ଭୁବନେଶ୍ୱର: ରାଜଧାନୀରେ ଆଜି ନୂଆବର୍ଷ ପାଇଁ ସବୁଠୁ ଅଧିକ ଉତ୍ସାହିତ ଥିଲା ଫୁଲ ଓ କେକ୍ ବଜାର। ଭଳିକି ଭଳି ଫୁଲ ସହିତ ଫୁଲତୋଡ଼ା ପାଇଁ ଲୋକେ ସକାଳୁ ଗହଳି କରିଥିଲେ। ନୂଆବର୍ଷ ଅବସରରେ ପ୍ରିୟଲୋକଙ୍କ ସହିତ ସହକର୍ମୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଫୁଲତୋଡ଼ା ଦେବାର ପରଂପରା ଥିବାରୁ ଏହାର ଚାହିଦା ଆଜି ଖୁବ୍ ବଢ଼ିଯାଇଥିଲା। ୧୦୦ ଟଙ୍କା ଭିତରେ ବିକ୍ରି ହେଉଥିବା ଫୁଲତୋଡ଼ାର ମୂଲ୍ୟ ଅନେକ ଅଞ୍ଚଳରେ ୧୦୦୦ ଟଙ୍କାରେ ପହଞ୍ଚି ଯାଇଥିଲା। କିନ୍ତୁ ଏହି ଫୁଲର ଚାହିଦା ରାଜଧାନୀର ନିତିଦିନିଆ ସମସ୍ୟା ଟ୍ରାଫିକ ସ୍ଥିତିକୁ ଆହୁରି ବିଗାଡ଼ି ଦେଇଥିଲା। ରାଜଧାନୀର ଅଧିକାଂଶ ସ୍ଥାନରେ ଫୁଲ ବ୍ୟବସାୟୀମାନେ ଆଜି ରାସ୍ତା ଉପରେ ଫୁଲର ପସରା ମେଲାଇ ଦେଇଥିବାରୁ ତା’ଦ୍ବାରା ତଥା ତାକୁ କିଣିବାକୁ ଆସୁଥିବା ଲୋକଙ୍କ ଗାଡ଼ି ଦ୍ବାରା ବିଭିନ୍ନ ସ୍ଥାନରେ ଟ଼୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।
ଉଦାହରଣ ଭାବରେ ଏକ ନମ୍ୱର ମାର୍କେଟରୁ ଏଜି ଛକକୁ ନିଆ ଯାଇପାରେ। ଏଠାରେ ରାସ୍ତାକଡ଼ରେ ଥିବା ଭେଣ୍ଡିଂଜୋନ୍ ବ୍ୟବସାୟୀମାନେ ନିଜ ଫୁଲର ସମ୍ଭାରକୁ ରାସ୍ତା ଉପର ପର୍ଯ୍ୟନ୍ତ ନେଇ ଆସିଥିବାରୁ ସେଠାରେ ପ୍ରବଳ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା। ମାତ୍ର ୧୦୦ ମିଟର ରାସ୍ତାକୁ ପାର ଦେବାଲାଗି ୧୫-୨୦ ମିନିଟ ଲାଗିଯାଉଥିଲା। ଷ୍ଟୁଆର୍ଟ ସ୍କୁଲ ଛକରୁ ସିଆର୍ପି ଛକର ସ୍ଥିତି ତ ଆହୁରି ଶୋଚନୀୟ ହୋଇ ପଡ଼ିଥିଲା। ରାସ୍ତାର ଦୁଇପାର୍ଶ୍ୱରେ ଭେଣ୍ଡିଂଜୋନଥ ଥିବାରୁ ଟ୍ରାଫିକ ସମସ୍ୟା ବେଶ୍ ଜଟିଳ ହୋଇପଡ଼ିଥିଲା। ଗୋଟିଏ ପଟେ ପାର୍କିଂ ପାଇଁ ସ୍ଥାନ ନଥିବାରୁ ଲୋକେ ରାସ୍ତାରେ ଗାଡ଼ି ପାର୍କ କରୁଥିବାବେଳେ ଆଉ ଗୋଟେ ପଟେ ବ୍ୟବସାୟୀମାନେ ଅଧାରାସ୍ତା ଯାଏଁ ଫୁଲ ଓ ଅନ୍ୟାନ୍ୟ ସାମଗ୍ରୀର ପସରା ମେଲାଇ ଦେଇଥିଲେ। ପୁଣି ରାସ୍ତା ମଝିରେ ଥିବା ଡିଭାଇଡର୍ ରାସ୍ତାକୁ ଆହୁରି ଛୋଟ କରିଦେଉଛି। ଫଳରେ ଆଜି ଭିଡ଼ ଯୋଗୁଁ ଏହି ରାସ୍ତାରେ ଦୁଇଟି ଗାଡ଼ି ଏକସମୟରେ ଯିବା ମଧ୍ୟ ସମ୍ଭବପର ହେଉ ନଥିଲା। ମାତ୍ର ୧୦୦ ମିଟର ରାସ୍ତାକୁ ଅଧଘଣ୍ଟା ସମୟ ଲାଗିଯାଉଥିଲା। ସେହିପରି ଆଇଡି ମାର୍କେଟ ଛକରୁ ମହିଳା ଟାଙ୍କି ଛକ ପର୍ଯ୍ୟନ୍ତ ସମାନ ସ୍ଥିତି ହୋଇଥିଲା। ଏଠାରେ ମଧ୍ୟ ଆଜି ଫୁଲ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା। ପାଖାପାଖି ୮୦୦ ମିଟର ରାସ୍ତା ପାର ହେବା ପାଇଁ ଅଧଘଣ୍ଟା ସମୟ ଲାଗି ଯାଉଥିଲା।