବାଟ ନାହିଁ। ଦିନେ କି ଦୁଇ ଦିନ ନୁହେଁ, ପ୍ରାୟ ୧୦ ଦିନ ହେଲା ଡମଣା ଅଞ୍ଚ‌ଳରେ କାମ ଚାଲିଛି ଯେ ସରୁନି। କେବେ ସରିବ, ସେନେଇ ବି କାହା ପାଖରେ ଉତ୍ତର ନାହିଁ। ଯାହାକୁ ପଚାରିଲେ ଗୋଟିଏ ଉତ୍ତର ମିଳୁଛି, କାମ ଜୋରଦାର ଚାଲିଛି। ଖୁବ୍‌ଶୀଘ୍ର ରାସ୍ତା ଫିଟିଯିବ।

ଏଭଳି ସମସ୍ୟା ଲାଗି ଡମଣା ସ୍କୁଲ୍ ନିକଟରେ ଥିବା ଏକ କଲୋନିର ପାଖାପାଖି ୧୫ରୁ ଅଧିକ ପରିବାର ବନ୍ଦୀ ଜୀବନ କାଟୁଛନ୍ତି। ପରିବାରଲୋକ ଘରୁ ବାହାରି ପାରୁ ନାହାନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, କଲୋନିର ଦୁଇ ପାର୍ଶ୍ବ ରାସ୍ତା ଏକା ସମୟରେ କାମ ହେଉଥିବାରୁ ରାସ୍ତା ଖୋଳାଯାଇଛି। ଫଳରେ ଏଠାରେ ବାସ କରୁଥିବା‌ ପରିବାରର ଛୋଟ ପିଲା ଓ ବୟସ୍କ ଲୋକେ ବହୁ ହଇରାଣ ହେଉଛନ୍ତି। ଯିବା ଆସିବା ଲାଗି ଛୋଟିଆ ରାସ୍ତାଟିଏ ରହିଛି। ତେବେ ସେଥିରେ ବିପଦପୂର୍ଣ୍ଣ ଭାବେ ଯିବା ଲାଗି ଲୋକେ ଭୟ କରୁଛନ୍ତି। ୧୦ ଫୁଟ୍‌ରୁ ଅଧିକ ଗଭୀର ଏହି ଗାତ କଡ଼ରେ ଲୁହା ବାଡ଼ ଦିଆଯାଇ ନଥିବାରୁ ୧୦ ଦିନ ମଧ୍ୟରେ ୪ଥର ଗାଈ ଓ ଷଣ୍ଢ ଗଳି ପଡ଼ି ଆହତ ହୋଇଛନ୍ତି। କଲୋନିବାସୀ ଘରୁ ବାଇକ୍ ବାହାର କରିବା କଷ୍ଟକର ହୋଇପଡ଼ିଥିବା ବେଳେ ୪ଚକିଆ କଥା ନ କହିଲେ ଭଲ। ଏକକାଳୀନ ଦୁଇ ପାଖ ରାସ୍ତା ଖୋଳି କାର୍ଯ୍ୟ କରିବା ଉଚିତ ନୁହେଁ ବୋଲି ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଡମଣା ଛକରୁ କେଳୁଚରଣ ପାର୍କ ଦିଗକୁ ଆସୁଥିବା ରାସ୍ତାର ପାଖାପାଖି ୯୦ ଭାଗ କାର୍ଯ୍ୟ ଶେଷ ହୋଇଯାଇଛି। ତେବେ ଉକ୍ତ ରାସ୍ତାର ବାମ ପାର୍ଶ୍ବରେ ଥିବା‌ ଏକ ଗ୍ୟାସ୍ ଗୋଦାମ ବାଧକ ସାଜିଛି। କେଉଁ କାରଣ ଲାଗି ଗ୍ୟାସ୍‌ ଗୋଦାମ ହଟାଯାଉ ନାହିଁ, ସେନେଇ କାହା ପାଖରେ ଉତ୍ତର ନାହିଁ। ଫଳରେ ରାସ୍ତା ନିର୍ମାଣ କାର୍ଯ୍ୟ ମନ୍ଥର ହୋଇଛି ବୋଲି ସ୍ଥାନୀୟ ଲୋକେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର