ଯନ୍ତ୍ରଣା ଦେଉଛି ରାସ୍ତା: ବିଏମ୍‌ସି, ପୂର୍ତ୍ତ, ବିଏସ୍‌ସିଏଲ୍‌, ଓପିଟିସିଏଲ୍ ହିଁ ମୁଖ୍ୟ ଖଳନାୟକ

ପୂଜା ମଉଜକୁ ବଳିଯିବ ରାସ୍ତା ଯନ୍ତ୍ରଣା

ଭୁବନେଶ୍ବର: ରାଜଧାନୀବାସୀଙ୍କ ଜୀବନଶୈଳୀକୁ ଆରାମଦାୟକ ଓ ସହଜ କରିବା ପାଇଁ ବିଏମ୍‌ସି, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ, ଓପିଟିସିଏଲ୍‌, ପୂର୍ତ୍ତ ବିଭାଗ କିଛି ମାସ ହେଲା ରାଜଧାନୀ ରାସ୍ତାକୁ ଅକ୍ତିଆର କରି ନେଇଛନ୍ତି। କିନ୍ତୁ ଏହି ସଂସ୍ଥାଗୁଡ଼ିକର କାର୍ଯ୍ୟ କରିବାର ଶୈଳୀ ଏବେ ରାଜଧାନୀବାସୀଙ୍କ ପାଇଁ କାଳ ସାଜିଛି। ତିତ୍‌ଲି ପାଇଁ ଦଶହରା ଖୁସି ଉଜୁଡ଼ିଯିବ ବୋଲି ସହରବାସୀ ଯେଉଁ ଆଶଙ୍କା କରୁଥିଲେ, ତାହା ଟଳି ଯାଇଛି। କିନ୍ତୁ ଏହି ସରକାରୀ ସଂସ୍ଥାଗୁଡ଼ିକର ବେପରୱା କାର୍ଯ୍ୟ ଲୋକଙ୍କ ପୂଜା ମଉଜକୁ ବରବାଦ କରିବାକୁ ବସିଛି। ସୋମବାରଠାରୁ ପୂଜା ଆରମ୍ଭ ହେଉଥିଲା ବେଳେ ସହର ସାରା ଯେପରି ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡ଼ିଛି, ତାହା ଲୋକଙ୍କୁ ଘରୁ ବାହାରିବାକୁ ଡରାଇ ଦେଲାଣି। ଏ ପରିସ୍ଥିତିରେ ଏହି ସଂସ୍ଥାଗୁଡ଼ିକ କେହି ନୈତିକ ଦାୟିତ୍ବ ମୁଣ୍ଡ ଉପରକୁ ନେବାକୁ ପ୍ରସ୍ତୁତ ନଥିବାରୁ ରାଜଧାନୀବାସୀଙ୍କ ପାଇଁ ଦଶହରା ଯନ୍ତ୍ରଣାଦାୟକ ପାଲଟିବାକୁ ଯାଉଛି। ଜନପଥ, କଟକ ରୋଡ୍‌ରୁ ଆରମ୍ଭ କରି ଫାୟାର ଷ୍ଟେସନ୍ ଛକ ପର୍ଯ୍ୟନ୍ତ; ଏପରିକି ସବୁ ଗଳିକନ୍ଦି ପର୍ଯ୍ୟନ୍ତ ଯୁଆଡ଼େ ଚାହିଁବ, ସିଆଡ଼େ ରାସ୍ତା ଖଣ୍ଡିଆଖାବରା। କେଉଁଠି ଗୋଡ଼ି, ଚିପ୍ସ୍‌ ଉଠି ଯାଇଛି ତ କେଉଁଠି ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ଖାଲ। ରାସ୍ତାକଡ଼ରେ ଓପିଟିସିଏଲ୍‌ ପକ୍ଷରୁ କେବୁଲ୍ ବିଛାଇବା ପାଇଁ ଖୋଳା ଯାଇଥିବା ବେଳେ ଏହା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ। ଏହା ସାଙ୍ଗକୁ ୱାଇଫାଇ, ଅମୃତ ଯୋଜନାରେ ପାଣି ପାଇପ୍ ବିଛାଇବା ପାଇଁ ରାସ୍ତା ବି ଖୋଳା ଚାଲିଛି। କ୍ରୁଟ୍ ପକ୍ଷରୁ ବସ୍ କ୍ୟୁ ସେଲ୍ଟର ନିର୍ମାଣ ପାଇଁ ବି ରାସ୍ତା କଡ଼ରେ ଖୋଳା ହୋଇଛି। ପୂର୍ତ୍ତ ବିଭାଗ ତ ଭୁଲି ଯାଇଛି ତାହା ଅଧୀନରେ ରାଜଧାନୀରେ ରାସ୍ତା ଅଛି ବୋଲି। କୌଣସି ବିଭାଗ ଭିତରେ ସମନ୍ବୟ ନାହିଁ କି କାହାର ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବାର ମନୋବୃତ୍ତି ନାହିଁ ବୋଲି ରାଜଧାନୀ ରାସ୍ତା ହିଁ ପ୍ରମାଣ ଦେଉଛି। ଆଜି ରବିବାର ଥିବାରୁ ଏବଂ ବର୍ଷା ଛାଡ଼ି ଯାଇଥିବାରୁ ପୂଜା ବଜାର ଆଜିଠୁ ଜୋର୍‌ ଧରିଛି। ପ୍ରାୟ ଏକ ସପ୍ତାହ ଏହି ଭିଡ଼ ରହିବ। କିନ୍ତୁ ରାସ୍ତାଘାଟର ବିପର୍ଯ୍ୟସ୍ତ ସ୍ଥିତି, ଟ୍ରାଫିକ୍ ସମସ୍ୟା ଏବେ ଲୋକଙ୍କ ଯାତନାକୁ ଦ୍ବିଗୁଣିତ କରିଦେଉଛି। ପ୍ରଶାସନ କିନ୍ତୁ ପୂରା ବେଫିକର।

୨୦୧୬ ମାର୍ଚ୍ଚରୁ ରାଜଧାନୀରେ ଭୂତଳ କେବୁଲ କାମ ଆରମ୍ଭ ହେଲା। ପ୍ରଥମ ପର୍ଯ୍ୟାୟରେ ଜନପଥ, ସଚିବାଳୟ, ବିଦ୍ୟୁତ୍‌ ମାର୍ଗ ଓ କଟକ-ପୁରୀ ରାସ୍ତା‌ର କାମ। ଦେଢ଼ ବର୍ଷରେ କାମ ସରିବ ବୋଲି ଶକ୍ତି ମନ୍ତ୍ରୀ ଘୋଷଣା କଲେ। କିନ୍ତୁ ଅଢ଼େଇ ବର୍ଷ ବିତିଗଲା। କାମ ତ’ ସରିଲାନି କିନ୍ତୁ ଦୁର୍ଦ୍ଦଶା ବଢ଼ିଗଲା। ସହର ଉନ୍ନତି ଦିଗରେ ଗତି କରୁଛି ଓ ଏହି ଭୂତଳ କେବୁଲ ସ‌ଂଯୋଗ ଅନେକାଂଶରେ ବହୁ ଲାଭଦାୟକ ହେବ ବୋଲି ଭାବି ସାଧାରଣ ଲୋକେ ଚୁପ୍‌ ବସିଲେ। କିନ୍ତୁ ଏହା ଭାରି ପଡ଼ିଲାଣି। ଖୋଳା ଯାଇଥିବା ରାସ୍ତାକୁ ଏମିତି ବେପରୁଆ ଭାବେ ପୋତା ଯାଇଥିଲା ଯେ ବର୍ଷାରେ ଏହା ପୂରା ବିଗିଡ଼ି ଯାଇଛି। ଏନେଇ ଓପିଟିସିଏଲ୍‌ ଏଜିଏମ୍‌ ସଞ୍ଜୟ କୁମାର ମହାନ୍ତି କହିଛନ୍ତି, ବର୍ତ୍ତମାନ ଭୂତଳ କେବୁଲ ବିଛା କାର୍ଯ୍ୟ ସାମୟିକ ଭାବେ ବନ୍ଦ ଅଛି। ଯେତିକି କାମ ସରିଛି, ସେଠାରେ ସବୁ ଗାତଗୁଡ଼ିକୁ ପୋତି ଦେବା ସହ ବ୍ୟାକ୍‌ଫିଲିଂ କାର୍ଯ୍ୟ ମଧ୍ୟ ସରିଛି। ଡିସେମ୍ବର ୨୧ରୁ ପୁଣି ଏହି କାର୍ଯ୍ୟ ଆରମ୍ଭ ହେବ। ସ୍ମାର୍ଟ ସିଟିର ୱାଇଫାଇ ପ୍ରକଳ୍ପ ପାଇଁ ରାସ୍ତାକୁ ‌େଖାଳି କେବୁଲ ତାର ବିଛାଇବା ପରେ ଏହି ରାସ୍ତାରେ ବାଲି ଭର୍ତ୍ତି କରି ଉପରେ ସିମେଣ୍ଟ ଦେଇ ଦିଆଯାଉଛି। କିନ୍ତୁ ଏହା ଏପରି କାମ ହୋଇଥିଲା ଯେ ତିତ୍‌ଲି ବର୍ଷାରେ ବାଲି ସିମେଣ୍ଟ ସବୁ ଧୋଇଯାଇଛି। ଫଳରେ ଫାୟାର ଷ୍ଟସନ୍‌ ଛକ, ଡେଲ୍‌ଟା ଛକ, ସିଟି ଓମେନ୍ସ କଲେଜ ଛକ, ପାୱାର ହାଉସ୍‌ ଛକ ଆଦି ସ୍ଥାନରେ ଏବେ କେବୁଲ୍ ରାସ୍ତା ଉପରେ ମୁକୁଳା ପଡ଼ିଛି। ସେହିପରି କଟକ ରୋଡ୍‌ ବର୍ତ୍ତମାନ ସମସ୍ତଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି। ବେଶି କନ୍ଦାଉଛି ବମିଖାଲ ନିର୍ମାଣାଧୀନ ଫ୍ଲାଏଓଭର ଓ ତତ୍‌ସଂଲଗ୍ନ ରାସ୍ତା। ବିଶେଷ କରି ଏକାମ୍ର ଟକିଜ୍‌ ସମ୍ମୁଖ ରାସ୍ତା ଖାଲଖମାରେ ଭର୍ତ୍ତି। ପୁଣି ଏହାର ୫୦ ମିଟର ପର୍ଯ୍ୟନ୍ତ ରାସ୍ତାରେ ଗୋଟିଏ ପାର୍ଶ୍ବରେ ଯାନବାହାନ ଯା’ଆସ କରୁଥିବାରୁ ଏହି ରାସ୍ତା ଦୁର୍ଗା ପୂଜାରେ ସାଂଘାତିକ ଟ୍ରାଫିକ୍‌ ଜାମ୍‌ର କାରଣ ହେବାକୁ ଯାଉଛି।

ଏନେଇ ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ୍‌-୪ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ବମିଖାଲ ନିକଟସ୍ଥ ଡ୍ରେନ୍‌ କାମ ଅକ୍ଟୋବର ଶେଷ ସୁଦ୍ଧା ଶେଷ ହେବା ସହ ଡିସେମ୍ବରରେ ଫ୍ଲାଏଓଭର କାମ ସମ୍ପୂର୍ଣ୍ଣ ହେବ। ଦଶହରାକୁ ନଜରରେ ରଖି ଆମେ ୧୦ ଦିନ ତଳେ ରାସ୍ତାରେ ପିଚୁ ପକାଇ ଅସ୍ଥାୟୀ ଭାବେ ରାସ୍ତା କାମ ସାରିଛୁ। କିନ୍ତୁ କେବୁଲ ବିଛାଇବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ରାସ୍ତା ଖୋଳି ପୋତିବା ପାଇଁ ଭୁଲି ଯାଉଛନ୍ତି। ନିର୍ବାହୀ ଯନ୍ତ୍ରୀ ବିଏମ୍‌ସି ଉପରେ ଦୋଷ ଲଦି ଖସି ଯାଉଥିବା ବେଳେ ଏହି ଓଭରବ୍ରିଜ୍ ପାଇଁ ହିଁ କଟକ ରୋଡ ସ୍ଥିତି ଦୟନୀୟ ହୋଇଯାଇଛି, ତାହାକୁ କିନ୍ତୁ ସ୍ବୀକାର କରୁନାହାନ୍ତି। ଏହି ଓଭରବ୍ରିଜ୍ କାର୍ଯ୍ୟ ସେପ୍ଟେମ୍ବର ମାସରେ ଶେଷ ହେବାକୁ ଧାର୍ଯ୍ୟ ହୋଇଥିବାବେଳେ ଏବେ ଏହାର ଡେଡଲାଇନ୍ ଡିସେମ୍ବରକୁ ଘୁଞ୍ଚିଗଲାଣି। ପୂର୍ତ୍ତ ବିଭାଗର ଅପାରଗତା, ମନ୍ଥର କାର୍ଯ୍ୟ ପାଇଁ ରାଜଧାନୀବାସୀ ହନ୍ତସନ୍ତ ହେଉଥିଲେ ହେଁ ଏହି ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ କର୍ତ୍ତୃପକ୍ଷ କାହିଁକି ପଦକ୍ଷେପ ନେଉନାହାନ୍ତି ସେନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି।

