ଭୁବନେଶ୍ୱର ଟାଉନ୍‌ ସେଣ୍ଟର୍‌ ଅଡ଼ୁଆ : କଣ୍ଟ ପୂରିଲା ବାଟ ଫିଟୁନି

୮୪୫କୋଟିର ପ୍ରକଳ୍ପ, ପାଖରେ ଟଙ୍କାଟେ ନାହିଁ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରର ସବୁଠୁ ବଡ଼ ପିପିପି ପ୍ରକଳ୍ପ ‘ଭୁବନେଶ୍ୱର ଟାଉନ୍‌ ସେଣ୍ଟର୍‌’ ଓ ‘ରେଳ ଷ୍ଟେସନ୍‌ ମଲ୍ଟି ମୋଡାଲ ହବ୍‌’ ନିର୍ମାଣ ନେଇ ଏବେ ସୁଦ୍ଧା ଅଡ଼ୁଆ ଛିଡ଼ୁନି। ଏହି ପ୍ରକଳ୍ପ ପାଇଁ ୮୪୫କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିଲେ ହେଁ ପିପିପି ମୋଡ୍‌ରେ କେଉଁ ସଂସ୍ଥା ଏଠାରେ ପୁଞ୍ଜିନିବେଶ କରିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରିଲାନି। କର୍ତ୍ତୃପକ୍ଷ କହୁଛନ୍ତି ଡିଜାଇନ୍‌ ପ୍ରସ୍ତୁତ ହେଲେ ଆମେ ତାହାକୁ ଦେଖାଇ ବିଭିନ୍ନ ସଂସ୍ଥାକୁ ପୁଞ୍ଜିନିବେଶ କରାଇବାକୁ ଆକର୍ଷିତ କରିବୁ। କେବଳ ପୁଞ୍ଜିନିବେଶ ନୁହେଁ ରାସ୍ତା ସମ୍ପ୍ରସାରଣ, ସିଟି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର, ଅଶୋକା ମାର୍କେଟ୍‌ ଉଚ୍ଛେଦ, ଜମି ଅଧିଗ୍ରହଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏପର୍ଯ୍ୟନ୍ତ ସରିନି। ଯେଉଁଥିପାଇଁ ସ୍ମାର୍ଟ ସିଟି ଭୁବନେଶ୍ୱରର ସବୁଠୁ ବଡ଼ ପ୍ରକଳ୍ପ ଏବେ ବହୁ ଅଡ଼ୁଆ ଭିତରେ ଛନ୍ଦି ହୋଇଯାଇଛି।

ଭୁବନେଶ୍ୱର ଟାଉନ୍‌ ସେଣ୍ଟର୍‌ ଓ ରେଳ ଷ୍ଟେସନ୍‌ ମଲ୍ଟି ମୋଡାଲ ହବ୍‌ ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଡେଡଲାଇନ୍‌ ଧାର୍ଯ୍ୟ ହୋଇଥିଲା। ଅକ୍ଟୋବର ଶେଷ ସୁଦ୍ଧା ଏହି ମେଗା ପ୍ରକଳ୍ପ ଆରମ୍ଭ ନେଇ ଅଡ଼ୁଆ ସାଜୁଥିବା ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ ଡେଡଲାଇନ୍‌ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଡେଡଲାଇନ୍‌ ପୂରିଥିଲେ ହେଁ କିଛି ବି ଆଖିଦୃଶିଆ ଆଗେଇନି। କର୍ତ୍ତୃପକ୍ଷ ଅକ୍ଟୋବର ଡେଡଲାଇନ୍‌କୁ ଏବେ ନଭେମ୍ବରକୁ ଘୁଞ୍ଚାଇ ଦେଇଛନ୍ତି। ମାସକ ମଧ୍ୟରେ ସବୁ ସମସ୍ୟାର ସମାଧାନ କରି ପ୍ରକଳ୍ପ ପାଇଁ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ସିଟି ବସଷ୍ଟାଣ୍ଡ କେଉଁଠିକୁ ସ୍ଥାନାନ୍ତର ହେବ ଠିକ୍‌ ହୋଇପାରୁନି

ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ୍‌ ସିଟି ବସ୍‌ ଷ୍ଟାଣ୍ଡକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଭୁବନେଶ୍ୱର ମଧ୍ୟରେ କେଉଁଠି ଜାଗା ଚିହ୍ନଟ କରିବାକୁ ବିପିଟିଏସ୍‌ଏଲ୍‌ ଓ ଡିଟିଏସ୍‌କୁ ଦାୟିତ୍ୱ ଦିଆଯାଇଛି। ନଭେମ୍ବର ଶେଷ ସୁଦ୍ଧା ସିଟି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ଉପଯୁକ୍ତ ଜମି ମିଳୁନି। ଯେଉଁଠି ଜମି ଅଛି ସେଠାକୁ ଓସାରିଆ ରାସ୍ତା ନାହିଁ ତ କେଉଁଠି ପଡ଼ିଆଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆଗୁଆ ବୁକିଂ ହୋଇଛି। ତେଣୁ ଭୁବନେଶ୍ୱର ଭିତରେ ଜମି ଖୋଜିବା ଏବେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଦେଇଛି। ବିପିଟିଏସ୍‌ଏଲ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଆମେ ଭୁବନେଶ୍ୱର ସହର ମଧ୍ୟରେ ବସଷ୍ଟାଣ୍ଡକୁ ସ୍ଥାନାନ୍ତର କରିବୁ। ଦୁଇ ତିନିଟି ଜମି ପ୍ରସ୍ତାବ ଆସିଛି। ଏହାକୁ ଦେଖିବା ପରେ କିଛି ନିଷ୍ପତ୍ତି ନିଆଯିବ।

ଏସ୍‌ପିଭି ଗଠନ ହୋଇପାରୁନି

୮୪୫କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ  ବିଡିଏ ପକ୍ଷରୁ ସ୍ୱତନ୍ତ୍ର ଏସ୍‌ପିଭି ଗଠନ କରିବାକୁ ରାଜ୍ୟ ସରକାର ୧୦ମାସ ତଳୁ ଅନୁମୋଦନ କଲେଣି। ହେଲେ ଆଜି ପର୍ଯ୍ୟନ୍ତ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଲାନି କି ଏସ୍‌ପିଭି କିପରି କାର୍ଯ୍ୟ କରିବ ତାହା ସ୍ଥିର ହେଲାନି। ଯେଉଁଥିପାଇଁ ରେଳଷ୍ଟେସନ ମଲ୍ଟି ମୋଡାଲ୍‌ ହବ୍‌ ଏବେ ଯୋଜନାରେ ରହିଛି। ବିଡିଏର ସୂଚନା ଅନୁଯାୟୀ, ଯେତେବେଳେ ମଲ୍ଟିମୋଡାଲ ରେଳ ଷ୍ଟେସନ୍‌ ଡିଜାଇନ୍‌  ପ୍ରସ୍ତୁତ ହେବ, ରେଳ ଷ୍ଟେସନ ଆଧୁନିକୀକରଣ କାର୍ଯ୍ୟ ଆରମ୍ଭ ହେବ ତାହା ପରେ ଏସ୍‌ପିଭି କାର୍ଯ୍ୟ ଆରମ୍ଭ କରିବ। ଏବେ ଏସ୍‌ପିଭିର କିଛି କାର୍ଯ୍ୟ ନାହିଁ। କିଛି ଡିଜାଇନ୍‌ ଏବଂ ଯୋଜନାକୁ ଦେଖାଇ ଆମେ ବିଭିନ୍ନ ରିଅଲ ଇଷ୍ଟେଟ୍‌ ସଂସ୍ଥା କି କୌଣସି ସଂସ୍ଥାକୁ ଏଠାରେ ପ୍ରକଳ୍ପ କରାଇବାକୁ ମନାଇବୁ ବା ଅର୍ଥ ଆଣିବୁ। ଡିଜାଇନ୍‌ ପ୍ରସ୍ତୁତ ହେବା ପରେ ଏସ୍‌ପିଭି ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ଏସ୍‌ପିଭି କମ୍ପାନି ଆକ୍ଟରେ ପଞ୍ଜୀକୃତ ହେବ।

ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ୍‌ ସିଟି ବସ୍‌ ଷ୍ଟାଣ୍ଡକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଭୁବନେଶ୍ୱର ମଧ୍ୟରେ କେଉଁଠି ଜାଗା ଚିହ୍ନଟ କରିବାକୁ ବିପିଟିଏସ୍‌ଏଲ୍‌ ଓ ଡିଟିଏସ୍‌କୁ ଦାୟିତ୍ୱ ଦିଆଯାଇଛି। ନଭେମ୍ବର ଶେଷ ସୁଦ୍ଧା ସିଟି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ଉପଯୁକ୍ତ ଜମି ମିଳୁନି। ଯେଉଁଠି ଜମି ଅଛି ସେଠାକୁ ଓସାରିଆ ରାସ୍ତା ନାହିଁ ତ କେଉଁଠି ପଡ଼ିଆଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆଗୁଆ ବୁକିଂ ହୋଇଛି। ତେଣୁ ଭୁବନେଶ୍ୱର ଭିତରେ ଜମି ଖୋଜିବା ଏବେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଦେଇଛି। ବିପିଟିଏସ୍‌ଏଲ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଆମେ ଭୁବନେଶ୍ୱର ସହର ମଧ୍ୟରେ ବସଷ୍ଟାଣ୍ଡକୁ ସ୍ଥାନାନ୍ତର କରିବୁ। ଦୁଇ ତିନିଟି ଜମି ପ୍ରସ୍ତାବ ଆସିଛି। ଏହାକୁ ଦେଖିବା ପରେ କିଛି ନିଷ୍ପତ୍ତି ନିଆଯିବ।

 

ବିଡିଏ- ପୂର୍ବତଟ ରେଳ ପଥ ମଧ୍ୟରେ ହେବ ଏମ୍‌ଓୟୁ

ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ମଲ୍ଟି ମୋଡାଲ ହବ୍‌ ନିର୍ମାଣ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରଥମେ ଦାୟିତ୍ୱ ନେଇଥିଲା। ଏଥିପାଇଁ ବି ୬୦କୋଟି ଦେବ ବୋଲି ସ୍ଥିର ହୋଇଥିଲା। ହେଲେ ନିର୍ମାଣ କାର୍ଯ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ହୋଇ ନଥିବାରୁ ଏହା ପୂର୍ତ୍ତ ବିଭାଗକୁ ଦିଆଯାଇଥିଲା। ଏଥିପାଇଁ ପୂର୍ତ୍ତ ବିଭାଗକୁ ଡିଜାଇନ୍‌ ପ୍ରସ୍ତୁତ କରିବାକୁ କୁହାଗଲା। ଆଉ ପ୍ରକଳ୍ପ ପାଇଁ ପରିବହନ ବିଭାଗ ପ୍ରାରମ୍ଭିକ ପର୍ଯ୍ୟାୟରେ ୩୦କୋଟି ବି ଅନୁମୋଦନ କରିଥିଲା। ହେଲେ ସ୍ମାର୍ଟ ସିଟିରେ ଏହି ପ୍ରକଳ୍ପ ସାମିଲ୍‌ କରାଯିବାରୁ ଏହା ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ନିୟନ୍ତ୍ରଣକୁ ଆସିଲା। ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଏହି ମେଗା ପିପିପି ପ୍ରକଳ୍ପ ପାଇଁ ବିଡିଏକୁ ଦାୟିତ୍ୱ ଦେବାରୁ ଏବେ ବିଡିଏ ହିଁ ଏହାର ନିର୍ମାଣ ଭାର ନେଇଛି। ତେଣୁ ବିଡିଏ ଓ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ମଧ୍ୟରେ ଏନେଇ ଖୁବ୍‌ ଶୀଘ୍ର ଚୁକ୍ତି ସ୍ୱାକ୍ଷର ହେବ ବୋଲି ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପ ପାଇଁ ପୂର୍ତ୍ତ ବିଭାଗ ନେଇଥିବା ୩୦କୋଟି ପୁଣି ବାଣିଜ୍ୟ ଓ ପରିବହନ ବିଭାଗକୁ ଫେରାଇବ। ଏହି ଟଙ୍କା ବିଡିଏକୁ ଦେବାକୁ ନିଷ୍ପତ୍ତି ହୋଇଛି। ଅକ୍ଟୋବର ଶେଷ ସୁଦ୍ଧା ଟଙ୍କା ଦେବାକୁ କୁହାଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଟଙ୍କା ବିଡିଏକୁ ମିଳିନି।

