୧୨୦ ବାଟାଲିୟନ୍‌ରେ ଡ୍ରେନ୍ ନିର୍ମାଣ ପାଇଁ ବାଟ ଫିଟିଲା

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅନୁ‌ରୋଧ କରିଥିଲେ ଭୁବନେଶ୍ବର ସାଂସଦ
ଅଢ଼େଇ ମାସ ତଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଛି ଅନୁମତି
ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କଲେ ସାଂସଦ

ଭୁବନେଶ୍ବର : ଜଳବନ୍ଦୀ ଅଞ୍ଚଳର ହଟ୍‌ସ୍ପଟ୍ ଭାବେ ପରିଚିତ ନୂଆପଲ୍ଲୀରେ ଡ୍ରେନ୍ କାମ ପାଇଁ ବାଟ ଫିଟିଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ୧୨୦ ବାଟାଲିୟନ୍‌ରେ ଡ୍ରେନ୍ କାମ କରିବାକୁ ଅନୁମତି ଦେଇଛି। ଯାହା ଦ୍ବାର ବର୍ତ୍ତମାନ ନୂଆପଲ୍ଲୀର ନୂଆସାହି, ବାଲିତୋଟା ସାହି, ଶାସ୍ତ୍ରୀନଗର, ବେହେରାସାହି, ଭୋଇସାହି, ଗଡ଼ସାହି, ଉପରସାହି ଓ ଏହାର ଆଖପାଖ ଅଞ୍ଚଳରେ ଲୋକେ ଆଉ ଜଳବନ୍ଦୀ ସମସ୍ୟା ଭୋଗିବେ ନାହିଁ। ୟୁନିଟ୍-୮ ଡିଏଭି ସ୍କୁଲ୍‌ରୁ ଆରମ୍ଭ ହୋଇ ପାଇକନଗର ପର୍ଯ୍ୟନ୍ତ ତିଆରି ହେବାକୁ ଥିବା ଅତିରିକ୍ତ ଡ୍ରେନ୍‌ ୧୨୦ ବାଟାଲିୟନ୍ ମଧ୍ୟ ଦେଇ ଯିବ। ପ୍ରାୟ ୧୭୭୦ ବର୍ଗମିଟର ଜାଗାରେ ଡ୍ରେନ୍ ତିଆରି ହେବ। ଏହି ଡ୍ରେନ୍ ତିଆରି ହେବାକୁ ନେଇ ପୂର୍ତ୍ତ ବିଭାଗ ଗତ ୪ରୁ ୫ବର୍ଷ ତଳେ ଉଦ୍ୟମ କରି ବିଫଳ ହୋଇଥିଲା। ଯେଉଁଥିପାଇଁ ପ୍ରତିବର୍ଷ ବର୍ଷାଦିନେ ଲୋକେ ଅସନ୍ତୋଷ ପ୍ରକାଶ କରୁଥିଲେ। ଏନେଇ ଉଭୟ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ପରସ୍ପରକୁ ଦୋଷ ଲଦୁଥିଲେ ସିନା, କିଛି ଠୋସ୍ ପଦକ୍ଷେପ ନେଇ ପାରୁନଥିଲେ।

ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନୂଆପଲ୍ଲୀ ବାସିନ୍ଦା ଏ ନେଇ ଫେରାଦ ଦେବା ପରେ ପୂର୍ତ୍ତ ବିଭାଗର ଯୋଜନା ବିଷୟରେ ଅବଗତ କରିଥିଲେ। ଏନେଇ ଗତ ଫେବ୍ରୁଆରି ୧୧ରେ ଶ୍ରୀମତୀ ଷଡ଼ଙ୍ଗୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିବା ସହିତ ଲୋକଙ୍କ ସମସ୍ୟା ବିଷୟରେ ଅବଗତ କରିଥିଲେ। ଗତ ଏପ୍ରିଲ୍ ୮ରେ ରାଜନାଥ ସିଂହ ସାଂସଦଙ୍କ ଚିଠି କ୍ରମେ ବାଟାଲିୟନ୍ ମଧ୍ୟରେ ଡ୍ରେନ୍ କାମ କରିବାକୁ ଅନୁମତି ଦେଇଥିଲେ। ଆଜି ଏ ନେଇ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି। ବର୍ତ୍ତମାନ ପ୍ରତିବନ୍ଧକ ହଟି ଯାଇଥିବାରୁ ତୁରନ୍ତ ଏହି ଡ୍ରେନ୍ କାମ ଆରମ୍ଭ କରିବା ପାଇଁ ବିଏମ୍‌ସିକୁ ନିର୍ଦ୍ଦେଶ ଦେବାକୁ ‌ସେ ଅନୁରୋଧ କରିଛନ୍ତି। ଫଳରେ ସ୍ଥାନୀୟ ଲୋକଙ୍କ ମନରେ ଆଶା ସଂଚାର ହୋଇଛି।

ସମ୍ବନ୍ଧିତ ଖବର