ପ୍ରହସନ ପାଲଟିଛି ସ୍ମାର୍ଟ ସିଟିର ସାଇକେଲ୍‌ କରିଡର: ଓସାରିଆ ରାସ୍ତାକୁ ସଙ୍କୁଚିତ କରିଦେଲେ

ତିନି ଥାକିଆ ରାସ୍ତା, ଏବେ ଦୁଇ ଥାକିଆ

୭ ମାସ ହେଲା ଗଡ଼ୁନି ସାଇକେଲ୍‌
୪ କିମିରେ ୯୪ଥର ଓହ୍ଲାଇବେ ଆରୋହୀ
ବଢ଼ୁଛି ଦୁର୍ଘଟଣା, ମାସକରେ ୫ ଆହତ

ଚନ୍ଦ୍ରଶେଖରପୁର : କବାଡ଼ିଖାନାରେ ‘ମୋ ସାଇକେଲ୍‌’। ଗୋଟିଏ କି ଦୁଇଟି ନୁହେଁ; ଶତାଧିକ ସାଇକେଲ୍‌ କବାଡ଼ିଖାନାରୁ ମିଳିବା ପରେ ତନାଘନା ଚାଲିଛି। ଆଉ ଏପଟେ ସ୍ମ‌ାର୍ଟ ସିଟିର ବିଭିନ୍ନ ଅଞ୍ଚଳରେ ଚିହ୍ନତ ହୋଇଥିବା ସାଇକେଲ୍‌ ଟ୍ରାକ୍‌କୁ ନେଇ ପ୍ରଶ୍ନ ଉଠିଲାଣି। ୨୦୧୮ରେ ପୁରୁଷ ହକି ବିଶ୍ବକପ୍‌ ସମୟରେ ସହରର ୩ଟି ରୁଟ୍‌ (ଗଭର୍ଣ୍ଣର ହାଉସ୍‌ ଛକରୁ କଳିଙ୍ଗ ଷ୍ଟାଡିୟମ-ଜୟଦେବ ବିହାର-କଳିଙ୍ଗ ହସ୍ପିଟାଲ ଛକ- ପଟିଆ- କିଟ୍‌ ଛକ, ବିମାନବନ୍ଦରରୁ ସଚିବାଳୟ ମାର୍ଗ-ଜୟଦେବ ବିହାର- କଳିଙ୍ଗ ହସ୍ପିଟାଲ ଛକ, ୟୁନିଟ ୧ରୁ ରେଳ ଷ୍ଟେସନ୍‌-ବାଣୀବିହାର ପର୍ଯ୍ୟନ୍ତ ଜନପଥ ରାସ୍ତା)ରେ ସାଇକେଲ୍‌ ଟ୍ରାକ୍‌ ଚିହ୍ନଟ କରି ନାଲି ରଙ୍ଗ ଲଗାଯାଇଥିଲା। ତେବେ ସେତେବେଳର ସାଇକେଲ୍‌ ଟ୍ରାକ୍‌ ଏବେ ଆଉ ନାହିଁ। ରାସ୍ତାରୁ ରଙ୍ଗ ଉଡ଼ିଗଲାଣି। ସାଇକେଲ୍‌ ଟ୍ରାକ୍‌ରେ କାର୍‌, ଅଟୋ, ବାଇକ୍‌ ଗଡ଼ୁଛି ବା ପାର୍କିଂ ହୋଇଥିବା ଦେଖିବାକୁ ମିଳୁଛି। କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ସାଇକେଲ୍‌ ଟ୍ରାକ୍‌ କାମରେ ଲାଗିପାରି ନ ଥିବା ବେଳେ ସରକାରୀ ବାବୁଙ୍କ ଦୂରଦୃଷ୍ଟି ଅଭାବର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି।


ରାଜଧାନୀରେ ବାଇକ୍‌, ଅଟୋ, କାର୍‌ ଚାଳକଙ୍କ ଭିଡ଼ ଭିତରେ ପ୍ରଦୂଷଣମୁକ୍ତ ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ପକ୍ଷରୁ ଏଭଳି ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସାଇକେଲ୍‌ ଟ୍ରାକ୍‌ରେ ଯେପରି କେବଳ ସାଇକେଲ୍‌ ଗଡ଼ିବ; ସେଥିପାଇଁ ଶିଖରଚଣ୍ଡୀ ପାଦଦେଶରୁ ପଟିଆ‌ ଛକ ପର୍ଯ୍ୟନ୍ତ ରାସ୍ତାରେ ସ୍ବତନ୍ତ୍ର ସାଇକେଲ୍‌ କରିଡର୍‌(ରାସ୍ତା ମଝିରେ ଲୁହା ବାଡ଼) କରାଯାଇଥିଲା। ପରୀକ୍ଷାମୂଳକ ଭାବେ ଗତ ଜାନୁଆରିରେ ଏଭଳି କରିଡର ନିର୍ମାଣ ‌ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାମରେ ଲାଗିପାରିନି। ପ୍ରଥମେ ପ୍ରଥମେ ସମସ୍ତେ ଏହାକୁ ପ୍ରଶଂସା କରିବା ସହ ସାଇକେଲ୍‌ ଚାଳକଙ୍କ ଲାଗି ବେଶ୍‌ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ। ତେବେ ୭ ମାସ ପରେ ପ୍ରକୃତ ଚିତ୍ର ଏବେ ସାମ୍ନାକୁ ଆସିଛି। ଏହାଦ୍ବାରା ରାସ୍ତା ସଙ୍କୁଚିତ ହେବା ସହ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟା ସମୟରେ ଏହି ରାସ୍ତାରେ ଦୁର୍ଘଟଣାମାନ ଘଟୁଥିବା ନଜରକୁ ଆସିଛି। ଏମିତିକି ଗତ ମାସକ ମଧ୍ୟରେ ଲୁହା ବାରିକେଡ୍‌ରେ ପିଟି ହୋଇ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି।