ରିଲାଏନ୍ସରୁ ୨୦୦୦ ବର୍ଗଫୁଟ ଜମି ଆସିଲାନି

ପ୍ରକଳ୍ପ ପାଇଁ ଦୁଇଟି ଅତିରିକ୍ତ ରାସ୍ତା ନିର୍ମାଣ ହେଉଥିଲେ ହେଁ ରେଳ ଷ୍ଟେସନକୁ ଯିବା ପାଇଁ ଲାଲଚାନ୍ଦ ଜୁଏଲାରି ପାର୍ଶ୍ୱରେ ଜମି ଏବେ ସମସ୍ୟା ସାଜିଛି। ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ରାସ୍ତା ଓସାର ପାଇଁ ରିଲାଏନ୍ସ ଠାରୁ ୨୦୦୦ବର୍ଗଫୁଟ ଜମି ଅଧିଗ୍ରହଣ କରାଯିବ। ଏହି ଜମି ବିଡିଏକୁ କିଣିବାକୁ କୁହାଯାଇଛି। ବିଡିଏ ଅର୍ଥ ଦେଇ କିଣିବ କିମ୍ବା ରିଲାଏନ୍ସକୁ ଅନ୍ୟତ୍ର ପ୍ରକଳ୍ପ ନିର୍ମାଣ ସମୟରେ ଏହି ମୂଲ୍ୟରେ ବିଲ୍ଟ ଅପ୍‌ ସ୍ପେସ୍‌ ବ୍ୟବହାର କରିବାକୁ ଅନୁମତି ଦିଆଯିବ ସେନେଇ ନିଷ୍ପତ୍ତି ହୋଇପାରୁନି। ଏପର୍ଯ୍ୟନ୍ତ ଜମି ଅଧିଗ୍ରହଣ ବି ହୋଇପାରିଲାନି। ଏନେଇ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଖୁବ୍‌ ଶୀଘ୍ର ରିଲାଏନ୍ସ କର୍ତ୍ତୃପକ୍ଷଙ୍କ ସହ ବୈଠକ କରି ନିଷ୍ପତ୍ତି ନିଆଯିବ।

୧୨ ଏକର ଜମି ସମସ୍ୟା ସାଜିଛି

ପ୍ରକଳ୍ପର ପ୍ରମୁଖ କାର୍ଯ୍ୟ ଯେଉଁଠି ହେବ ସେଥିପାଇଁ ୧୨ଏକର ଜମି ଏପର୍ଯ୍ୟନ୍ତ ଅଧିଗ୍ରହଣ ହୋଇପାରିନି। ସାଧାରଣ ପ୍ରଶାସନ ବିଭାଗ ବିଡିଏକୁ ଅକ୍ଟୋବର ଶେଷ ସୁଦ୍ଧା ଜମି ହସ୍ତାନ୍ତର କରିବାକୁ ଥିଲେ ହେଁ ଆଜି ପର୍ଯ୍ୟନ୍ତ ବିଡିଏ ଅଧୀନକୁ ଜମି ଆସିନି। ଯୋଜନା ଅନୁଯାୟୀ, ଏହି ୧୨ଏକରରୁ ୫ଏକର ଜମିରେ ଦୁଇଟି ଟାଓ୍ଵାର ନିର୍ମାଣ ହେବ। ଏଥିରେ ହୋଟେଲ, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ସ୍ୱତନ୍ତ୍ର ସ୍ଥାନ, କାର୍ଯ୍ୟାଳୟ, ଆମ୍ପିଥିଏଟର୍‌, ଆମୋଦପ୍ରମୋଦ ସ୍ଥାନ, ମଲ୍ଟି ଜିମ୍‌ ଆଦି ରହିବ। ବାକି ୫ଏକର ଜମିରେ ଅଣ୍ଡର ଗ୍ରାଉଣ୍ଡ ପାର୍କିଂ,  ଅତ୍ୟାଧୁନିକ ବସ୍‌ ଟର୍ମିନାଲ, ଟ୍ୟାକ୍ସି ଓ ଅଟୋ ଷ୍ଟାଣ୍ଡ ଆଦି ରହିବ। ଏହାବାଦ୍‌ ଭବିଷ୍ୟତରେ ଯେପରି ବିଆର୍‌ଟିଏସ୍‌ ବ୍ୟବସ୍ଥା ହୋଇପାରିବ ଏବଂ ଅଧିକ ସମ୍ପ୍ରସାରଣ ପାଇଁ ଜାଗା ରହିବ ସେଥିପାଇଁ ଯୋଜନା ହୋଇଛି। ଝୁନଝୁନଓ୍ଵାଲା ସିମେଟାରିଠାରୁ ବି ଜମି ଅଧିଗ୍ରହଣ ହେବା ବାକି ଅଛି।

୧୬ ଗଛ କଟାଯାଇପାରୁନି

ଏଠାରେ ଥିବା ପାର୍କରୁ ଗଛଗୁଡ଼ିକୁ ରାଜଧାନୀର ବିଭିନ୍ନ ପାର୍କକୁ ସ୍ଥାନାନ୍ତର କରାଯାଇ ପ୍ରତ୍ୟାରୋପଣ କରାଯାଇଥିବାବେଳେ ଏବେ ବି ୧୬ଟି ଗଛ ରହିଯାଇଛି। ଏହି ଗଛଗୁଡ଼ିକୁ ସ୍ଥାନାନ୍ତର ହେବା ସ୍ଥିତିରେ ନ ଥିବାରୁ ଏହାକୁ କାଟିବାକୁ ବିଡିଏ ପକ୍ଷରୁ ଓଏଫ୍‌ଡିସିକୁ ପ୍ରସ୍ତାବ ଦିଆଯାଇଛି। ଏହି ୧୬ଟି ଗଛକୁ ସେପ୍ଟେମ୍ବର ୨୫ସୁଦ୍ଧା କାଟିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ କଟା ହୋଇନି। ଓଏଫ୍‌ଡିସିର ମନ୍ଥରତା ବି ଏହି ପ୍ରକଳ୍ପର ଅଗ୍ରଗତିରେ ବାଧକ ସାଜିଛି। ଏନେଇ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୧୬ଟି ଯାକ ଗଛ କାଟିବାକୁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିଲେ ହେଁ କାହିଁକି କଟାଯାଉନି କହିହେବନି।

କନସଲଟାଣ୍ଟ କାମ ଆରମ୍ଭ କରିନି

ଭୁବନେଶ୍ୱର ଟାଉନ୍‌ ସେଣ୍ଟର୍‌ ହେଲେ ଏଠାରେ ବଜାର ମୂଲ୍ୟ କିପରି ବଢ଼ିବ, କେଉଁ ପ୍ରକାରର ବ୍ୟବସାୟିକ ସଂସ୍ଥାକୁ ସୁଯୋଗ ଦିଆଯିବ, କିପରି ଏହି ପ୍ରକଳ୍ପର ବ୍ରାଣ୍ଡିଂ କରାଯିବ, ପ୍ରଚାର ପ୍ରସାର ହେବ, ପ୍ରକଳ୍ପକୁ କିପରି ଅଧିକ ସଂସ୍ଥାକୁ ଆକର୍ଷିତ କରିହେବ, ବିଏସ୍‌ସିଏଲ୍‌ ପକ୍ଷରୁ କ’ଣ ସୁବିଧା ସୁଯୋଗ ମିଳିବ, ଯେଉଁ ସଂସ୍ଥା ପୁଞ୍ଜି ଖଟାଇବ ତା’ର କେତେ ଭାଗ ଓ ବିଡିଏର କେତେ ଭାଗ ରହିବ, ଦୋକାନଗୁଡ଼ିକୁ ଭଡ଼ାରେ ଦିଆଯିବ କି ବିକ୍ରି କରାଯିବ ସେନେଇ ମାର୍କେଟିଂ ଆସେସମେଣ୍ଟ କନସଲଟାଣ୍ଟକୁ ସେପ୍ଟେମ୍ବର ୧୫ମଧ୍ୟରେ ନିଯୁକ୍ତି ଦେବା ସହ ଅକ୍ଟୋବର ୧୫ପୂର୍ବରୁ ଡିଜାଇନ୍‌ କାର୍ଯ୍ୟ ଆରମ୍ଭ ହେବା କଥା। ଏହି ଦୁଇଟି କ୍ଷେତ୍ରରେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନି। ମାର୍କେଟିଂ ଆସେସମେଣ୍ଟ କନସଲଟାଣ୍ଟ ବଛା ହୋଇ ନଥିବାବେଳେ ପ୍ରକଳ୍ପର ଡିଜାଇନ୍‌ ପ୍ରସ୍ତୁତ କରିବାକୁ ବଛା ହୋଇଥିବା କନସଲଟାଣ୍ଟ ଏବେ ସୁଦ୍ଧା କାର୍ଯ୍ୟ ଆରମ୍ଭ କରିନି।

 

 

 

ସମ୍ବନ୍ଧିତ ଖବର