ଭୁବନେଶ୍ୱର: ବେଆଇନ ପାର୍କିଂ ଯୋଗୁଁ ରାସ୍ତା ସଙ୍କୁଚିତ ହୋଇଯାଉଥିବା ବେଳେ ଡ୍ରେନ ଓ ସ୍ୱେରେଜ କାମ ରାସ୍ତାର ଅବସ୍ଥାକୁ ଆହୁରି ସଙ୍ଗିନ କରିଦେଉଛି। ଏଥିସହିତ ନିର୍ମାଣ ବର୍ଜ୍ୟବସ୍ତୁ ରାସ୍ତାରେ ଗଦା ହୋଇରହିଥିବାରୁ ବର୍ଷାରେ ଭାସିଯାଇ ପୁଣି ଡ୍ରେନରେ ମିଶୁଛି। ଫଳସ୍ୱରୂପ ଡ୍ରେନ ପାଣି ରାସ୍ତାରେ ଭାସୁଛି। ଏଭଳି ଦେଖିବାକୁ ମିଳୁଛି ରାଜଧାନୀର ଜନବହୁଳ ସତ୍ୟନଗର ଅଞ୍ଚଳରେ। ବର୍ଷା ଦିନେ ଅଞ୍ଚଳର ସ୍ଥାନେ ସ୍ଥାନେ ଖୋଳାଖୋଳି ଚାଲୁଥିବାରୁ ଲୋକ ହଇରାଣରେ ପଡ଼ୁଛନ୍ତି।
ତୋଷାଳୀ ଆପାର୍ଟମେଣ୍ଟ ସମ୍ମୁଖ ରାସ୍ତାରେ ଡ୍ରେନ ଭିତର ଦେଇ ଯାଇଥିବା ପାଣି ପାଇପ୍କୁ ଵାଟ୍କୋ ପକ୍ଷରୁ ଅଲଗା କରାଯାଉଛି। ଫଳରେ ଡ୍ରେନ ପାଣି ରାସ୍ତାରେ ଭାସୁଛି। ଏପରିକି ରାସ୍ତାରେ ପେଭରବ୍ଲକ ମଧ୍ୟ ଭାଙ୍ଗିଗଲାଣି। ସେହିପରି ପୋଷ୍ଟାଲ ଛକରୁ ରାଜକୁମାର ବସ୍ତି ରାସ୍ତାରେ ସ୍ୱେରେଜ କାମ ଚାଲୁଥିବାରୁ ରାସ୍ତାରେ ନିର୍ମାଣ ବର୍ଜ୍ୟବସ୍ତୁ ଗଦା ହୋଇ ରହିଛି। ଏଗୁଡ଼ିକ ହଟାଯାଉ ନଥିବାରୁ ବର୍ଷାରେ ରାସ୍ତା ସାରା କାଦୁଅ ପଚପଚ ହୋଇରହୁଛି। ସତ୍ୟନଗର କାଳୀ ମନ୍ଦିରରୁ ବିଗ୍ବଜାର ଛକ ଦେଇ ଖାରବେଳନଗରକୁ ସଂଯୋଗ କରୁଥିବା ରାସ୍ତା ଲୋକଙ୍କୁ ହଇରାଣରେ ପକାଉଛି।
ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ମାତ୍ର ୯ ମାସ ହେଲା ନିର୍ମିତ ହୋଇଥିବା ଏହି ରାସ୍ତା ଯନ୍ତ୍ରଣା ଦେଉଛି। ସତ୍ୟନଗର ଅଞ୍ଚଳ ସହିତ ଖାରବେଳନଗରକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ଏହି ଦୁଇଟି ଅଞ୍ଚଳର ପାଖାପାଖି ୧୨ ହଜାର ଲୋକ ନିର୍ଭର କରନ୍ତି। ହେଲେ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ରାସ୍ତା କାମ ହେଉନାହିଁ। ଗତ ଅକ୍ଟୋବର ମାସରେ ବିଏମ୍ସି ପକ୍ଷରୁ ଉକ୍ତ ରାସ୍ତା କାମ ହୋଇଥିଲା। ହେଲେ ମାସେ ନହେଉଣୁ ତାର ବିଛାଇବା ପାଇଁ ଓପିଟିସିଏଲ ପକ୍ଷରୁ ରାସ୍ତା ଖୋଳି ଦିଆଗଲା। ଇତିମଧ୍ୟରେ କାମ ସରିଯାଇଥିଲେ ସୁଦ୍ଧା ରାସ୍ତା ସଜଡ଼ା ଯାଉନାହିଁ। ପୁଣି ରାସ୍ତା କଡ଼ରେ ଅଘୋଷିତ ପାର୍କିଂ ମଧ୍ୟ ରାସ୍ତାକୁ ସଙ୍କୁଚିତ କରିଦେଉଛି। କର୍ପୋରେଟର ପୁଷ୍ପାଞ୍ଜଳି ସେଠୀଙ୍କ କହିବା ଅନୁଯାୟୀ ଡ୍ରେନ୍ କାମ ଚାଲିଛି। ଵାଟ୍କୋ ପକ୍ଷରୁ କାର୍ଯ୍ୟ ସରିବା ପରେ ରାସ୍ତା ମରାମତି ହେବ। ସେହିପରି ଖାରବେଳନଗରକୁ ସଂଯୋଗ କରୁଥିବା ରାସ୍ତା ପାଇଁ ସେ ବାରମ୍ୱାର କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ବୋଲି କହିଛନ୍ତି।