ସାଇକେଲ୍‌ କରିଡର ଦ୍ବାରା ୪ କିମି ଲମ୍ବର ଏହି ରାସ୍ତା ବହୁ ପରିମାଣରେ ସଙ୍କୁଚିତ ହୋଇଛି। ତିନି ଥାକିଆ ରାସ୍ତା ଏବେ ଦୁଇ ଥାକିଆରେ ପରିଣତ ହୋଇଛି। ସ୍ଥିତି ଏମିତି ହୋଇଛି ଯେ ଗୋଟିଏ ଦିଗରୁ ଯାଉଥିବା ଦୁଇଟି ଗାଡ଼ି ପରସ୍ପରକୁ ଅତିକ୍ରମ କରିବା କଷ୍ଟକର ହୋଇପଡ଼ୁଛି। ସାଇକେଲ୍‌ ଟ୍ରାକ୍‌ ପାଇଁ ବାରିକେଡ୍‌ ହୋଇଥିବାରୁ ଏହି ରାସ୍ତା ଅନ୍ୟମାନଙ୍କ ବ୍ୟବହାର ଅନୁପଯୁକ୍ତ ହୋଇପଡ଼ିଛି। ଆଉ ଏକ ସମସ୍ୟା ହେଉଛି ୪ କିଲୋମିଟରର ଏହି ସାଇକେଲ୍‌ କରିଡରରେ ଯିବା ପାଇଁ ଚାଳକଙ୍କୁ ନାକେଦମ୍‌ ହେବାକୁ ପଡ଼ୁଛି। ଯଦି ଜଣେ ଶିଖରଚଣ୍ଡୀ ପାଦଦେଶରୁ ବାହାରି ପଟିଆରେ ପହଞ୍ଚିବା ପାଇଁ ଚାହିଁବେ; ତେବେ ତାଙ୍କୁ ୯୪ ଥର ଓହ୍ଲାଇବାକୁ ଓ ଚଢ଼ିବାକୁ ପଡ଼ିବ। ଯେଉଁଥିପାଇଁ ଚାଳକମାନେ କରିଡର୍‌ ବାହାରେ ସାଇକେଲ୍‌ ଚଳାଇବାକୁ ଉଚିତ ମଣୁଛନ୍ତି। ରାସ୍ତାକୁ ଆହୁରି ସୁନ୍ଦର କରିବାକୁ ୨୦୦ରୁ ଅଧିକ ଫୁଲକୁଣ୍ଡ ରଖାଯାଇଛି। ତେବେ ଏଥିରେ ଫୁଲ ଗଛ ନାହିଁ। କେତେକ ସ୍ଥାନରେ କୁଣ୍ଡ ଭାଙ୍ଗି ଗଲାଣି। କୁଣ୍ଡଗୁଡ଼ିକ ଏଣେତେଣେ ପଡ଼ିଥିବା ନଜରକୁ ଆସିଛି। ଆଉ କିଛି ସ୍ଥାନରେ ରାସ୍ତା ଖୋଳାଯାଇଥିବାରୁ ସାଇକେଲ୍‌ ଚାଲିପାରୁନି। ଇନ୍‌ଫୋସିଟି ଛକରୁ ପଟିଆ ଛକ ରାସ୍ତାର ୪୦୦ ମିଟର ପର୍ଯ୍ୟନ୍ତ ଲାଗିଥିବା ଲୁହା ବାଡ଼କୁ ଦୁବୃର୍ତ୍ତ କାଟି ନେଇଗଲେଣି। ଲୁହା ନାହିଁ କି ତାରଜାଲି ନାହିଁ। ରାସ୍ତାରେ କେବଳ ନାଲିରଙ୍ଗ ବୋଳା ଟ୍ରାକ୍‌ ରହିଛି।

ବିଏସ୍‌ସିଏଲ୍‌ର ଜିଏମ୍‌ କମଲ୍‌ଜିତ୍‌ ଦାସଙ୍କ କହିବାନୁଯାୟୀ ଅମାନିଆ ଗାଡ଼ି ଚାଳକଙ୍କ ଉପରେ ଲଗାମ ଲଗାଇବା ପାଇଁ ସାଇକେଲ୍‌ ଟ୍ରାକ୍‌କୁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଥିଲା। ମଝିରେ ମଝିରେ ସିମେଣ୍ଟ ଖୁଣ୍ଟ ବି ଉଠାଯାଇଛି। ଏହାଦ୍ବାରା ସାଇକେଲ ଚାଳକଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। ବରଂ ସେମାନେ ବିନା ବାଧାରେ ଯାଇପାରିବେ। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବା କ୍ଷଣି କରୋନା ପ୍ରକୋପ ବଢ଼ିବାରୁ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ହୋଇଥିଲା। ଲୋକେ ତାହାକୁ ବ୍ୟବହାର କରିପାରି ନାହାନ୍ତି। ଆଶା କରୁଛୁ ଏବେ ସ୍ଥିତିରେ ସୁଧାର ଆସିଥିବାରୁ ସାଇକେଲ୍‌ ଚାଳକମାନେ ଏହାର ଉପଯୋଗ କରିପାରିବେ।

ସମ୍ବନ୍ଧିତ ଖବର