ଚନ୍ଦ୍ରଶେଖରପୁର: ରାଜଧାନୀରେ ଦିନକୁ ଦିନ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଏହାକୁ ରୋକିବା ଲାଗି ସରକାର ରାତ୍ରିକାଳୀନ କର୍ଫ୍ୟୁ ସହ ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ୍ ଘୋଷାଣା କରିଛନ୍ତି। ରାତି ୯ ଟା ପରେ ଅତି ଜରୁରୀ କାମ ନ ପଡ଼ିଲେ ଘରୁ କେହି ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ବାରା ସଂଧ୍ୟାରେ ହାଟରେ ଅସମ୍ଭାଳ ଭିଡ଼ ହେଉଛି। କିଏ ବ୍ୟାଗରେ ପରିବା ଫୁଲ୍ କରି ବୋହି ନେଉଛି ତ ଆଉ କିଏ ବଡ଼ ବଡ଼ ବସ୍ତାରେ ନେଉଛନ୍ତି। ହାଟ ବନ୍ଦ ହେବାର କିଛି ସମୟ ପୂର୍ବରୁ ହାଟ ଭିତରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ୁଛି। ପରିବା କିଣିବା ସମୟରେ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହୁନାହିଁ। କାହାର ମାସ୍କ ଓଠ ତଳକୁ ରହୁଛି ତ କାହାର କାନରେ ଝୁଲୁଛି। ଦେହରେ ଦେହ ଘସି ସଉଦା ଓ ପରିବା କିଣୁଛନ୍ତି। ତେବେ କିଛି ଲୋକ ଅସମ୍ଭାଳ ଭିଡ଼ ଦେଖି ହାଟରୁ ପରିବା ନ କିଣି ଖାଲି ହାତରେ ଘରକୁ ଫେରିଯାଇଥିଲେ। ଏ ହେଉଛି ରାଜଧାନୀର ଅନ୍ୟତମ ପ୍ରମୁଖ ଭିଏସଏସ ନଗର ଗଡ଼େଶ୍ବର ହାଟର ଦୃଶ୍ୟ।
ଅପରପକ୍ଷରେ ହାଟ କରିବାକୁ ଆସିଥିବା ଗ୍ରାହକମାନେ ରାସ୍ତାରେ ଗାଡ଼ି ରଖି ମାର୍କେଟିଂ କରୁଥିଲେ। ଫଳରେ ରାସ୍ତା ଜାମ୍ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଗୁଡିକୁ ହଟାଇବା ପରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଭିଏସଏସ ନଗର ହାଟରେ ୨୦୦ ଜଣ ବ୍ୟବସାୟୀ ଦୋକାନ କରିଛନ୍ତି। କିନ୍ତୁ କରୋନା ପାଇଁ ସରକାର କଟକଣା କରିଥିବା ବେଳେ ହାଟରେ ଅସମ୍ଭାଳ ଭିଡ଼ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ତେବେ ହାଟ ସଂଗଠନ ପକ୍ଷରୁ ଗୋଟିଏ ହାଟ ବାରରେ ଅଧା ଓ ଅନ୍ୟ ହାଟ ବାରରେ ଆଉ ଅଧା ଦୋକାନୀ ବସିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/26d6g54a65gaddddddddddddddd.jpg)