କନ୍ଦାଇବ ଟ୍ରାଫିକ୍‌, ବଢ଼ିବ ଛିନ୍‌ତାଇ
ଚନ୍ଦ୍ରଶେଖରପୁର: ଏଥର ଦଶହରାରେ କନ୍ଦାଇବ ଟ୍ରାଫିକ୍‌ ସମସ୍ୟା। ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଧୀନ‌ରେ ଟ୍ରାଫିକ୍‌ ସମସ୍ୟା ନିୟନ୍ତ୍ରଣ ବାହାରକୁ ଯାଇଥିବା ବେଳେ ରାସ୍ତାଘାଟ ସମସ୍ୟା ନ କହିବା ଭଲ। ସବୁ ଗଳିକନ୍ଦି ଓ କଲୋନି ରାସ୍ତାରେ ଗାତ। ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି। ‌ଦଶହରା ପୂର୍ବରୁ ରାସ୍ତାଗୁଡ଼ିକର ମରାମତିି କରାଯିବ ବୋଲି ବାହା‌େସ୍ପାଟ ମାରିଥିବା ବିଏମ୍‌ସି ଅଧିକାରୀମାନେ ଏବେ ହାତ ଟେକିଦେଲେଣି। ‌ରାସ୍ତାଘାଟ ମରାମତି କରିବେ ‌କ’ଣ, କର୍ପୋରେଟରମାନେ ଲୋକଙ୍କ ପ୍ରଶ୍ନବାଣରୁ ବଞ୍ଚିବା ପାଇଁ ଲୁଚିବା ଆରମ୍ଭ କଲେଣି। ଜୟଦେବ ବିହାର ଛକରୁ କିଟ୍‌ ଛକ ପର୍ଯ୍ୟନ୍ତ ରାସ୍ତାରେ ଏବେ ବି ଯନ୍ତ୍ରଣା ଦାୟକ ହୋଇ ରହିଛି। ସକାଳ ସାଢ଼େ ୯ଟାରୁ ସାଢ଼େ ୧୧ଟା ଓ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ୬ କିମି ରାସ୍ତା ପାରି ହେବାକୁ କାର ଚାଳକଙ୍କୁ ଘଣ୍ଟାରୁ ଅଧିକ ସମୟ ଲାଗି ଯାଉଛି। ପୁଲିସ ପକ୍ଷରୁ ୩ରୁ ଅଧିକ ସ୍ଥାନରେ ଯାଞ୍ଚ ହେଉଥିବାରୁ ଟ୍ରାଫିକ୍‌ ସମସ୍ୟା ଆହୁରି ବଢ଼ୁଛି। ଏଥିସହ ମ୍ୟାଗନେଟ୍‌ ଛକରୁ କିଟ୍‌ ବିଶ୍ବବିଦ୍ୟାଳୟକୁ ଯାଇଥିବା ରାସ୍ତାରେ ଦୁଇରୁ ଅଧିକ ମଲ୍‌ ସହ ହୋଟେଲ, ରେସ୍ତୋରାଁ ଖୋଲିଥିବାରୁ ରାସ୍ତା ଉପରେ ପାର୍କିଂ ହେଉଛି। ଯେଉଁଥିପାଇଁ ରାସ୍ତାରେ ଯିବା କଷ୍ଟକର ହୋଇପଡ଼ୁଛି। ଷ୍ଟ୍ରିଟ୍‌ ଲାଇଟ୍‌ ମଧ୍ୟ ଆଉ ଏକ ସମସ୍ୟା ସୃଷ୍ଟି କରିଛି। ବିଏମ୍‌ସି ୱାର୍ଡ ନମ୍ବର ୧୪, ୨, ୮ରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକ ଅଧିକାଂଶ ସ୍ଥାନରେ ଜଳୁ ନାହିଁ। ମରାମତି କରିବା ପାଇଁ ଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ୟ ଏଥିପ୍ରତି କେହି ନଜର ଦେଉନାହାନ୍ତି। ଯେଉଁଥିପାଇଁ ଦଶହରା ସମୟରେ ଛିନ୍‌ତାଇ ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର